ଭୁବନେଶ୍ୱର: ବଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧିଙ୍କ ପରଲୋକ। ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ‘ଉତ୍କଳ ପ୍ରସଙ୍ଗ’ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ ଏକାଧିକ ପୁସ୍ତକ ଲେଖିଥିଲେ।
ହୁସେନ ରବି ଗାନ୍ଧୀ ଓଡ଼ିଆ ଲେଖକ ଏବଂ ଓଡ଼ିଶାର ଜଣେ ରାଜନେତା ଅଟନ୍ତି । ୧୯୮୫ ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ। ‘ଜାଗ୍ରତ ଓଡିଶା’ର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଥିଲେ। ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ । ୧୯୯୩ ମସିହାରେ ଭାରତର ପୂର୍ବତନ ରାଷ୍ଟ୍ରପତି “ଜ୍ଞାନୀ ଜୈଲ ସିଂ”ଙ୍କଦ୍ୱାରା ଧର୍ମନିରପେକ୍ଷ ‘ଭାରତ ହରମୋନି’ ପୁରସ୍କାର ଏବଂ ଓଡ଼ିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ ମସିହାରେ ଗଙ୍ଗାଧର ମେହେର କବିତା ପୁରସ୍କାର ପାଇଥିଲେ । ହୁସେନ ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୮-୨୦୧୦)ରେ ସଭାପତି ଭାବରେ କାର୍ଯ୍ୟ କରିଥିଲେ।
ହୁସେନ ୨୩ ଏପ୍ରିଲ ୧୯୪୮ ମସିହାରେ ଯାଜପୁରର ହଳଦିଗାଡିଆରେ ଜନ୍ମଗ୍ରହଣ କରିଥିଲେ। ସେ ଚୌଧୁରୀ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠପୁତ୍ର ଏବଂ ତାରାକୋଟେ ରାଜ୍ୟର ଶେଷ ଶାସକ ଚୌଧୁରୀ ମହମ୍ମଦ ଦାବିରୁଦ୍ଦିନଙ୍କ ନାତି ଅଟନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମହମ୍ମଦ ହୁସେନ ତାଙ୍କର ସାନ ଭାଇ ଅଟନ୍ତି ।
ସେ ପ୍ରଥମେ କୋରାଇ ଏମ.ଇ (ମଧ୍ୟମ ଇଂରାଜୀ) ବିଦ୍ୟାଳୟରେ ଏବଂ ପରେ ବରଗଡ ଜିଓର୍ଜ ଉଚ୍ଚ ବିଦ୍ୟାଳୟରେ ପଢିଥିଲେ । ହୁସେନ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ସମ୍ବଲପୁରର ଲଜପତ ରାୟ ଆଇନ କଲେଜରୁ ନିଜର ଏଲ.ଏଲ.ବି ଶିକ୍ଷା ଗ୍ରହଣ କରିଥିଲେ । ସେ କଟକର ଓଡ଼ିଶା ହାଇକୋର୍ଟରେ କିଛି ଦିନ ପାଇଁ ଆଇନର ଅଭ୍ୟାସ କରିଥିଲେ। ସେ ଓଡ଼ିଶାର ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା ହେତୁ ଏହା ତାଙ୍କୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ବିଭିନ୍ନ ଉପଭାଷା ଶିଖିବାର ସୁଯୋଗ ଦେଇଥିଲା । ପରେ ସେ ୧୯୯୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ପି.ଏଚ.ଡି କରିଥିଲେ।