ବାବା ଧବଳେଶ୍ବର ପୀଠରେ ଜାରି ରହିଛି ଜାଗର ପୂଜା

କଟକ: ଆଜି ମହାଶିବରାତ୍ରି। ଦୀର୍ଘ ଦୁଇବର୍ଷ ପରେ ବିନା କରୋନା କଟକଣାରେ ଦର୍ଶନ ଦେଉଛନ୍ତି ଦେବ ଦେବ ମହାଦେବ। ବାବା ଧବଳେଶ୍ବର ପୀଠରେ ମଧ୍ୟ ଜାରି ରହିଛି ଜାଗର ପୂଜା। ବାବାଙ୍କୁ ଆଜି ବିଭିନ୍ନ ବେଶରେ ସଜାଇଛନ୍ତି ପୂଜକ। ବାବାଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଛନ୍ତି। ମନସ୍କାମନା ପୂରଣ ପାଇଁ ବାବଙ୍କ ପୀଠକୁ ଛୁଟୁଛି ଭକ୍ତଙ୍କ ସୁଅ। ସକାଳୁ ହିଁ ଭକ୍ତଙ୍କ ଆଗମନ ମନ୍ଦିର ପରିସରକୁ ଆରମ୍ଭ ହୋଇଯାଇଛି। ବାବାଙ୍କ କରୁଣା ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଝୁଲାପୋଲ ମରାମତି ଅବସ୍ଥାରେ ରହିଥିବାରୁ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ବର ପୀଠକୁ ଆସୁଛନ୍ତି। ଶଙ୍ଖ ହୁଳହୁଳି, ହରିବୋଲ, ହର ହର ମହାଦେବ ନାଦରେ କମ୍ପୁଛି ମନ୍ଦିର ପରିସର। କଟକର ସମସ୍ତ ଶୈବ ମନ୍ଦିର ମଧ୍ୟରେ ଅନ୍ୟତମ ହେଉଛନ୍ତି ବାବା ଧବଳେଶ୍ବର। ବାବା ଧବଳେଶ୍ବରଙ୍କ ପୀଠରେ ବେଶ ଆଡ଼ମ୍ବର ସହ ପାଳନ ହେଉଛି ଜାଗର।

ଆଜିର ଦିନରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗୋଟିଏ ପଟେ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ମନ୍ଦିର ପ୍ରଶାସକ ପକ୍ଷରୁ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମୟ ଗଡ଼ିବା ସହ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ଅସ୍ଥାୟୀ ରାସ୍ତାରେ ରାତ୍ରି ସମୟ ପାଇଁ ୧୫ଟି ଆସ୍କା ଲାଇଟ ମହଜୁତ ରଖାଯାଇଛି।  ଏହାଛଡ଼ା ୮ ଜଣ ମାଜିଷ୍ଟ୍ରେଟ ନିୟୋଜିତ ରହିଛନ୍ତି। ଗାଡି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେ ଦିଗରେ ଧ୍ୟାନ ରଖିଛି କଟକ ଜିଲ୍ଲା ପ୍ରଶାସନ। ବିଗତ ଦୁଇବର୍ଷ କୋଭିଡ କଟକଣା ପାଇଁ କୌଣସି ମେଳା କିମ୍ବା ଯାତ୍ରାର ଆୟୋଜନ କରାଯାଇନଥିଲା। ଚଳିତବର୍ଷ କୋଭିଡ ନଥିବାରୁ ଜାଗର ପାଳନ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ତେଣୁ ଭକ୍ତମାନେ ମଧ୍ୟ ରାତି ନପାହୁଣୁ ବାବାଙ୍କ ଦର୍ଶନ ପାଇଁ ଆସିଛନ୍ତି। କେବଳ କଟକ ନୁହେଁ, ବରଂ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହେଉଛି।

nis-ad
Leave A Reply

Your email address will not be published.