ଆଦିବାସୀ ମେଳା : ଶାସକଦଳର ବିଜ୍ଞାପନ ଲାଗି ଆଦିବାସୀଙ୍କ ଜନଜୀବନର ବ୍ୟବହାର !

ଭୁବନେଶ୍ୱର (୨୧/୦୨) : କରୋନାର ପ୍ରାଦୁର୍ଭାବ କାରଣରୁ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ ଏହି ବର୍ଷର ଆରମ୍ଭରେ ରାଜଧାନୀର ଆଦିବାସୀ ପଡ଼ିଆରେ ପଡ଼ିଛି ଆଦିବାସୀ ମେଳା । ଯଦିଓ ବିଗତ ସମୟରେ ଏହି ମେଳା ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଥିବାରୁ ପ୍ରଶ୍ନବାଣରେ ଅପଦସ୍ଥ ହୋଇଥିବା ରାଜ୍ୟ ସରକାର ଏହି ବର୍ଷ କିନ୍ତୁ ଖୁବ୍ ଜାକଜକମରେ ଆୟୋଜନ କରାଯାଇଛି ଆଦିବାସୀ ମେଳା । ରାଜ୍ୟର ଅନେକ ପ୍ରାନ୍ତରୁ ଅନେକ ମଡେଲ ଅନେକ ଘରୋଇ ଉପକରଣ ଅନେକ ଘର ସଜାଇବା ଜିନିଷ ସମେତ ଆଦିବାସୀ ଜନଜୀବନର ମଡେଲ । ତେବେ ମଡେଲ ଗୁଡ଼ିକ ଭିତରେ ନିଶ୍ଚିତ ଭାବେ ଚିନ୍ତା ପ୍ରକଟ କରିବା ଭଳି ଜିନିଷ ହେଲା ରାଜ୍ୟର ଶାସକ ଦଳର ବିଜ୍ଞାପନ । କୁଡ଼ିଆ ସାମ୍ନାରେ ଥିବା ଛୋଟ ଛୋଟ ଜରି ବ୍ୟାଗରେ କାନ୍ଦୂଲ, ଜନା, ମାଣ୍ଡିଆ ଓ ସୁଆଁ ଭଳି ଛୋଟ ଛୋଟ ଅକ୍ଷରରେ ଦର୍ଶିତ ଖାଦ୍ୟ ସାମଗ୍ରୀ ଥିବା ବେଳେ ଅନାବଶ୍ୟକ ଭାବେ ରହିଥିବା ଅପେକ୍ଷାକୃତ ଖୁବ୍ ବଡ଼ ଆକାରର ବିଜୁ ସ୍ବାସ୍ଥ୍ୟ କାର୍ଡ । ଏହି ପରିପ୍ରେକ୍ଷୀରେ ଆଦିବାସୀ ମେଳା ବାସ୍ତବରେ ଆଦିବାସୀ କୈନ୍ଦ୍ରିକ ନା ଶାସକ ଦଳ କୈନ୍ଦ୍ରିକ ତାହା ନିଶ୍ଚିତ ଭାବେ ସମୀକ୍ଷା ଉପଯୋଗୀ ।
ଅପରପକ୍ଷରେ ସଂସ୍କୃତିକରଣର ଜ୍ୱଳନ୍ତ ଦୃଷ୍ଟାନ୍ତ ସୃଷ୍ଟି କରିଛି ଏହି ଆୟୋଜନ । ଆଦିବାସୀ ସଂସ୍କୃତିରେ ତୁଳସୀ ଚଉରା , ଧୂପ , ଦୀପକୁ ଅତର୍କିତ ଭାବେ ପ୍ରବେଶ , କେଉଁଠି ନା କେଉଁଠି ଗଇରିକୀକରଣ ଆଡ଼କୁ ଅଙ୍ଗୁଳିଚାଳନା କରୁଛି । ପ୍ରଥମତଃ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ଆଗମନ ପରେ ପରେ ଆଦିବାସୀଙ୍କୁ ବନବାସୀର ରୂପରେଖ ଦେବା ଠାରୁ ଆରମ୍ଭ କରି ସଂସଦରେ ଓଡ଼ିଆ ସାଂସଦ ସପ୍ତଗିରି ଉଲକାଙ୍କ ଉପସ୍ଥାପିତ ଆଦିମ ଅଧିବାସୀର ଯୁକ୍ତି ପର୍ଯ୍ୟନ୍ତ ଅନୁଶୀଳନରୁ ସ୍ପଷ୍ଟ ଯେ ଆଦିବାସୀ ହିନ୍ଦୁ ନୁହନ୍ତି । ଏଭଳି ଏକ ଆରୋପ ପ୍ରତ୍ୟାରୋପ ମଧ୍ୟରେ କେଉଁଠି ନା କେଉଁଠି ଆଦିବାସୀ ସଂସ୍କୃତି , ପରମ୍ପରା , ଅସ୍ମିତା ସେ ସମସ୍ତ ବିଷୟକୁ ଜଳାଞ୍ଜଳି ଦେଇ ଆଦିବାସୀଙ୍କ ହିନ୍ଦୁକରଣ ପ୍ରକୃତରେ ଶାସକ ଗୋଷ୍ଠୀଙ୍କ ଚକ୍ରାନ୍ତ ହିଁ କୁହାଯାଇପାରେ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜାଣିବାକୁ ମିଳୁଛି ଯେ , ଗୋଟିଏ ପଟେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଆଦିମ ଜନଜାତିଙ୍କ ସହ ସେମାନଙ୍କ ବେଶଭୂଷାର ସୌଜନ୍ୟ ମୂଳକ ଦୃଷ୍ଟାନ୍ତ ପ୍ରତିପାଦନ ହେଉଥିବା ବେଳେ ସମାନ୍ତରାଳ ଭାବେ ଠିକ୍ ଦୁଇ ଦିନ ପୁର୍ବରୁ ଅର୍ଥାତ୍ ଗତ ୧୮ ଫେବୃୟାରୀରେ ନିୟମଗିରି ଡ଼ଙ୍ଗରିଆ ଆଦିବାସୀ ମାନଙ୍କ ଧାର୍ମିକ ସ୍ଥଳକୁ ସରକାରଙ୍କ ପ୍ରଚ୍ଛଦପଟ୍ଟରେ ସି.ଆର୍.ପି. ଏଫ୍. ଓ ପୋଲିସ୍ ପ୍ରଶାସନ ଦ୍ବାରା ଭଙ୍ଗା ଯିବା ନିଶ୍ଚିତ ଭାବେ କ୍ଷୋଭର କାରକ ହୋଇଛି ।

ଗୋଟିଏ ପାଖରେ ଆଦିବାସୀ ଜନଜୀବନରେ ସଲଫ,ମହୁଲି ଭଳି ରନ୍ଧା ମଦ ଏକ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ କାରଣରୁ ଆଦିବାସୀ ମେଳାରେ ସଲଫ ଗଛ , ମହୁଲ ଗଛ ତଥା ଲାଉ ତୁମ୍ବାକୁ ପ୍ରଦର୍ଶନୀ ମଧ୍ୟରେ ସ୍ଥାନ ଦେଇଥିବା ସମୟରେ ଓଡ଼ିଶାର ଅନେକ ଆଦିବାସୀ ଅଞ୍ଚଳର ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ପ୍ରମାଣ ସରକାର ଓ ଖୋଦ୍ ପ୍ରଶାସନ ହିଁ ଦେଉଛନ୍ତି । ଅବିଭକ୍ତ କୋରାପୁଟର ପ୍ରାୟ ଅଧିକାଂଶ ଆଦିବାସୀ ଅଞ୍ଚଳରେ ମହୁଲ ରନ୍ଧୁଥିବା ଆରୋପ ଆଣି ଆଦିବାସୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ହାଣ୍ଡି , ଚୁଲି ଅବକାରୀ ବିଭାଗ ଦ୍ଵାରା ଭାଙ୍ଗିବା ହେଉ ଅବା ସିଧା ସଳଖ ସଲଫ ଗଛ ନଷ୍ଟ କରିବା ସରକାରଙ୍କ ଭିନ୍ନ ଏକ ଆଭିମୂଖ୍ୟକୁ ସ୍ପଷ୍ଟ କରୁଛି ।
ତେବେ ଆଦିବାସୀ ମେଳାକୁ ନେଇ ନିଜ କ୍ଷୋଭ ପ୍ରକାଶ କରି ଅଖିଳ ଭାରତ ଛାତ୍ର ସଂଘ ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି ଯେ , ପ୍ରକୃତରେ ଆଦିବାସୀଙ୍କୁ ସହରକୁ ଆଣି ସେମାନଙ୍କୁ ବଜାରର ଆକ୍ରମଣର ଶିକାର କରିବା ନିମନ୍ତେ ବ୍ୟବସ୍ଥାର ଏହା ସୁନିୟୋଜିତ ଏକ ଷଡ଼ଯନ୍ତ୍ର । ଆଦିବାସୀଙ୍କ ପରମ୍ପରା ଓ ଜୀବନଶୈଳୀକୁ ନିଚ୍ଚା ଦେଖାଇ ସେମାନଙ୍କ ମଜାକ ଉଡ଼ାଇବା ନିମନ୍ତେ ତଥାକଥିତ ସଭ୍ୟ ସମାଜ ସେମାନଙ୍କୁ ବିଦ୍ରୁପ କରି ପ୍ରଦର୍ଶନ କରିବା ନିମନ୍ତେ ଏତେ ବଡ଼ ଆୟୋଜନ ଓ ଏତେ ସାରା ବିଜ୍ଞାପନ । ସରକାରଙ୍କ ପ୍ରକୃତରେ ଯଦି ଆଦିବାସୀଙ୍କ ବିକାଶର ଆଭିମୁଖ୍ୟ ରୁହନ୍ତା ତେବେ ସିଧା ସଳଖ ଉକ୍ତ ଜନଜାତିଙ୍କ କୃଷି, ଶିକ୍ଷା, ସ୍ବାସ୍ଥ୍ୟ,ପାନୀୟଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଏହି କୋଟି କୋଟି ଅର୍ଥରାଶି ବ୍ୟୟ କରିଥିଲେ ସେମାନଙ୍କ ଜୀବନ ଶୈଳୀରେ ହୁଏତ କିଛି ସୁଧାର ଆସି ପାରନ୍ତା । ଆଦିବାସୀ କଳା , ଭାଷା , ସଂସ୍କୃତି , ଲୋକନୃତ୍ୟ ଓ ପରମ୍ପରା ଆଦିକୁ ପ୍ରାଧାନ୍ୟ ଦେଇ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧ କରିବା ପରିବର୍ତ୍ତେ ବିଦ୍ୟାଳୟ ସମିଶ୍ରଣ ନାଁରେ ଆଦିବାସୀ ଅଞ୍ଚଳରେ ହଜାର ହଜାର ବିଦ୍ୟାଳୟ ବନ୍ଦ୍ ଜରିଆରେ ବେସରକାରୀ ଅନୁଷ୍ଠାନ ମୁହାଁ କରାଇ କିସ୍ ଭଳି ଶିକ୍ଷାର ବ୍ୟବସାୟ କେନ୍ଦ୍ର ମାନଙ୍କ ଲାଭ ଓ ଲୋଭ ଚରିତାର୍ଥ ନିମନ୍ତେ ଆଦିବାସୀଙ୍କୁ ଆଦିବାସୀତ୍ୱରୁ ବଞ୍ଚିତ କରିବା ବାସ୍ତବରେ ଉକ୍ତ ଜନଜାତିଙ୍କ ପ୍ରତି ବ୍ୟବସ୍ଥାରେ ରହିଥିବା ବିକାରର ପ୍ରତିଫଳନ । ଏହା ଛଡ଼ା ରାଜ୍ୟରେ ଜଳ,ଜଙ୍ଗଲ,ପ୍ରାକୃତିକ ସମ୍ପଦ ଓ ଜମି ସୁରକ୍ଷା ପାଇଁ ଅହରହ ସଂଘର୍ଷ ଜାରି ରଖିଥିବା ସରଳ ଏବଂ ନିରୀହ ଦଳିତ ଆଦିବାସୀ ମାନଙ୍କୁ ମିଥ୍ୟା ମକୋଦ୍ଦମାରେ ଗିରଫ ତଥା ମାଓବାଦୀ ଆଖ୍ୟା ଦେଇ ହତ୍ୟା କରୁଥିବା ବ୍ୟବସ୍ଥା ଦ୍ଵାରା ଆୟୋଜିତ ଏହି ଆଦିବାସୀ ମେଳା ସେମାନଙ୍କ ପ୍ରତି ଉପେକ୍ଷା ଓ ପ୍ରହସନ ବୋଲି କହିଛନ୍ତି ।
ଏହା ଛଡ଼ା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ଯେ ଆଦିବାସୀ ମେଳା ପ୍ରକୃତରେ କାହା ସ୍ୱାର୍ଥରେ !! ରାହୁ ପୁଞ୍ଜିପତି ନା ସରକାରୀ ବିଜ୍ଞାପନ ନା ସହରୀ ଲୋକଙ୍କ ମନୋରଞ୍ଜନ ନା ଆଦିବାସୀଙ୍କ ବିକାଶ ନାଁରେ ବଜାର ମୁହାଁ କରିବା ? ଶେଷରେ ଦେଖିବାକୁ ବାକି ରହିଲା ସରକାରୀ ବିଜ୍ଞାପନ ଭିତରେ ପ୍ରକୃତରେ ଆଦିବାସୀଙ୍କୁ ବ୍ୟବହାର ପାଇଁ ଆଜି ସମୟର ଏହି ଆଦିବାସୀ ମେଳା ନା ଆଦିବାସୀଙ୍କ ବିକାଶ ନିମନ୍ତେ ଏହି ଆଡମ୍ବର ପୂର୍ଣ୍ଣ ଆୟୋଜନ ।

nis-ad
Leave A Reply

Your email address will not be published.