ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ଅନୁଷ୍ଠିତ…

ପୁରୀ: ମହାପ୍ରଭୁଙ୍କ ‘ରଥଯାତ୍ରା’ର ଆଦ୍ୟପର୍ବ ରଥକାଠ ଅନୁକୂଳ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ପରଂପରା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ଅନୁକୂଳ ହୋଇଛି। ଗୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟ କରିଛନ୍ତି ପୁରୋହିତ, ରାଜଗୁରୁ ଓ ଶ୍ରୋତୀୟ ବ୍ରାହ୍ମଣ।

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଜଙ୍ଗଲରୁ ଆସିଥିବା ଗୋଟି ୧୨ ଫୁଟିଆ ୩ଟି ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯାଇଥିଲା। ତିନୋଟି ରଥକାଠ ଉପରେ ପଞ୍ଚାମୃତ ସିଞ୍ଚନ କରାଯାଇଥିଲା। ଆସନ୍ତା ଶ୍ରୀରାମନବମୀ (୨୦୨୩ ମାର୍ଚ୍ଚ ୩୦) ଅବସରରେ ରଥକାଠକୁ କଟକସ୍ଥିତ କରତକଳରେ ଚିରଟ କରାଯିବ। ସେହିଭଳି ଅକ୍ଷୟ ତୃତୀୟା (୨୦୨୩ ଏପ୍ରିଲ ୨୩) ଅବସରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାଠ କାଟିବା ଅନୁକୂଳ ପୂଜା ଗତମାସ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ନୟାଗଡ ଜିଲ୍ଲା ଗଣିଆ ବଡମୂଳ ସ୍ଥିତ ବନଦେବୀ ମା’ ବଡରାଉଳ ଠାକୁରାଣୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ଭବ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ବଡ ଠାକୁରଙ୍କ ଆଜ୍ଞାମାଳ, ମାହାର୍ଦ୍ଦ ଓ ଲାଗି ଖଣ୍ତୁଆ ପହଁଚିବା ପରେ ପରମ୍ପରା ଅନୁଯାୟୀ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ହୋମଯଜ୍ଞ ସହ ଠାକୁରାଣୀଙ୍କ ପାଖରେ ନାନାଦି ଭୋଗ ଓ ନୈବେଦ୍ୟ ଲାଗି କରାଯାଇଥିଲା। ଶେଷରେ ମା’ଙ୍କୁ କାଠ କାଟିବା ପାଇଁ ଅନୁମତି ମାଗି ପ୍ରତିନିଧି ଦଳ ଶ୍ରୀକ୍ଷେତ୍ର ଅଭିମୁଖେ ଫେରି ଯାଇଥିଲେ।

ସୂଚନାଯୋଗ୍ୟ, ଶ୍ରୀପଂଚମୀ ପୂର୍ବରୁ ରଥଖଳାରେ ପ୍ରଥମ ପର୍ଯ୍ୟାୟ କାଠ ପହଁଚିବାର ନିୟମ ଥିବାବେଳେ ଅକ୍ଷୟ ତୃତୀୟା ତିଥି ପୂର୍ବରୁ ସମସ୍ତ କାଠ ପହଁଚିବାର ନିୟମ ରହିଛି। ୩ ରଥ ନିର୍ମାଣ ପାଇଁ ମୋଟ ୮ ଶହ ୬୫ ଖଣ୍ତ କାଠ ଆବଶ୍ୟକତା ରହିଥାଏ। ପୂର୍ବବର୍ଷ ୧୧୮ ଖଣ୍ତ କାଠ ବଳକା ଥିବାବେଳେ ଅବଶିଷ୍ଠ ୭ ଶହ ୪୭ଖଣ୍ତ କାଠ ଆବଶ୍ୟକ ଥିବା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରାଦ ହୋଇଛି। ତେବେ ଦଶପଲ୍ଲା ବନାଚଂଳର ଚଡେୟାପଲ୍ଲୀ ଓ ପୋଖରୀଗୋଛା ସେକ୍ସନ ଅଂଚଳରୁ ୧୯୦ ଖଣ୍ତ ଅସନ ଓ ଧଉରା କାଠ ଯୋଗାଇ ଦିଆଯିବା ପାଇଁ ଚିହ୍ନଟ ହୋଇଥିବା ବନାଚଂଳ ଅଧିକାରୀ କହିଛନ୍ତି।

nis-ad
Leave A Reply

Your email address will not be published.