ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କଲା ବିରୋଧୀ ଦଳ ବିଜେପି । ଅଭିଭାଷଣ ଚାଲିଥିବା ବେଳେ କକ୍ଷ ତ୍ୟାଗ କଲେ ବିଜେପି ସଦସ୍ୟ । ବିଧାନସଭା କକ୍ଷ ପ୍ରବେଶ ପଥରେ ବିଜେପି ସଦସ୍ୟଙ୍କ ଧାରଣା । ହାତରେ ବିଭିନ୍ନ ଫ୍ଲାକାର୍ଡ ଧରି ଧାରଣାରେ ବସିଲେ ବିଜେପି ସଦସ୍ୟ ।
ଦୂର ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା କକ୍ଷପଥରେ ହାତରେ ପ୍ଲାକାର୍ଡ ଧରି ଧାରଣା ଦେଇଛନ୍ତି। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆମେ ସିବିଆଇ ତଦନ୍ତ ଦାବି କରିଥିଲୁ, ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଉଥିବାରୁ ଆମେ କକ୍ଷତ୍ୟାଗ କରିଛୁ।
ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ଛିଡ଼ା ହୋଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ପ୍ରତିବାଦ କରିବା ସହ ହଟ୍ଟଗୋଳ କରୁଥିବାର ଦେଖିବାକୁ ମିଳିଥିଲା। ନବ ଦାସ ହତ୍ୟାକାଣ୍ଡର ପର୍ଦାଫାସ କରା ନ ଯିବା ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଦର୍ଶାଇ ପ୍ରଥମେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ। ଠିକ୍ ସେହିପରି କଂଗ୍ରେସ ସଦସ୍ୟମାନେ ବି କକ୍ଷତ୍ୟାଗ କରିଛନ୍ତି।
ଏଣେ ବିଧାନସଭା ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଗୃହରେ ବିରୋଧୀଙ୍କୁ କାଉଣ୍ଟର ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା।