ମାଲକାନଗିରି ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା…

ମାଲକାନଗିରି : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ତରଫରୁ ମାଲକାନଗିରି ସଦର ମହକୁମାର ଡି ଏନ କେ ଖେଳ ପଡ଼ିଆ ଠାରେ ପ୍ରଥମ ଥର ପାଇଁ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ପୂର୍ଣ ଚନ୍ଦ୍ର ବାକା ଓ ସମ୍ମାନୀୟ ଅତିଥି ଜିଲ୍ଲାପାଳ ବିଶାଳ ସିଂ ରିବନ କାଟି ଏହାକୁ ଉଦଘାଟନ କରିଥିଲେ । ଉନ୍ନତ ମାନର କୃଷି ଯନ୍ତ୍ରପାତି ଚାଷରେ ବ୍ୟବହାର କରି କୃଷକ କିପରି ଲାଭବାନ ହୋଇପାରିବେ ଏହି ଲକ୍ଷ୍ୟରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉନ୍ନତ କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ଓ ବିକ୍ରୟ କରିବା, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ନେଇ ସଚେତନତା କରାଇବା, ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ନିମନ୍ତେ ବିଶେଷ ରିହାତି ଏବଂ ବିକ୍ରୟର ବ୍ୟବସ୍ଥା କରିବା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ ଦେବା,ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ତତ୍କାଳିନ ବୁକିଂ ବ୍ୟବସ୍ଥା ଯୋଗାଇବା ଓ କୃଷକ ମାନଙ୍କ ପାଇଁ କୃଷି ଉପରେ ସଚେତନତା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ରେ ବିଭିନ୍ନ କୃଷିଜାତ ଦ୍ରବ୍ୟ କମ୍ପାନୀର ୪୮ ଟି ଷ୍ଟଲର ଆୟୋଜନ କରାଯାଇଥିଲା। ବିଭିନ୍ନ ଷ୍ଟଲରେ ବିଭିନ୍ନ ପ୍ରକାରର ଚାଷ ଉପକରଣ ସହ ଉତ୍ତମ ଚାଷ ପାଇଁ ବ୍ୟବହାର କରାଯାଉଥିବା ଜିନିଷ ପତ୍ର ରଖା ଯାଇଥିଲା। ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏପରି କୃଷି ଯନ୍ତ୍ରପାତି ମେଳା କୃଷକ ମାନଙ୍କ ପାଇଁ ନିହାତି ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି।

nis-ad
Leave A Reply

Your email address will not be published.