ଚିକିଟୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ…

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦର ୪୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଙ୍କ ସମେତ ନିମନ୍ତ୍ରିତ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ ।ଅଧ୍ୟକ୍ଷ ଡକ୍ଟର ପଣ୍ଡା ସଭାପତିତ୍ବ କରି ବିଫଳତା ରୂପକ ରୋଗ ର ବିନାଶ ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମହୋଷୌଧି ବୋଲି କହିଥିଲେ । ଓଡ଼ିଶା ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ର ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀ ଜୀବନ ଅତି ମୂଲ୍ୟବାନ ।ଏହାର ସଦୁପଯୋଗ କରି ଆଗକୁ ବଢିବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ଶିକ୍ଷାର ଭିତ୍ତିଭୂମି ଓ ଶିକ୍ଷାର ପ୍ରସାର ପାଇଁ ତତ୍କାଳୀନ ରାଜା ମହାରାଜାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ନିଜ ଅଭି ଭାଷଣରେ କହିଥିଲେ ।ସାଂସ୍କୃତିକ ପରିଷଦ ର ଉପଦେଷ୍ଟା ଡକ୍ଟର ସଞ୍ଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସହଯୋଗୀ ଉପଦେଷ୍ଟା ଅଧ୍ୟାପକ ଶ୍ରୀ ଆଶୁତୋଷ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସିମ୍ରନ୍ ମହାପାତ୍ର,ଗାୟତ୍ରୀ ପାଣିଗ୍ରାହୀ, ବୁଦ୍ଧିମତୀ କୁଣ୍ଡ, ଅବିନାଶ ମହାପାତ୍ର, ଆଦିତ୍ୟ ଦାସ ପ୍ରମୁଖ ବିଦ୍ୟାର୍ଥୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲା ବେଳେ ଚଳିତ ବର୍ଷର ଆଦର୍ଶ ବିଦ୍ୟାର୍ଥୀ ଭାବେ ଛାତ୍ରୀ ଶିଳ୍ପା ରାଣୀ ସାହୁ ଙ୍କୁ ପୁରସ୍କୃତ କରାଯାଇଥିଲା । ଯୁକ୍ତ ଦୁଇ ଓ ସ୍ନାତକ ସ୍ତରରେ ଯଥାକ୍ରମେ ଦୀପ୍ତି ରାଣୀ ପ୍ରଧାନ ଓ ଅମ୍ରିତା ପଟ୍ଟନାୟକ ଙ୍କୁ କଳଚୁରାଲ ଚମ୍ପିୟନ ରୂପେ ସମ୍ମାନିତ କରାଯାଇଥିଲା । ସ୍ନାତକୋତ୍ତର ଓଡ଼ିଆ ବିଭାଗ ର ଶ୍ରୀମାନ ଅମୃତ ଅଂଶୁମାନ ପଣ୍ଡା ଓଡ଼ିଆରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ “ସଂସ୍କୃତି ଶ୍ରୀକ୍ଷେତ୍ର ସ୍ଵର୍ଣ୍ଣ ପଦକ” ରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ମଞ୍ଚାସୀନ ଅତିଥିଙ୍କ ଠାରୁ ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ପୁରସ୍କାର ବିତରଣ ପର୍ବକୁ ଡକ୍ଟର ରାମ ଶଙ୍କର ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ନୂତନ କୋଠାକୁ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ଉଦଘାଟନ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ସୁନିଲ କୁମାର ପାଢୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.