ଅର୍ଥ ଅଭାବରୁ ସ୍ତନ କ୍ୟାନ୍ସର ପିଡ଼ିତା ବେର୍ନିକା ମୁଠାମାଝୀ ଚିକିତ୍ସା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଲେ

ଦାରିଙ୍ଗବାଡ଼ି,୧୫/୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁତେଡ଼ି ଗ୍ରାମର ବେର୍ନିକା ମୁଠାମାଝୀ (୪୩) ସ୍ତନରେ କ୍ୟାନ୍ସର ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଗୁରୁତର ଅବସ୍ଥାରେ ରହି ଆସୁଛି। ସୂଚନା ମୁତାବକ ବେର୍ନିକା ଜଣେ ଅନୁସୂଚିତ ଜନଜାତିର ଅବିବାହିତ ମହିଳା ଅଟନ୍ତି ଓ ତାଙ୍କର କେହି ନାହାନ୍ତି। ନିଜେ କୁଲିମଜୁରୀ ଯାଇ ନିଜ ବଡ଼ ବାପାଙ୍କ ପୁଅର ପୁଅ ପାଖରେ ରହି ଚଳୁଥିଲେ । ୨୦୨୧ ମସିହାରେ ସ୍ତନରେ ଛୋଟ ଘା ଟିଏ ହୋଇଥିଲା । ଏହାକୁ ଗୁରୁତ୍ୱ ନଦେବା ହେଉକି ସଚେତନ ଅଭାବରୁ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରି ଥିଲେ । ହେଲେ ସୁସ୍ଥ ହେବା ପରିବର୍ତ୍ତେ ଦିନକୁ ଦିନ ଅଧିକ ହୋଇଥିଲା । ଏହାପରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଯାଇ ଥିଲେ । ସେଠାରେ ଏହା କ୍ୟାନ୍ସର ହୋଇ ଥିବା କହି ଅଧିକ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ବୋଲି କହିବା ପରେ ଅର୍ଥ ଅଭାବରୁ ଗାଁ କୁ ଫେରି ଆସିଥିଲେ । ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ବିଭିନ୍ନ ବିଭାଗରେ କର୍ମଚାରୀ ରହିଥିଲେ ମଧ୍ୟ ବେର୍ନିକା ଓ ତାଙ୍କ ସମ୍ପର୍କୀୟ ସଚେତନତାର ଅଭାବ ହେଉକି କର୍ମଚାରୀଙ୍କ ଅବହେଳାରୁ ବର୍ତ୍ତମାନ ବେର୍ନିକା ଗୁରୁତର ପିଡ଼ିତା ଅବସ୍ଥାରେ ରହି ଆସୁଛନ୍ତି । ବେର୍ନିକାର ସ୍ତନରେ ହୋଇଥିବା ଘା ରୁ ଦୁର୍ଗନ୍ଧ ବାହାରିବା ସହ ଅସହ୍ୟ ଯନ୍ତ୍ରଣା ରହିଛି । କିଛି ଲୋକଙ୍କ ପରାମର୍ଶ କ୍ରମେ ଆଜି ଦାରିଙ୍ଗବାଡ଼ି ବିଡିଓ , ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ସାକ୍ଷାତ କରି ଚିକିତ୍ସା ପାଇଁ ବେର୍ନିକା,ତାର ପୁତୁରା ସୁରେଶ ମୁଠାମାଝୀ ଲିଖିତ ଭାବେ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଏହି ଘଟଣାରେ ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ ଓ ସରାମୁଳି ଗ୍ରାମ ପାଞ୍ଚାୟତ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ମୁଠାମାଝୀ ଚିକିତ୍ସା ପାଇଁ ତଥା ବ୍ରହ୍ମପୁର ମେଡିକାଲକୁ ନେବା ପାଇଁ ସହଯୋଗ କରୁଥିବା ଜଣାପଡ଼ିଛି । ବ୍ଳକ ପ୍ରଶାସନ ବେର୍ନିକା ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏବିଡିଓ କୃପାସିନ୍ଧୁ ବେହେରା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.