ଦକ୍ଷିଣ ଓଡିଶା ବିକାଶ ପରିଷଦ ଓ ଘୁମୁସର ଜିଲ୍ଲା ଗଠନ ଦାବୀ…

ବ୍ରହ୍ମପୁର : ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଶେଷ ବଜେଟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ସ୍ୱତନ୍ତ୍ର ଭାବେ ୩୨୫କୋଟି ଟଙ୍କା ଅନୁଦାନ ଘୋଷଣା ଏକ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଉଦ୍ଧିଷ୍ଟ ଓ ଏହା ଆଞ୍ଚଳିକ ବୈଷମ୍ୟତା ସୃଷ୍ଟି କରିବା ସହ ବିକାଶ ମୂଳକ କାର୍ଯ୍ୟରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଛି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଦୃଢ଼ ଅଭିଯୋଗ କରିଛନ୍ତି l ସୂଚନା ଯୋଗ୍ୟ ଯେ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଓ ଅନୁଗୁଳର ଆଠମଲ୍ଲିକ ସବଡ଼ିଭିଜନ ଆଦି ୧୦ଗୋଟି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନତି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଚଳିତ ବର୍ଷ ବଜେଟରେ ୩୨୫କୋଟି ଟଙ୍କା ଅନୁଦାନ ଦେଇଛନ୍ତି, ଅଥଚ ଦୀର୍ଘ ୩୦ବର୍ଷରୁ ଦାବୀ ହୋଇଆସୁଥିବା ସ୍ୱତନ୍ତ୍ର ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ବର୍ତମାନ ପର୍ଯ୍ୟନ୍ତ ସରକାର ଘୋଷଣା କଲେ ନାହିଁ l ୧୯୯୮ମସିହାରେ ପରିଷଦକୁ ସ୍ୱତନ୍ତ୍ର ୫ଲକ୍ଷ ଟଙ୍କାର ଅନୁଦାନ ମିଳିବା ଆରମ୍ଭ ହୋଇ ବର୍ତମାନ ତାହା ବାର୍ଷିକ ୩୨୫କୋଟି ଟଙ୍କା ଅନୁଦାନ ମିଳିବାରେ ପହଁଚିଛି ଓ ଏଥିସହ ୨୦୨୨ସୁଦ୍ଧା ୩୯୯୫୯ଟି ନୂତନ ପ୍ରକଳ୍ପ ମଂଜୁର ହୋଇ ସେଥିରୁ ୯୦%ପ୍ରକଳ୍ପ ସମ୍ପୂର୍ଣ ମଧ୍ୟ ହୋଇଛି l ଓଡିଶାର ୩୦ଟି ଜିଲ୍ଲାରୁ ମାତ୍ର ୧୦ଗୋଟି ଜିଲ୍ଲା ପ୍ରତି ଅହେତୁକ ଅନୁଦାନ ରାଶି ଘୋଷଣା ଓ ଅନ୍ୟ ଅନୁନ୍ନତ ଜିଲ୍ଲାଗୁଡିକ ପ୍ରତି ପାତରଅନ୍ତର କରିବା ନିଶ୍ଚିତ ଭାବେ ଓଡିଶାର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରୁଛି l ଏହାର ଫଳ ସ୍ୱରୂପ ଦକ୍ଷିଣ ଓଡିଶାର ଅନେକ ଜିଲ୍ଲା ଦୀର୍ଘ ବର୍ଷରୁ ଅନୁନ୍ନତ ଅବସ୍ଥାରେ ରହିଛି l ଦକ୍ଷିଣାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଏହିପରି ସଂକୀର୍ଣ୍ଣ ଦୃଷ୍ଟି ଦ୍ୱାରା ଏହି ବୃହତ ଅଂଚଳକୁ ପୋଲିଓ ରୋଗ ଗ୍ରାସ କଲା ସଦୃଶ୍ୟ ହୋଇଛି l ଏଣୁ ଏଭଳି ବୈମାତୃକ ମନୋଭାବ ରାଜ୍ୟ ସରକାର ବନ୍ଦ କରି ତୁରନ୍ତ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରିବାପାଇଁ ଶ୍ରୀ ଗୟା ଦାବୀ କରିଛନ୍ତି l ସେହିପରି ଦୀର୍ଘ 30ବର୍ଷରୁ ଦାବୀ ହୋଇ ଆସୁଥିବା ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନକୁ ରାଜ୍ୟ ସରକାର ଅଣଦେଖା କରି ଆସୁଛନ୍ତି l ପ୍ରାୟ ୧୬ଲକ୍ଷରୁ ଉର୍ଧ୍ଵ ଜନସାଧାରଣ ବାସ କରୁଥିବା ଭଞ୍ଜନଗର ଉପଖଣ୍ଡରେ୮ଟି ବ୍ଲକ,୮ଟି ତହସିଲ,୫ଟି ଏନଏସି,୧୩ଟି ଥାନା ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସବୁ ରହିଛି l କିନ୍ତୁ ବର୍ତମାନର ଜିଲ୍ଲା ମୁଖ୍ୟାଳୟ ଥିବା ଛତ୍ରପୁର ସଦର ମହକୁମା ଏହି ଭଞ୍ଜନଗର ଠାରୁ ୧୧୦କିମି ଭଳି ଦୀର୍ଘ ଖର୍ଚ୍ଚ ବହୁଳ ରାସ୍ତା ହେତୁ ଭଞ୍ଜନଗର ଉପଖଣ୍ଡର ଅଧିବାସୀଙ୍କ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି l ନ୍ୟାୟ ପାଇବାପାଇଁ ନିରୀହ ଜନତା ବହୁ କଷ୍ଟର ସମ୍ମୁଖୀନ ହେଉଛନ୍ତି l ଏହି ଉପଖଣ୍ଡ ଏକ ବୃହତ ଅଞ୍ଚଳ ଓ ଦୀର୍ଘ ବର୍ଷରୁ ଏଠାକାର ବହୁ ଆଦିବାସୀ ଅଂଚଳ ଅନୁନ୍ନତ ଅବସ୍ଥାରେ ରହିଛି l ଶିକ୍ଷା, ସ୍ୱାସ୍ଥ୍ୟ,କୃଷି, ବାଣିଜ୍ୟ, ସାମାଜିକ ଭିତ୍ତିଭୂମି, ଯୋଗାଯୋଗ ଓ ଗମନାଗମନ ଆଦିରେ ଏହି ଅଂଚଳ ବହୁ ପଛରେ ରହିଛି,ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବିକାଶ ମୂଳକ ପଦକ୍ଷେପ ସ୍ୱରୂପ ଏହି ଉପଖଣ୍ଡକୁ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଘୋଷଣା କରିବା ନିହାତି ଆବଶ୍ୟକତା ରହିଛି ବୋଲି ଆବାହକ ଅବନୀ ଗୟା ମତବ୍ୟକ୍ତ କରିଛନ୍ତି l

nis-ad
Leave A Reply

Your email address will not be published.