ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି ମାଘ ମେଳା । ସକାଳୁ ମା ବାରଭୁଜାଙ୍କ ପୂଜା ଅର୍ଚ୍ଚନା ପରେ ବିଶ୍ୱ ଶାନ୍ତି ଓ ସମାଜ ମଙ୍ଗଳ ପାଇଁ ହିମାଳୟ, କାଶ୍ମୀର, ଗୟା, ଉଜ୍ଜେନ୍, ମଧ୍ୟପ୍ରଦେଶ ତଥା ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ କରିବେ । ମାଘ ମେଳା ପାଇଁ ଆସିଥିବା ଷ୍ଟାଣ୍ଡିଂ ବାବା, ନାଗାବାବା, ଡମ୍ବରୁ ବାବା, ଜଟିଆ ବାବାଙ୍କ ଠାରୁ ଆରମ୍ଭ କରି ଡାକ୍ତର ବାବାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଲାଣି । ବାବାମାନଙ୍କ ଯଜ୍ଞ ସହ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେବ ଖଣ୍ଡଗିରି ପାହାଡ ପାଦଦେଶ । କରୋନା କଟକଣା ନଥିବାରୁ ଚଳିତ ବର୍ଷ ଅଧିକ ମାତ୍ରାରେ ଶ୍ରଦ୍ଧଶଳୁଙ୍କ ସମାଗମ ହେବ । ଏହି ମେଳାକୁ ସୁପରିଚାଳନା ପାଇଁ ବିଏମସିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଆସନ୍ତା ୩୦ ତାରିଖରୁ ଯାତ୍ରା ପାର୍ଟି ପାଇଁ ଅନୁମତି ମିଳିଛି । ଗୋଟିଏ ଦିନରେ ୫ଟି ଯାତ୍ରାପାର୍ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦିଆଯାଇଛି । ଚଳିତ ମେଳାରେ କୌଣସି ଯାତ୍ରା ପାର୍ଟି ଅଶ୍ଲୀଳ ନୃତ୍ୟ ପରିବେଷଣ ସହ ବିବାଦୀୟ ଟାଇଟେଲ ରଖିପାରବେ ନାହିଁ । କୌଣସି ବର୍ଗଙ୍କୁ ଆଘାତ ଦେବା ପରି ନାଟକ ପରିବେଷଣ କରିବାରେ କଟକଣା ଲାଗିଛି । ଏଥିସହ ଗାଡି ପାର୍କିଂ ପାଇଁ ୭ଟି ସ୍ୱତନ୍ତ୍ର ଜୋନ କରାଯିବା ସହ ରାସ୍ତା ଉପରେ ପାର୍କି କଲେ ଗାଡିକୁ ଉଠାଇନେବ ପୁଲିସ । ଓଏସଆରଟିସି ପଡିଆ ଏବଂ ଏସଆଇ ପାର୍କିଂରେ ଗାଡି ରହିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷ ୨୫୦ରୁ ଅଧିକ ଷ୍ଟଲ ଆର୍ଲଟମେଣ୍ଟ କରାଯାଇଛି । ସମସ୍ତ ବ୍ୟବସାୟୀ ସାନିଟାଇଜେସନକୁ ଗୁରୁତ୍ୱ ଦେବା ସହ ପ୍ଲାଷ୍ଟିକ ବ୍ୟବହାର କରିବେ ନାହିଁ । ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ କରିବେ ଖାଦ୍ୟ ସୁରକ୍ଷା ଅଧିକାରୀ । ଏଥିସହ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।ଚଳିତ ବର୍ଷ ମେଳାରେ ସାନିଟାଇଜେସନକୁ ଗରୁତ୍ୱ ଦେବା ସହ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଇଛି ବିଏମସି । ଏ ନେଇ ମେୟର ସୁଲୋଚନା ଦାସ କହିଛନ୍ତି ଯେ ମାଘ ମେଳା ତୁଳନାରେ ଚଳିତ ଥର ପର୍ଯ୍ୟାପ୍ତ ମାତ୍ରାରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ୨୪ ଘଣ୍ଟା ବିଏମସି ଟିମ ଉପସ୍ଥିିତ ରହିବା ସହ ସାନିଟାଇଜେସନକୁ ଗୁରୁତ୍ୱ ଦେବେ । ଲୋକଙ୍କ ସୁବିଧା ପାଇଁ ବହୁ ମାତ୍ରାରେ ମୋବାଇଲ ଟଇଲେଟ ପୁରୀରୁ ଅଣାଯାଇଛି । ଖଣ୍ଡଗିରି ମେଳାରେ ପ୍ଳାଷ୍ଟିକ ଓ ପଲିଥିବ ବ୍ୟବହାର ଉପରେ କଟକଣା ଲାଗଛି । ଯେଉଁମାନେ ନିୟମ ଉଲଂଘନ କରିବେ ସେମାନଙ୍କ ନିକଟରୁ ଜରିମନା ଆଦାୟ କରାଯିବ । ମେଳାରେ ବ୍ୟବସାୟୀ ଓ ଯାତ୍ରା ବୁଲିବାକୁ ଆସୁଥିବା ଲୋକେ ପାର୍କିଂ ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ମେୟର ପରାମର୍ଶ ଦେଇଛନ୍ତି ।