ଭୁବନେଶ୍ବର : କୃଷିର କୌଣସି ବିକଳ୍ପ ନାହିଁ। ପ୍ରଯୁକ୍ତି ଅନେକ ଅସାଧ୍ୟ ସାଧନ କରିପାରୁଥିଲେ ମଧ୍ୟ ଫୁଲଟିଏ ଫୁଟାଇ ପାରିବ ନାହିଁ। କୃଷିଠାରୁ ହିଁ ସଭ୍ୟତାର ଆରମ୍ଭ ହୋଇଛି। ଧର୍ମ, ପରମ୍ପରା, ଐତିହ୍ୟ, ଜୀବନଶୈଳୀ, ଜୀବନବୋଧ ଏବଂ ଦୃଷ୍ଟି ଓ ଦର୍ଶନର କେନ୍ଦ୍ରରେ ରହିଛି କୃଷି। ଚାଷୀଙ୍କ ସହ ଅନ୍ୟାୟ କରୁଥିବା ବ୍ୟକ୍ତି ଜଗନ୍ନାଥଙ୍କ ସହ ଅନ୍ୟାୟ କରୁଛନ୍ତି। କୃଷି ଓଡ଼ିଶା-୨୦୨୩ର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ।
ଶ୍ରୀ ଲାଲ ଆହୁରି କହିଲେ ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ମଣିଷ ପାଇଁ ସବୁଠାରୁ ବଡ଼ ଆହ୍ବାନଭରା କାମ ଭାବେ ଉଭା ହୋଇଛି। ଏହାଦ୍ବାରା ଚାଷ ଏବଂ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ମୁକାବିଲା ପାଇଁ ମାନବ ସମାଜ ସଂଗଠିତ ହେବା ଆବଶ୍ୟକ। ନୂତନ ଜ୍ଞାନକୌଶଳ, ଚିନ୍ତା, ଚେତନାର ପ୍ରୟୋଗରେ ଏହାକୁ ରୋକା ଯାଇପାରିବ ବୋଲି ସେ ଆଶା କରିଛନ୍ତି।
ସମ୍ମାନିତ ଅତିଥି ମହିଳା ଓ ଶିଶୁ ବିକାଶ, ମିସନ୍ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟରେ ନିୟୋଜିତ କରାଯାଇ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କୃଷି ଗବେଷଣାଲବ୍ଧ ଜ୍ଞାନକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ‘କୃଷି ଓଡ଼ିଶା’ ଏକ ସଫଳ ପ୍ରୟାସ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ୨୦୧୩ ମସିହାରେ ୭ ହଜାର କୋଟିରେ ଥିବା କୃଷି ବଜେଟ୍ ଏବେ ୨୧ ହଜାର କୋଟିରେ ପହଞ୍ଚିଲାଣି। କିନ୍ତୁ କୃଷି ବାବଦରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଦିଆଯାଉଥିବା ଆବଣ୍ଟିତ ଅର୍ଥ କମିବାରେ ଲାଗିଛି। ଆଗାମୀ ଦିନରେ କୃଷି ବଜେଟ୍ ଆହୁରି ବୃଦ୍ଧି ପାଇଁ ଦୃଷ୍ଟି ଦିଆଯିବ। ବର୍ତ୍ତମାନ ସରକାର କୃଷି ଯନ୍ତ୍ରପାତି ଉପରେ ୪୦ରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ଏପରିକି ମହିଳା ଫେଡରେସନ୍କୁ ଶତପ୍ରତିଶତ ରିହାତି ମଧ୍ୟ ଦିଆଯାଉଛି।
ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଫସଲର ବିବିଧିକରଣ, କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ପ୍ରାଥମିକତା ଦିଆଯାଉଥିବା କହିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ‘ଫିକି’ର ଜାତୀୟ କୃଷି କମିଟିର ଅଧ୍ୟକ୍ଷ ଟି.ଆର୍, କେଶବନ୍ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଉତ୍ସବ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ପ୍ରାଣୀପାଳନର ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଚାଷୀଙ୍କ ସହ ଆଲୋଚନା କରିପାରୁଥିବା ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତା ଚାଳିତ କୃଷିଭିତ୍ତିକ ସ୍ମାର୍ଟ ଚାଟବଟ୍ ‘ଆମ କୃଷ୍ଏଆଇ’କୁ ଲୋକାର୍ପିତ କରାଯାଇଥିଲା। ଏହା ଜରିଆରେ ଚାଷୀମାନେ ସରକାରଙ୍କ କୃଷି ଯୋଜନା, ଋଣ ସମେତ ୪୦ ସମବାୟ ବ୍ୟାଙ୍କ ବିଷୟରେ ଜାଣିପାରିବେ। ଦୁଇ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଚାଷୀଙ୍କ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ।