୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ…
ପ୍ରିୟ ଦେଶବାସୀ,
୧) ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଯେଉଁଦିନଠାରୁ ଦେଶର ସମ୍ବିଧାନ ପ୍ରଚଳିତ ହେଲା, ସେହିଦିନଠାରୁ ଏଯାବତ ଆମର ଯାତ୍ରା ବେଶ୍ ଚମତ୍କାର ରହିଆସିଛି । ଆମର ଏହି ଯାତ୍ରା ଅନେକ ଦେଶକୁ ଅନୁପ୍ରାଣିତ କରିଛି । ଭାରତର ଏହି କାହାଣୀରେ ସବୁ ଭାରତୀୟ ଗର୍ବିତ ହେବାର ଯଥାର୍ଥତା ରହିଛି । ଆମେ ଯେତେବେଳେ ଗଣତନ୍ତ୍ର ଦିବସ ପାଳନ କରୁ ସେତେବେଳେ ଆମେ ଏକ ରାଷ୍ଟ୍ର ହିସାବରେ ଯାହା ହାସଲ କରିଛୁ ତାହାକୁ ପାଳନ କରୁଛୁ ।
୨) ଭାରତ ବିଶ୍ୱର ଅନ୍ୟତମ ଏକ ପ୍ରାଚୀନ ଜୀବନ୍ତ ସଭ୍ୟତା । ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯାଏ । ଏକ ଆଧୁନିକ ସାଧାରଣତନ୍ତ୍ର ହିସାବରେ ଆମେ କିନ୍ତୁ ଯୁବା । ସ୍ୱାଧୀନତାର ଆଦିକାଳରେ ଆମେ ଅସଂଖ୍ୟ ଆହ୍ୱାନ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲୁ । ଦୀର୍ଘକାଳର ବିଦେଶୀ ଶାସନର ଅନେକ କୁପ୍ରଭାବ ମଧ୍ୟରୁ ସବୁଠୁ ଚିନ୍ତାଜନକ ଥିଲା ପ୍ରଚଣ୍ଡ ଦାରିଦ୍ର?୍ୟ ଓ ନିରକ୍ଷରତା, ତଥାପି ଭାରତର ଉତ୍ସାହ ଓ ମନୋବଳ ଅପରିବର୍ତ୍ତିତ ରହିଥିଲା । ଆଶା ଓ ବିଶ୍ୱାସର ସହିତ ଆମେ ମାନବଜାତିର ଇତିହାସରେ ଏକ ଅଦ୍ୱିତୀୟ ପରୀକ୍ଷାନିରୀକ୍ଷା ଆରମ୍ଭ କଲୁ । ଏଡ଼େ ବିରାଟ ଓ ବିବିଧତାପୂର୍ଣ୍ଣ ଜନତା ଏକତ୍ର ହୋଇ ଏକ ରାଷ୍ଟ୍ର ହିସାବରେ ମୁଣ୍ଡ ଟେକିବା ଅଦ୍ଭୁତପୂର୍ବ ଥିଲା । ଆମେ ସମସ୍ତେ ଏକ ଓ ଭାରତୀୟ ଏହି ବିଶ୍ୱାସରେ ଆମେ ଏହା କରିପାରିଲୁ । ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଆମେ ସଫଳ ହେବାର କାରଣ ହେଳା ଏତେ ସବୁ ଭାଷା, ଜାତି, ସମୁଦାୟ ଥିବା ସତ୍ତ୍ୱେ ସେ ସବୁ ଆମକୁ ଭାଗ ଭାଗ କରିପାରିନଥିଲା । ଏହି ସବୁ ବିବିଧତା ବରଂ ଆମକୁ ଏକତ୍ର କରିଛି । ତାହା ହିଁ ଭାରତର ସାରତତ୍ତ୍ୱ ।
୩) ସେହି ସାରାଂଶ ହେଳା ସମ୍ବିଧାନର ହୃଦୟ, ଯାହା ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ସାଧାରଣତନ୍ତ୍ରର ଶାସନ ଦାୟିତ୍ୱ ଆରମ୍ଭ କରିଥିବା ସମ୍ବିଧାନ ମୁକ୍ତି ସଂଗ୍ରାମର ଫଳ । ମହାତ୍ମା ଗାନ୍ଧୀ ଜାତୀୟ ମୁକ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହି ଆନ୍ଦୋଳନ ଦେଶକୁ ସ୍ୱାଧୀନତା ଦେବା ସହିତ ଆମ ନିଜସ୍ୱ ଆଦର୍ଶର ପୁନଃଆବିଷ୍କାର ମଧ୍ୟ କରିଥିଲା । ସେହି ସମୟର ସଂଗ୍ରାମ ଏବଂ ତ୍ୟାଗ କେବଳ ଉପନିବେଶବାଦୀ ଶାସନରୁ ମୁକ୍ତ କରି ନ ଥିଲା ଏହା ମଧ୍ୟ ଆମ ଉପରେ ଲଦି ଦିଆଯାଇଥିବା ସଂକୀର୍ଣ୍ଣ ବିଶ୍ୱ ଦୃଷ୍ଟି ଓ ବିଚାରରୁ ସ୍ୱାଧୀନ କରିଥିଲା । ବିପ୍ଳବୀ ଓ ସଂସ୍କାରକଗଣ ଦୂରଦ୍ରଷ୍ଟା ଏବଂ ଆଦର୍ଶବାଦୀଙ୍କ ସହ ହାତ ମିଳାଇ ଆମକୁ ଆମର ପ୍ରାଚୀନ ମୂଲ୍ୟବୋଧ ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱ ଓ ସମାନତା ବିଷୟରେ ଶିକ୍ଷା ଦେଲେ । ଯେଉଁମାନେ ଆଧୁନିକ ଭାରତୀୟ ମନକୁ ଆକାର ଦେଇଥିଲେ ସେମାନେ ମଧ୍ୟ ବୈଦିକ ମନ୍ତ୍ର “ଆ ନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ୱତଃ” ଅର୍ଥାତ ବିଶ୍ୱର ସବୁ ଦିଗରୁ ଆମ ପାଇଁ ମହାନ ବିଚାର ସବୁ ଆସୁ ଭାବନାରେ ଅନୁପ୍ରାଣିତ ହୋଇ ବିଦେଶର ପ୍ରଗତିଶୀଳ ବିଚାର ସବୁକୁ ସ୍ୱାଗତ କରିଥିଲେ । ଆମ ସମ୍ବିଧାନରେ ଏକ ଦୀର୍ଘ ଏବଂ ଅନ୍ତିର୍ନିହିତ ବିଚାର ପ୍ରକ୍ରିୟାର ପରିପ୍ରକାଶ ଘଟିଛି ।
୪) ଆମର ସମ୍ବିଧାନ ବିଶ୍ୱର ପ୍ରାଚୀନତମ ଜୀବନ୍ତ ସଭ୍ୟତାର ମାନବବାଦୀ ଦର୍ଶନ ଏବଂ ସାମ୍ପ୍ରତିକ ଇତିହାସରୁ ଲବ୍ଧ ନୂଆ ବିଚାରଦ୍ୱାରା ଅନୁପ୍ରାଣିତ । ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ବି.ଆ.ର୍ଆମ୍ବେଦକରଙ୍କ ନିକଟରେ ଆମ ଦେଶ ସର୍ବଦା କୃତଜ୍ଞ ରହିବ । ସେ ଏହି ଜାତୀୟ ନଥିକୁ ଚୂଡ଼ାନ୍ତରୂପ ଦେବା ପୂର୍ବରୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଯୋଡ଼ିଥିଲେ । ଏହି ଦିବସରେ ଆମେ ମଧ୍ୟ ବିଶିଷ୍ଟ ଆଇନଜ୍ଞ ବି.ଏନ୍.ରାଓଙ୍କ ଅବଦାନ ସ୍ମରଣ କରିବା; କାରଣ ସେ ହିଁ ସମ୍ବିଧାନର ପ୍ରାରମ୍ଭିକ ଚିଠା ପ୍ରସ୍ତୁତ କରିଥିଲେ । ତା’ଛଡ଼ା ସମ୍ବିଧାନ ପ୍ରସ୍ତୁତିରେ ଆଉ ଯେଉଁ ବିଶେଷଜ୍ଞମାନେ ସାହାଯ୍ୟ ସହଯୋଗ କରିଥିଲେ ସେମାନେ ମଧ୍ୟ ଆଜି ସ୍ମରଣର ହକ୍ଦାର । ସମ୍ବିଧାନ ପ୍ରଣୟନ ସଭାରେ ଭାରତର ସବୁ ଅଞ୍ଚଳ, ସମ୍ପ୍ରଦାୟର ପ୍ରତିନିଧିଙ୍କ ସହିତ ୧୫ ଜଣ ମହିଳା ସ୍ଥାନ ପାଇଥିଲେ । ଏହା ଆମ ପାଇଁ ଗର୍ବ ଓ ଗୌରବ ବିଷୟ ।
୫) ସମ୍ବିଧାନରେ ସେମାନଙ୍କର ଯେଉଁ ଲକ୍ଷ୍ୟ ସ୍ଥାନିତ ହୋଇଛି ତାହା ନିରନ୍ତର ଭାବେ ଆମ ସାଧାରଣତନ୍ତ୍ରକୁ ଦିଗ୍ଦର୍ଶନ ଦେଇ ଆଗେଇ ନେଉଛି । ଏହି ସମୟ ମଧ୍ୟରେ ଭାରତ ଏକ ପ୍ରଚଣ୍ଡ ଦରିଦ୍ର ଓ ନିରକ୍ଷର ଦେଶରୁ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ରରେ ପରିଣତ ହୋଇ ବିଶ୍ୱ ଦରବାରେ ଆଗେଇ ଚାଲିଛି । ସମ୍ବିଧାନ ନିର୍ମାତାମାନଙ୍କର ଲକ୍ଷ୍ୟ ଓ ଦୂରଦୃଷ୍ଟି ବିନା ଏହା ଆଜି ସମ୍ଭବ ହୋଇନଥାନ୍ତା ।
୬) ବାବା ସାହେବ ଆମ୍ବେଦକର ଓ ଅନ୍ୟମାନେ ଆମକୁ ଏକ ମାନଚିତ୍ର ଓ ନୈତିକ ଢାଞ୍ଚା ଦେଇଥିବାବେଳେ ସେହି ପଥରେ ଆଗକୁ ଯିବାର ଦାୟିତ୍ୱ ଥିଲା ଆମର । ଆମେ ସେ ଦାୟିତ୍ୱ ନିର୍ବାହ କରି ଆମ ସମ୍ବିଧାନ ନିର୍ମାତାମାନଙ୍କ ଆଶା ଆକାଂକ୍ଷା ପୂରଣ କରିଛୁ । ଆମେ ଆହୁରି ମଧ୍ୟ ଏବେ ଅନୁଭବ କରୁଛୁ ଯେ ଗାନ୍ଧିଜୀଙ୍କ ସର୍ବୋଦୟ ବିଚାର ଯାହା ସମସ୍ତଙ୍କ ଉତ୍ଥାନ କଥା କହେ ତାହାକୁ ହାସଲ କରିବାରେ ଆହୁରି ଅନେକ କିଛି କରିବାର ଅଛି । ଏହା ସତ୍ତ୍ୱେ ଆମେ ବିିଭିନ୍ନ କ୍ଷେତ୍ରରେ ଯେଉଁସବୁ ପ୍ରଗତି କରିଛୁ ତାହା ନିଶ୍ଚିତ ଉତ୍ସାହଜନକ ।
ଆମ ସର୍ବୋଦୟ ଅଭିଯାନର ସବୁଠୁ ଉତ୍ସାହଜନକ ବିଷୟ ହେଲା ଅର୍ଥନୀତିକ କ୍ଷେତ୍ରରେ ଆମର ଉପଲବ୍ଧି ଓ ପ୍ରଗତି । ଗତବର୍ଷ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତିର ମାନ୍ୟତା ଲାଭ କରିଥିଲା । ଏଠାରେ ସ୍ମରଣଯୋଗ୍ୟ ଯେ ବିଶ୍ୱର ଏକ ଅତି ଅନିଶ୍ଚିତ ଅର୍ଥନୀତିକ ସ୍ଥିତିରେ ଭାରତ ଏହି ସଫଳତା ଲାଭ କରିଥିଲା । ମହାମାରୀ ଏବେ ଚତୁର୍ଥ ବର୍ଷରେ ପ୍ରବେଶ କରିଛି ଏବଂ ବିଶ୍ୱର ଅଧିକାଂଶ ଅଞ୍ଚଳର ଅର୍ଥନୀତିକ ଅଭିବୃଦ୍ଧି ଏହାଦ୍ୱାରା ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହାର ପ୍ରାରମ୍ଭ କାଳରେ କୋଭିଡ୍ ମହାମାରୀ ମଧ୍ୟ ଭାରତୀୟ ଅର୍ଥନୀତିକୁ ବେଶ୍ ବିଗାଡ଼ିଥିଲା । ତଥାପି ଆମ ନେତୃତ୍ୱର ଉତ୍ତମ ଦିଗ୍ଦର୍ଶନ ଓ କାର୍ଯ୍ୟ ଫଳରେ ଆମେ ଯଥାଶୀଘ୍ର ସମ୍ଭବ ଏହି ଆର୍ôଥକ ଦୁଃସ୍ଥିତିରୁ ମୁକୁଳି ଆମ ଅଭିବୃଦ୍ଧି ପ୍ରକ୍ରିୟା ପୁର୍ନବାର ଆରମ୍ଭ କରିପାରିଥିଲୁ । ଭାରତର ପ୍ରାୟ ସବୁ କ୍ଷେତ୍ର ଉପରେ ମହାମାରୀର ପ୍ରଭାବ ପଡ଼ିଥିଲା ଏବଂ ସେ ଅବସ୍ଥାକୁ ଶୀଘ୍ର ବଦଳାଇବାରେ ଆମେ ସଫଳ ହୋଇଥିଲୁ । ଏବେ ଭାରତ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଗଣିତ ହୋଇଛି । ଭାରତ ସରକାର ଠିକ୍ ସମୟରେ ଠିକଣା ପଦକ୍ଷେପ ନେବାରୁ ଏହା ସମ୍ଭବ ହୋଇଛି । ନିର୍ଦ୍ଦିଷ୍ଟଭାବେ “ଆତ୍ମନିର୍ଭର ଭାରତ” ପ୍ରୟାସ ଲୋକଙ୍କ ଉପରେ ବେଶ୍ ଭଲ ପ୍ରଭାବ ପକାଇଛି । ଏହାଛଡ଼ା ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପାଇଁ ମଧ୍ୟ ସରକାର ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
୭) ସନ୍ତୋଷର ବିଷୟ ହେଲା ଯେଉଁମାନେ ଦୁର୍ବଳ ଓ ବଞ୍ଚିତ ସେମାନଙ୍କୁ ସରକାର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଆର୍ôଥକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏହା ଫଳରେ ସେମାନେ ଦୁଃସମୟର ମୁକାବିଲା ସହଜରେ କରିପାରିଛନ୍ତି । ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା ‘ଗରିବ କଲ୍ୟାଣ ଅନ୍ନ ଯୋଜନା’ ମହାମାରୀ ଓ ଆର୍ôଥକ ସଂକଟ କାଳରେ ଦେଶର ଗରିବ ଜନତାଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଣକୁ ସୁନିଶ୍ଚିତ କରିଥିଲା । ଏହା ଫଳରେ ସଂକଟକାଳରେ କେହି ଭୋକଲା ରହି ନଥିଲେ । ଗରିବ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସରକାର ଏହି ଯୋଜନାର ମିଆଦକୁ ୨୦୨୩ ବର୍ଷ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ହିତାଧିକାରୀମାନେ ଏହି ଯୋଜନାରେ ସେମାନଙ୍କର ମାସିକ ରେସନ୍ ମାଗଣାରେ ପାଉଛନ୍ତି ।
୮) ଏବେ ଆମ ଅର୍ଥନୀତିର ସ୍ଥିତି ଭଲ ରହିଛି ଏବଂ ଏହାର ସୁଯୋଗ ନେଇ ଆମେ ଅନେକ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରିଛୁ । ଏ ସବୁ ପ୍ରୟାସର ଅନ୍ତିମ ଲକ୍ଷ୍ୟ ହେଲା ଏକ ପରିବେଶ ସୃଷ୍ଟି କରିବା ଯେଉଁଠି ନାଗରିକ ବ୍ୟକ୍ତିଗତ ଓ ସମଷ୍ଟିଗତ ଭାବେ ନିଜର ସାମର୍ଥ୍ୟର ଉପଯୋଗ କରି ସମୃଦ୍ଧ ହୋଇପାରିବେ । ଏଥିପାଇଁ ଶିକ୍ଷାର ବିଶେଷ ଆବଶ୍ୟକତା ଥିବାରୁ ନୂଆ ଶିକ୍ଷାନୀତି ଦେଶରେ ପ୍ରବର୍ତ୍ତିତ ହୋଇଛି ଏବଂ ଏଥିରେ ସମୟ ଉପଯୋଗୀ ପରିବର୍ତ୍ତନମାନ ଅଣାଯାଇଛି । ଶିକ୍ଷା ସାମାଜିକ ଓ ଅର୍ଥନୀତିକ ସଶକ୍ତିକରଣ ମୂଳାଧାର ହୋଇଥିବାରୁ ନୂଆ ଶିକ୍ଷାନୀତିକୁ ତଦନୁସାରେ ପ୍ରସ୍ତୁତ କରାଯାଇଛି । ଏଥିରେ ମଧ୍ୟ ଆମ ସଭ୍ୟତା ଓ ସଂସ୍କୃତିର ମହତ୍ତର ବିଚାର, ମୂଲ୍ୟବୋଧ ସ୍ଥାନ ପାଇଛି ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ନୂଆ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ।
୯) କରୋନା ମହାମାରୀ ଆରମ୍ଭ ସମୟରୁ ଆମେ ଅନୁଭବ କଲୁ ଯେ ଟେକ୍ନୋଲୋଜି ଜୀବନ ପରିବର୍ତ୍ତନକାରୀ ସମ୍ଭାବନା ଯୋଗାଏ । ଡିଜିଟାଲ ଇଣ୍ଡିଆ ମିଶନ ସୂଚନା ଓ ଯୋଗଯୋଗ ଟେକ୍ନୋଲୋଜିକୁ ସମାବେଶୀ ଏବଂ ସାର୍ବଜନୀନ କରିବାକୁ ଉଦ୍ୟମ କରୁଛି । ଏ କ୍ଷେତ୍ରରେ ଥିବା ଗ୍ରାମ-ସହର ବ୍ୟବଧାନ ଦୂର କରିବାକୁ ପ୍ରୟାସ ଅବ୍ୟାହତ ରହିଛି । ଦେଶର ଅଗମ୍ୟ ଓ ଦୂରଦୂରାନ୍ତ ଅଞ୍ଚଳର ଲୋକେ ଏବେ ଇଣ୍ଟରନେଟ୍ ସେବା ସହିତ ସରକାର ଯୋଗାଇ ଦେଉଥିବା ବିଭିନ୍ନ ଲାଭ ପାଉଛନ୍ତି । ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଆମର ସଫଳତା ଆମକୁ ଗର୍ବିତ କରେ । ମହାକାଶ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ବିଶ୍ୱର ହାତଗଣତି ଦେଶଙ୍କ ମଧ୍ୟରେ ରହିଛି । ଏହି କ୍ଷେତ୍ରରେ ସଂସ୍କାର ମଧ୍ୟ ଆରମ୍ଭ ହୋଇଛି । ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିବାର ସୁଯୋଗ ଦିଆଯାଇଛି । ‘ଗଗନଯାନ’ କାର୍ଯ୍ୟକ୍ରମ ମହାକାଶକୁ ଭାରତୀୟ ମହାକାଶଚାରୀ ଦେବାକୁ ଉଦ୍ଦିଷ୍ଟ । ଏହା ଆଗେଇ ଚାଲିଛି । ଏହା ହେବ ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ । ଆମେ ତାରକାଙ୍କ ଗହଣରେ ପହଁଞ୍ôଚଲେ ମଧ୍ୟ ଭୂମି ଉପରେ ଆମ ପାଦ ସଦା ରହିଥିବ।
