ରାଉରକେଲା,:ରାଉରକେଲାର ସମ୍ଭ୍ରାନ୍ତ କଳା-ସଂସ୍କୃତି ଅନୁଷ୍ଠାନ ‘ମ୍ୟୁଜିକ ସର୍କଲ’ ଆନୁକୂଲ୍ୟରେ ମାର୍ଚ୍ଚ ୧୮ରୁ ୨୨ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ମି. ସମୟରେ ବସନ୍ତ ସମାରୋହ ଅନୁଷ୍ଠାନ ପରିସରରେ ପାଳନ ହେବାକୁ ଯାଉଛି। ଏହି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ପ୍ରେସ ସଂପାଦକ ଲକ୍ଷ୍ମଣ ନାଥ ଦାସ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପାଞ୍ଚ ଦିନ ବ୍ୟାପୀ ହେବାକୁଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ।
ସମସ୍ତ କାର୍ଯ୍ୟ କ୍ରମକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୧୮ ତାରିଖ ଦିନ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ତଥା ସ୍ପ୍ରିଂ ଭେଲି ଶିଶୁ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବକୁ ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଉଦ୍ଘାଟନ କରିବେ।
ମାର୍ଚ୍ଚ ୧୯ରୁ ୨୧ ତିନିଦିନ ବ୍ୟାପୀ ବସନ୍ତ ସମାରୋହ ଉତ୍ସବକୁ ରାଉରକେଲାର ବିଧାୟକ ତଥା ଅନୁଷ୍ଠାନର ଅଧ୍ୟକ୍ଷ ଶାରଦା ପ୍ରସାଦ ନାୟକ ଉଦଘାଟନ କରିବେ। ଏହି ସମାରୋହରେ ସ୍ଥାନୀୟ ତଥା ବହିରାଗତ ସ୍ୱନାମଧନ୍ୟ କଳାକାର ମାନଙ୍କ ଦ୍ଵାରା ନୃତ୍ୟ-ସଙ୍ଗୀତ କାର୍ଯ୍ୟକ୍ରମରେ ଉତ୍ସବ ମୁଖରିତ ହେବ। ଏହି ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ବି.ବୁଦ୍ଧପ୍ରସାଦ ରାୟଙ୍କୁ ‘ବସନ୍ତ ସମ୍ମାନ-୨୦୨୩’, ବିଶିଷ୍ଟ ନାଟ୍ୟକାର ପ୍ରଫେସର ଡ଼ଃ ସମର ମୁଦାଲିଙ୍କୁ ମୁକ୍ତିକାନ୍ତ ନାଟ୍ୟ ସମ୍ମାନ -୨୦୨୩ ଏବଂ ବିଶିଷ୍ଟ କବୟିତ୍ରୀ ଅଙ୍ଗୁର
ବାଳା ପରିଡ଼ାଙ୍କୁ ‘ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନ -୨୦୨୩’ରେ ସମ୍ମାନିତ କରାଯିବା ସହ ପୂର୍ବରୁ ଅନୁଷ୍ଠିତ ନୃତ୍ୟ- ସଙ୍ଗୀତ ପ୍ରତିଯୋଗିତାର ବିଜେତା ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ।
ମାର୍ଚ୍ଚ ୨୨ତାରିଖ ଦିନ ବାସନ୍ତୀକା ସାହିତ୍ୟ ସମାରୋହ ସହ ବହୁଭାଷୀ କବିତା ପାଠ ଉତ୍ସବକୁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଉଦ୍ଘାଟନ କରିବାସହିତ ‘କବିତାର ଅହମିକା’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିବେ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତାପ କୁମାର ରାୟ, ବିବେକାନନ୍ଦ ପଣ୍ଡା, ସ୍ନେହଲତା ନାୟକ, ସନ୍ତୋଷ କୁମାର ମଲ୍ଲିକ, କିଶୋର କୁମାର ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମରେ ସହାୟତା କରିଥିଲେ।
ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ମି. ସମୟରେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ କଳାକାର ମାନଙ୍କୁ ଉତ୍ସାହିତ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.