ବ୍ରହ୍ମପୁର : ଆମ ଜୀବନରେ ଥିବା ପ୍ରତି ଲୋକଙ୍କର ଏକ ବିଶେଷ ସ୍ଥାନ ରହିଥାଏ । ବିଶେଷ କରି ମହିଳାମାନେ ଆମ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କେବେ ମା’ ଭାବରେ, କେବେ ଭଉଣୀ ଭାବରେ ଓ କେବେ ଜଣେ ପତ୍ନୀ ଭାବରେ । ପୁରା ବିଶ୍ୱରେ ମହିଳାମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରତି ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସାମାଜିକ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।
ବ୍ରହ୍ମାନଗରର ତୃତୀୟ ଲାଇନ୍ ସ୍ଥିତ ମା’ ତାରାତାରିଣୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥିଙ୍କ ଗହଣରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ ସହ କେକ୍ କଟିଙ୍ଗ୍ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଅତିଥି ରୂପେ ସମାଜସେବୀ ବନ୍ଦିତା ତ୍ରିପାଠୀ, ୨୪ ନମ୍ବର ବିଏମ୍ସି କର୍ପୋରେଟର୍ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, କର୍ପୋରେଟର୍ ସୋନାଲି ଗନ୍ତାୟତ ଓ ବ୍ରିଗେଡିୟର୍ ଅଶୋକ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ । ସମସ୍ତ ମହିଳାଙ୍କୁ ସ୍ୱାଭିମାନୀ ହେବାକୁ ଗୁରୁତ୍ୱ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ.ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ୱର ମଙ୍ଗଳ କରିବାକୁ ଚେଷ୍ଟା କରିବା ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ମହିଳା ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଚର୍ଚ୍ଚିକା ଦାଶ ଓ ଶୁଭ୍ରାଂଶୀ ମହାରଣା ଉଦ୍ଘୋଷକ ରୂପେ କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟଙ୍କ ଦ୍ୱାରା ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିର କ୍ରାନ୍ତି ଅନୁଷ୍ଠାନର ସହ ନିର୍ଦ୍ଦେଶକ ସଞ୍ଜୟ କୁମାର ରଥ, ନିର୍ମଳା ଦାଶ, ଅରୁଣ ପଟ୍ଟନାୟକ, ସ୍ନିଗ୍ଧାରାଣୀ ମହାରଣା, ଲକ୍ଷ୍ମୀ ପଣ୍ଡା, ଆରତୀ ପଟ୍ଟନାୟକ, ଗୀତା ସାହୁ, ମନୋଜ ସାହୁ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.