ସବଡେଗା ବ୍ଲକ୍ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

ସୁନ୍ଦରଗଡ଼ (୧୩/୦୨) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସବଡେଗା ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ବ୍ଲକ କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୧୬୬ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜନଶୁଣାଣି ସ୍ଥଳରେ ହିଁ ୭୬ଟି ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାରକରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସବଡେଗା ବ୍ଲକର ବିଭିନ୍ନ ଗାଁରୁ ଆସିଥିବା ଲୋକମାନେ ବିଭିନ୍ନ ଦାବି ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ। ସେଥିମଧ୍ୟରେ ଜମିଜମା ସଂକ୍ରାନ୍ତୀୟ ମାମଲା, ନିଯୁକ୍ତି, ଜଳସେଚନ, ଭୂମିହୀନଙ୍କୁ ଜମି ପ୍ରଦାନ, ଯମୁନା ଗ୍ରାମପଞ୍ଚାୟତରେ ଆରଓ ପ୍ଲାଣ୍ଟ ନିର୍ମାଣ ଏବଂ କୁର୍ଲା ଘାଟିରେ ଫୁଟବଲ ମିନି ଷ୍ଟାଡିୟମ ନିର୍ମାଣ, ରଣପୁର ଏବଂ ନାଗବଇଁଶୀପୁର ଗ୍ରାମରେ ବିଦ୍ୟୁତ ସଂଯୋଗୀକରଣ, ହମିରପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ହାଇସ୍କୁଲ ରୂପାନ୍ତରଣରେ ସାମିଲ କରିବା, ସୁଖାନାଳାରେ ବ୍ରିଜ ନିର୍ମାଣ ଆଦି ପ୍ରମୁଖ ଦାବି ରହିଥିଲା।

ସେହିପରି କେତେକ ହିତାଧିକାରୀ ଜମିପଟ୍ଟା, ରାସନ କାର୍ଡ ଏବଂ ଆବାସ ଯୋଜନାରେ ଘର ପାଇଁ ଦାବି କରିଥିଲେ। ଏହି ଜନଶୁଣାଣିରେ ୫ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଜନଶୁଣାଣିରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦର ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ବିଭୂତି ରାଉଳ (ଏମାଆଇଏମ ବିଭାଗ), ଉପଜିଲ୍ଲାପାଳ ଦାଶରଥି ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଡେପୁଟି କଲେକ୍ଟର କୁନ୍ତୀରାଣୀ ନାଏକ, ସବଡେଗା ଭାରପ୍ରାପ୍ତ ବିଡିଓ ସଚିଦାନନ୍ଦ ପଟେଲ, ତହସିଲଦାର ସୁମନ ମିଞ୍ଜଙ୍କ ସହ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.