ଯନ୍ତ୍ରଚାଳିତ ଡଙ୍ଗା ଓ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ…

ଭୁବନେଶ୍ୱର: ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ଏକ ପ୍ରଧାନ ଅଙ୍ଗ ହୋଇଥିବାରୁ ମାଛଚାଷର ବିକାଶ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ସମୟୋପଯୋଗୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୪ ଗୁଣ ଅଧିକ ବୃଦ୍ଧି ପାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ବାଲେଶ୍ୱର ଆଇଟିଆଇ ପଡ଼ିଆଠାରେ ଆକ୍ୱାକଲଚର ଏକ୍ସପୋ-୨୦୨୩କୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବିଗତ ୨୦ ବର୍ଷରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପ୍ରାୟ ୧୨ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ବର୍ଷରେ ଓଡ଼ିଶାରୁ ୩୭୯ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ଚିଙ୍ଗୁଡ଼ି ଚାଷ କ୍ଷେତ୍ରରେ ଓଡ଼ିଶା ଆଶାନୁରୂପ ସଫଳତା ପାଇବା ସହିତ ବୈଦେଶିକ ମୁଦ୍ରା ଅର୍ଜନ ହୋଇପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ଉପକୂଳରୁ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ନିମନ୍ତେ ବିପୁଳ ସୁଯୋଗ ଓ ସମ୍ଭାବନାକୁ ଉପଯୋଗ କରିବା ପାଇଁ ମତ୍ସ୍ୟଚାଷୀ ଓ ମତ୍ସ୍ୟଚାଷ ଉଦ୍ୟୋଗୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଛନ୍ତି । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପଞ୍ଚାୟତ ପୋଖରୀରେ ମାଛଚାଷ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅଗ୍ରଣୀ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।

ମତ୍ସ୍ୟଜୀବୀମାନଙ୍କୁ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ସମେତ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତ । ବିଗତ ବର୍ଷରେ ବାଲେଶ୍ୱର ଜିଲ୍ଲା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିବା କଥା ମନ୍ତ୍ରୀ କହିବା ସହିତ ଆଗାମୀ ଦିନରେ ବାଲେଶ୍ୱର ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.