ଏସିଡ ମାଡ଼ ଘଟଣାର ପର୍ଦାଫାସ, ୨ ଗିରଫ…

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମରେ ଜଣେ ଯୁବକ ଉପରେ ଏସିଡ ମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସୁକାନ୍ତି ମୁଣ୍ଡା ଓ ମାଣ୍ଡୁଳ ମୁଣ୍ଡା । ଅନୈତିକ ସମ୍ପର୍କ ଓ ନିଶା କାରବାର ଅର୍ଥ ଭାଗବଣ୍ଟାକୁ ନେଇ ଜାନୁଆରୀ ୯ ତାରିଖ ରାତିରେ ଏସିଡ ମାଡ଼ ହୋଇଥିବା ନେଇ ଜଣାପଡ଼ିଛି । ଏଥିରେ ୨୨ ବର୍ଷୀୟ ଯୁବକ ସିକନ ପ୍ରଧାନ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ପୀଡ଼ିତ ଯୁବକଙ୍କ ପରିବାର ପକ୍ଷରୁ ଦେବଗଡ଼ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ସମୟରେ ପୀଡ଼ିତ ସିକନ ରଜାମୁଣ୍ଡା ସାହିର ସୁକାନ୍ତି ମୁଣ୍ଡା ଓ ମାଣ୍ଡୁଳ ମୁଣ୍ଡାଙ୍କ ସହ ତାଙ୍କ ଘରେ ଗଞ୍ଜେଇ କାରବାର ସହ ଅନୈତିକ ସମ୍ପର୍କ ରଖିଥିଲା ବୋଲି ଜଣାପଡ଼ିଥିଲା । ସୁକାନ୍ତିଙ୍କୁ ନିଜ ସହ ନେଇଯିବାକୁ ମଧ୍ୟ ବାଧ୍ୟକରି ଆସୁଥିଲା ।

ମାତ୍ର ସୁକାନ୍ତିଙ୍କ ସ୍ୱାମୀ ଓ ୨ ସନ୍ତାନ ଥିବାରୁ ସେ ଏଥିରେ ରାଜି ହୋଇନଥିଲେ । ଅନ୍ୟପଟେ ସୁକାନ୍ତିଙ୍କ ଝିଅ ସହ ମାଣ୍ଡୁଳର ମିଳାମିଶାକୁ ଦେଖି ସୁକାନ୍ତି ଉଭୟଙ୍କୁ ଆକଟ କରିବାରୁ ମାଣ୍ଡୁଳ ଏଥିପାଇଁ ସିକନକୁ ଦାୟୀ କରିଥିଲା । ସେହିପର ସୁକାନ୍ତିଙ୍କୁ ଗଞ୍ଜେଇ ବେପାର ଲାଭ ଅର୍ଥ ସିକନ କମ୍ ଦେଉଥିବା ଅଭିଯୋଗ କରି ତା’ କଥାରେ ରାଜି ନହେଲେ ଘଟଣା ପ୍ରଘଟ କରିବାର ଚେତାବନୀ ଦେଇଆସୁଥିଲା । ସେଥିପାଇଁ ସିକନକୁ ରାସ୍ତାରୁ ହଟାଇବା ଲାଗି ସୁକାନ୍ତି ସୁଯୋଗ ଖୋଜୁଥିଲା ।

ଏଭଳି ସ୍ଥିତିରେ ସିକନ ଓ ମାଣ୍ଡୁଳ ମଧ୍ୟରେ ତିକ୍ତତା ହୋଇଥିବା ଜାଣିବା ପରେ ମାଣ୍ଡୁଳକୁ ସୁକାନ୍ତି ନିଜ ଘରକୁ ଡାକି ସିକନ ଉପରେ ପ୍ରତିଶୋଧ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ସୁକାନ୍ତି ଘଟଣାର ପୂର୍ବଦିନରୁ ଗ୍ୟାରେଜରୁ ବ୍ୟାଟେରୀ ଏସିଡ ସଂଗ୍ରହ କରି ଚର୍ଚ୍ଚ ନିକଟସ୍ଥ ପାର୍କ ପଟକୁ ରାତିରେ ପୀଡ଼ିତ ସିକନକୁ ଡାକିଥିଲା । ସିକନ ସେଠାରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଥିବା ମାଣ୍ଡୁଳ ସିକନ ମୁଣ୍ଡରେ ଏସିଡ ଢାଳି ଫେରାର ହୋଇଯାଇଥିଲା । ଘଟଣାର ତଦନ୍ତ ପରେ ଏସିଡ ଆଟାକର ରହସ୍ୟକୁ ପୁଲିସ ପର୍ଦାଫାସ କରିଥିବାବେଳେ ଘଟଣାର ସମ୍ପୃକ୍ତ ୨ ଅଭିଯୁକ୍ତ ସୁକାନ୍ତି ଓ ମାଣ୍ଡୁଳକୁ ଗିରଫ କରିଛି ।

nis-ad
Leave A Reply

Your email address will not be published.