ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ତାହା ସରକାରୀ ଓ ଘରୋଇ ସହାଭାଗିତାରେ ହେଉଛି । ଏହାର ସର୍ଭେ ପାଇଁ ୱାପକୋକୁ ୭୪କୋଟି ଦିଆଯାଇଛି । ଗୁରୁବାର ବିଧାନସଭାରେ ଭାସ୍କର ମଢ଼େଇଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କୌଣସି ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି ।
ଏଥିରୁ ଧାମରା ଓ ଗୋପାଳପୁର ଠାରୁ ଦୁଇଟି ଅଣବୃହତ୍ତ ବନ୍ଦର କାର୍ଯ୍ୟକ୍ଷମ ଅଛି । ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି । ବାକି ୧୦ରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଭଦ୍ରକର ଇଞ୍ଚୁଡ଼ି ସହ ପୁରୀ ଓ ଗଞ୍ଜାମରେ ଦୁଇ ଅଣବୃହତ୍ତ ବନ୍ଦର ନିର୍ମାଣ ହେବ । ଏସବୁ ସୁବ୍ୟବସ୍ଥିତ କରିବା ପାଇଁ ଆଇଆଇଟି ମାଡ୍ରାସ ସହ ୧୬ କୋଟି ୮୫ଲକ୍ଷ ୪୦୦ ଟଙ୍କାର ଚୁକ୍ତି ହୋଇଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମହାନଦୀ ନିକଟରେ ପ୍ରସ୍ତାବିତ ନଦୀଭିତିକ ବନ୍ଦର ପାଇଁ ରାଜ୍ୟ ସରକାର କେବଳ ଲିଜ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତିକ ।