ସର୍ବସାଧାରଣ ସ୍ଥାନକୁ ପୋଷା କୁକୁର ମନା…

ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତା କଡ଼ରେ ଝାଡ଼ା ଫେରିପାରିବେନି ପୋଷା କୁକୁର। ଯଦି କୌଣସି ମାଲିକ ତାଙ୍କ କୁକୁରଙ୍କୁ ଏଭଳି କାର୍ଯ୍ୟ କରାଉଥିବାର ନଜର ଆସନ୍ତି, ତାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଖାଲି ସେତିକି ନୁହେଁ ସର୍ବସାଧାରଣ ସ୍ଥାନକୁ ମଧ୍ଯ ପୋଷା କୁକୁର ନେବାକୁ ମନା। ଏହି ନିୟମ ଖିଲାପ ହେଲେ କିମ୍ବା କୁକୁର କାହାକୁ କ୍ଷତି ପହଞ୍ଚାଇଲେ ମୋଟା ଅଙ୍କର ତଣ୍ଡ ଗଣିବେ ମାଲିକ। ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଆବଶ୍ୟକ ପଡିଲେ ପଞ୍ଜୀକରଣ ମଧ୍ୟ ବାତିଲ କରାଯିବ। ଏମିତି କଡ଼ା ନିୟମ ଆଣିଛି ବିଏମ୍‌ସି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡଗ୍‌-ବାଇ-ଲ କୁ ମୋହର ମାରିଛି ବିଏମ୍‌ସି। କୁକୁର ରଖିବା ପୂର୍ବରୁ ବିଏମ୍‌ସିରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଅନ୍‌ଲାଇନ୍‌ରେ ଆବେଦନ ପାଇଁ ୫୦୦ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଟ୍ୟାଗ୍‌ ମିଳିବ। ଏଥିରେ ମାଲିକଙ୍କ ନାଁ ସହିତ ସଂପୂର୍ଣ୍ଣ ତଥ୍ୟ ରହିବ। ଯଦି ମାଲିକ କୁକୁରକୁ ବାହାରକୁ ବୁଲାଇବାକୁ ନେବେ ତାହେଲେ ଚେନ୍‌ରେ ବାନ୍ଧିବା ବାଧ୍ୟତାମୂଳକ।

ସେହିପରି ପାର୍କ, ରେସ୍ତୋରାଁ, ଜିମ୍‌ ଓ ମଲ୍‌କୁ କୁକୁର ନେବା ଉପରେ କଟକଣା ଲାଗୁ ହୋଇଛି। କୁକୁର ଭ୍ୟାକ୍ସିନ୍‌ ରାବିସ୍‌ ନେବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କରିବାକୁ ବାରଣ କରାଯାଇଛି। ଯଦି ମାଲିକ ଏହି ନିୟମ ଉଲଘଂନ କରନ୍ତି ତାହେଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପୋଷା କୁକୁରର ମୃତ୍ୟୁ ହେଲେ ତାକୁ ବାହାରେ ପକାଇ ପାରିବେନି। ବିଏମ୍‌ସି ପକ୍ଷରୁ ମୃତ ଶରୀର ଉଠାଇବା ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯିବ। ଭୁବନେଶ୍ୱରରେ ଦିନକୁ ଦିନ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଛି। ତାହାର ସମାଧାନ ଲାଗି ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ମୁନିସିପାଲ୍ କର୍ପୋରେସନ୍ ଆକ୍ଟ ଭାଗ ୪୦୯ବି ଏବଂ ୫୪୩ବି ଅନୁସାରେ କୌଣସି ବ୍ୟକ୍ତି କକୁର ପାଳିଲେ ତାଙ୍କୁ ବିଭିନ୍ନ ନିୟମ ମାନିବାକୁ ହେବ। ଯାହାକି ଛୁଆଜନ୍ମ, ଟିକାକରଣ, ବନ୍ଧ୍ୟାକରଣ, ଲାଇସେନ୍ ଇତ୍ୟାଦି କରିବାକୁ ହେବ।

ତେଣୁ ଏହି ନିୟମକୁ ଲାଗୁକରିବା ପୂର୍ବରୁ କୁକୁର ପୋଷୁଥିବା ବ୍ୟକ୍ତିମାନେ କିପରି ପଞ୍ଜୀକରଣ କରିବେ, ସେମାନଙ୍କ ରହିବାର ସ୍ଥାନ, ବ୍ୟବସ୍ଥା, ସ୍ୱାସ୍ଥ୍ୟ ରକ୍ଷା, କୁକୁର ମରିବା ପରେ ତାର ଉପଯୁକ୍ତ ସତ୍କାର ଯାହାକି ଏଣେ ତେଣେ ଫିଙ୍ଗି ନଦେଇ ନିର୍ଧାରିତ ସ୍ଥାନରେ ନିୟମ ଅନୁଯାୟୀ ପୋତିବା, କୁକୁରଟିଏ ରୋଗିଣା ବା ବୁଢ଼ା ହେଲେ ତାହାକୁ ମାଲିକ ବାହାରକୁ ନ ଛାହିବା, କୌଣସି ପ୍ରକାରର ଅନୁସନ୍ଧାନ ବା ସମୀକ୍ଷା ପାଇଁ ବିଏମସି ନିର୍ଦିଷ୍ଟ ମାଲିକଙ୍କ ଘରକୁ ଯାଇ ପଚରାଉଚରା କରିପାରେ।ଏହା ସାଙ୍ଗକୁ ଖେଳକୁଦ ଇତ୍ୟାଦିରେ କୁକୁରଙ୍କୁ ସାମିଲ କରିବା ଏବଂ ବ୍ୟବସାୟୀକ ଉଦ୍ଦେଶ୍ୟରେ କୁକୁରମାନଙ୍କୁ ରଖିବାର ସ୍ବତନ୍ତ୍ର ବିଧି ଏବଂ ଭୟଙ୍କର ତଥା ପାଗଳ କୁକୁରଙ୍କର ନିୟନ୍ତ୍ରଣ ବାବଦରେ ମାଲିକଙ୍କ କର୍ତ୍ତବ୍ୟ କଣ ରହିଛି, ତାହା ମଧ୍ୟ ଆଲୋଚନା ହୋଇଥିଲା। ନିୟମ ନମାନିଲେ, ମାଲିକଙ୍କୁ କେଉଁ ପ୍ରକାର ଆଇନର ସମ୍ମୁଖୀନ ହେବାକୁ ହେବ ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।
ବୈଠକରେ ସମସ୍ତ କର୍ପୋରେଟର, ଅତିରିକ୍ତ କମିଶନର ଓ ଡେପୁଟି କମିଶନର ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.