ସୁଲଭ ମୂଲ୍ୟରେ ଘରୋଇ ସାମଗ୍ରୀ ବିଜ୍ଞାପନ ଲୋଭରେ ହରାଇଲେ ଲକ୍ଷାଧିକ ଟଙ୍କା…

ହିଞ୍ଜିଳିକାଟୁ,୨୧ା୨: ସୁଲଭ ମୂଲ୍ୟରେ ଘରୋଇ ସାମଗ୍ରୀ କିଣିବା ବିଜ୍ଞାପନର ମୋହରେ ପଡ଼ି ଗଂଜାମ ଜିଲା ହିଞ୍ଜିଳିକାଟୁ ଥାନାସାହିର ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କାର ଠକାମୀର ଶିକାର ହୋଇଛନ୍ତି । ଫେସବୁକ, ହ୍ୱାଟ୍ସଅପ ସହ ଅନ୍ୟାନ୍ୟ ସୋସିଆଲ ମିଡ଼ିଆରେ ସରକାରୀ ଚାକିରୀରେ ବଦଳି ହୋଇଯିବାରୁ ବ୍ୟବହୃତ ବହୁ ଘରୋଇ ସାମଗ୍ରୀ ଶସ୍ତା ଦରରେ ବିକ୍ରୀ କରିବାକୁ ମିଛ ବିଜ୍ଞାପନ ଦେଇ ନିରୀହ ଲୋକଙ୍କୁ ଠକୁଥିବା ଅଭିଯୋଗ ହେଉଛି । ଠିକ ସେହିପରି ଅନ୍ୟ ଏକ ଠକ ସୁଲଭ ମୂଲ୍ୟରେ ଆସବାବପତ୍ର ବିକ୍ରୀ କରିବା ଲୋଭ ଦେଖାଇଥିଲେ । ହିଂଜିଳିକାଟୁ ଥାନାସାହିର କୁମୁଦ ରଂଜନ ପାଢ଼ୀ ତାଙ୍କର ବ୍ଳକ କଲୋନୀ ଅଂଚଳର ଜଣେ ପରିଚିତ ବ୍ୟକ୍ତି ଶରତ ସାହୁଙ୍କ ଠାରୁ ସୁଲଭ ଦରରେ ଘରୋଇ ପ୍ରଦାନ କରୁଥିବା ଜଣେ ବ୍ୟକ୍ତିଙ୍କ ଠିକଣା ସଂଗ୍ରହ କରିଥିଲେ । ଉକ୍ତ ବ୍ୟକ୍ତିଙ୍କ ସହ କଥାବାର୍ତା ପରେ କୁମୁଦ କିଛି ଘରୋଇ ସାମଗ୍ରୀ ସୁଲଭ ମୂଲ୍ୟରେ କିଣିବା ନିମନ୍ତେ ଇଛା ପ୍ରକାଶ କଲେ । ଏଥି ପାଇଁ ଉକ୍ତ ବ୍ୟକ୍ତିଙ୍କ କହିବା ପ୍ରକାରେ ଗତ ୧୩ତାରିଖରେ ମଧ୍ୟପ୍ରଦେଶ ବାରୱାନୀର ଏଚଡ଼ିଏଫସି ବ୍ୟାଙ୍କ ଶାଖାରେ ଥିବା ରିତିକ କୁମାରଙ୍କ ଆକାଉଂଟକୁ ନିଜର ଓ ତାଙ୍କ ପରିବାରର ଅନ୍ୟ ୩ଜଣଙ୍କ ଆକାଉଂଟରୁ ୧ଲକ୍ଷ ୧୬ହଜାର ୫ଶହ ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ଉକ୍ତ ବ୍ୟକ୍ତି ଆଉ ମୋବାଇଲରେ ଉତର ଦେଲେ ନାହିଁ କି କୁମୁଦଙ୍କ ସହ ଯୋଗାଯୋଗ କଲେ ନାହିଁ । କଥାବାର୍ତା ପ୍ରକାରେ ଆସବାବପତ୍ର ମଧ୍ୟ କୁମୁଦଙ୍କ ପାଖକୁ ଆଉ ଆସିଲା ନାହିଁ । କୁମୁଦ ଠକାମୀର ଶିକାର ହୋଇଥିବା ଜାଣି ପାରି ହିଂଜିଳି ଥାନାରେ ସୋମବାର ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.