ସୁନ୍ଦରଗଡ଼ (୨୭/୦୨) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।
ଏହି ଜନଶୁଣାଣିରେ କୁତ୍ରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଜନସାଧାରଣ ଯୋଗ ଦେଇଥିଲେ। ଏଥିରେ ମୋଟ ୧୧୨ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜନଶୁଣାଣି ସ୍ଥଳରେ ହିଁ ୩୦ଟି ଅଭିଯୋଗର ସମାଧାନ କରାଯାଇଥିଲା।
ଅନ୍ୟ ଅଭିଯୋଗଗୁଡ଼ିକର ବିଚାରକରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କୁତ୍ରା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ଲୋକମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ସେଥିମଧ୍ୟରେ ଜମିଜମା ସଂକ୍ରାନ୍ତୀୟ, ନିଯୁକ୍ତି, ପୋଖରୀ ମରାମତି ଓ ନୂତନ ପୋଖରୀ ଖନନ, ରାସ୍ତା ମରାମତି, ପ୍ରଦୂଷଣ ନିୟନ୍ତ୍ରଣ, କୁତ୍ରା ବସଷ୍ଟାଣ୍ଡରେ ଟ୍ରାଫିକ ସମସ୍ଯା, ୱାଡି ପ୍ରକଳ୍ପର ରକ୍ଷଣାବେକ୍ଷଣ, ମୋବାଇଲ ଟାୱାର ସ୍ଥାପନ, ଷ୍ଟ୍ରିଟ ଲାଇଟ ବ୍ଯବସ୍ଥା , ବିର୍ସା ମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖେଳପଡିଆ ନିର୍ମାଣ ଆଦି ରହିଥିଲା।
ଏହି କାର୍ଯ୍ୟକ୍ରମ ବେଳେ ୫ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଏହି ଜନଶୁଣାଣିରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ଦାଶରଥି ସରାବୁ, ଡେପୁଟି କଲେକ୍ଟର କୁନ୍ତୀ ରାଣୀ ନାଏକ, କୁତ୍ରା ତହସିଲଦାର ମାନସୀ ନାଏକ, ବିଡିଓ ରବୀନ୍ଦ୍ର କୁମାର ସେଠୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।