ଜିଲ୍ଲା ସ୍ତରୀୟ ମହିଳା ଦିବସ ସମାରୋହ : ରାଷ୍ଟ୍ର ଗଠନରେମହିଳା ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଛତ୍ରପୁର : ମହିଳା ମାନେ ଅବଳା କିମ୍ବା ଦୁର୍ବଳା ନୁହନ୍ତି, ବରଂ ସେମାନେ ସର୍ବଂସହା ମାତା ଧରିତ୍ରୀ ପରି । ସେ ଅସାଧାରଣ , ସେ ଧୈର୍ଯ୍ୟ, ସାହସ ଓ ସୃଜନଶୀଳତାର ପ୍ରତିରୂପ । ନାରୀ ମାନଙ୍କ ସାମଗ୍ରୀକ ବିକାଶ ଓ ସେମାନଙ୍କର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗତକାଲି ଅର୍ଥାତ ୯ ତାରିଖ ଦିନ ଜିଲ୍ଲା ପରିଷଦ ଗଞ୍ଜାମ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କିର୍ତ୍ତୀ ଭାସନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମହିଳା ମାନେ ରାଷ୍ଟ୍ର ଗଠନର ମୁଖ୍ୟ କର୍ଣ୍ଣଧାର । ମହିଳା ମାନଙ୍କର ବିନା ପ୍ରଗତିରେ ଦେଶର ପ୍ରଗତି ହୋଇ ପାରିବ ନାହିଁ । ମହିଳା ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ଆମ ସମସ୍ତଙ୍କର ଦାୟୀତ୍ବ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି ଯୋଗ ଦେଇ କହିଥିଲେଯେ, ମହିଳା ମାନଙ୍କୁ ସବୁକ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଦେବା ଓ ମହିଳା ମହିଳା ମାନେ ଯେପରି ସ୍ବାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେଥିପ୍ରତି ଆମେ ସମସ୍ତେ ମିଳିମିଶି କାମ କରିବା ଉଚିତ । ଏହି ଅବସରରେ ବିଗତ ଦିନ ମାନଙ୍କରେ ମହିଳା ମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
ବୈଠକର ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ସ୍ବାଗତ ଭାଷଣ ଦେବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ବୈଠକକୁ ସଂଚାଳନା କରିଥିଲେ । ଏହି ଅବସରରେ ୨୦୨୨-୨୩ ରେ ଉତ୍ତମ କାର୍ଯ୍ୟ ପାଇଁ ବେଷ୍ଟ ସିଡିପିଓ, ବେଷ୍ଟ ସୁପରଭାଇଜର୍, ବେଷ୍ଟ ଅଙ୍ଗନଓ୍ବାଡି କର୍ମୀ, ବେଷ୍ଟ କିଶୋର କିଶୋରୀ ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ମାନୀତ କରାଯାଇଥିଲା । ପରିଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମର ଗଞ୍ଜାମ ଜିଲ୍ଲା ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନଓ୍ବାଡି କର୍ମୀ, ଚାଇଲଡ୍ ଲାଇନ୍, ସଖୀ ଓ୍ବାନ ଷ୍ଟପ୍ ସେଣ୍ଟର ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.