୧୦) ଭାରତର ମଙ୍ଗଳ ଅଭିଯାନ ପଛରେ ଅସାଧାରଣ ମହିଳାଙ୍କ ଶକ୍ତି ନିହିତ । ଆମ ଝିଅ ଓ ଭଉଣୀମାନେ ଯେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି ଏହା ତାହାର ଏକ ସ୍ୱତନ୍ତ୍ର ଉଦାହରଣ । ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ଆଉ ମାମୁଲି ସ୍ଲୋଗାନ ହୋଇ ରହିନାହିଁ । ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନରେ ଲୋକଙ୍କର ବିପୁଳ ସମ୍ପୃକ୍ତି ରହୁଛି । ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ୁଛି । ଦେଶର ବିଭିନ୍ନ ରାଜ୍ୟ ଓ ଶିକ୍ଷାନୁଷ୍ଠାନ ଗସ୍ତକାଳରେ ଏବଂ ବିଭିନ୍ନ ପ୍ରତିନିଧିମଣ୍ଡଳୀଙ୍କୁ ଭେଟିଲାବେଳେ ଯୁବତୀମାନଙ୍କ ଆତ୍ମବିଶ୍ୱାସ ଦେଖି ମୁଁ ବିସ୍ମିତ ହୋଇଛି । ସେମାନେ ଆସନ୍ତାକାଲିର ଭାରତର ଭାଗ୍ୟ ଗଢ଼ିବାରେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସେ ନେଇ ମୁଁ ନିଃସନ୍ଦେହ । ଦେଶର ଜନସଂଖ୍ୟାର ଏହି ଅଧାଭାଗକୁ ଯଦି ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ବିନିଯୋଗ କରାଗଲେ ଆମେ ଅଲୌକିକ ସଫଳତା ହାସଲ କରିପାରିବା ।
୧୧) ତଫସିଲଭୁକ୍ତ ଜାତି, ଜନଜାତି ଓ ସବୁ ବଞ୍ଚିତବର୍ଗଙ୍କୁ ସଶକ୍ତ କରିବାକୁ ଭାରତ ସରକାର ସମ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି । ଏଥିରେ ସେମାନଙ୍କୁ କେବଳ ଉପରକୁ ଉଠାଇବାକୁ ଚେଷ୍ଟା ହେଉନାହିଁ, ସେମାନଙ୍କଠାରୁ ମଧ୍ୟ ଶିଖିବାକୁ ଉଦ୍ୟମ ହେଉଛି । ନିର୍ଦ୍ଦିଷ୍ଟଭାବେ ଆଦିବାସୀ ସମୁଦାୟ ଅନେକ କ୍ଷେତ୍ରରେ ବେଶ୍ କିଛି ମୂଲ୍ୟବାନ ଶିକ୍ଷା ଦେଇପାରିବେ । ସେଥିମଧ୍ୟରେ ପରିବେଶର ସୁରକ୍ଷା କରି ସମାଜକୁ ସଂଯୋଗଶୀଳ କରିବା ଅନ୍ୟତମ।
୧୨) ଶାସନର ସବୁ କ୍ଷେତ୍ରରେ ସରକାର କାର୍ଯ୍ୟକାରୀ କରିଥିବା ସଂସ୍କାର ପ୍ରକ୍ରିୟା ଦ୍ୱାରା ଜନତାଙ୍କ ଉପରେ ଉତ୍ତମ ପ୍ରଭାବ ପଡ଼ିଛି । ଲୋକଙ୍କ ମଧ୍ୟରେ ସର୍ଜନାତ୍ମକ ଉର୍ଜା ସୃଷ୍ଟି ହେଉଛି । ଏହା ଫଳରେ ସମଗ୍ର ବିଶ୍ୱ ଏବେ ସମ୍ମାନର ସହିତ ଭାରତ ଆଡ଼େ ଚାହିଁବାକୁ ଆରମ୍ଭ କରିଛି । ବିଭିନ୍ନ ଓ ବୈଶ୍ୱିକ ପ୍ରସଙ୍ଗରେ ଆମର ଗଠନମୂଳକ ହସ୍ତକ୍ଷେପ ଏକ ରଚନାତ୍ମକ ବ୍ୟତିକ୍ରମ ଆଣିଛି । ବିଶ୍ୱସ୍ତରରେ ଭାରତ ଯେଉଁ ସମ୍ମାନ ଅର୍ଜନ କରିଛି ତାହା ଆମକୁ ନୂଆ ସୁଯୋଗ ଓ ଦାୟିତ୍ୱ ଦେଇଛି । ଭାରତ ଏ ବର୍ଷ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ବିଶ୍ୱ ଭାତୃଭାବର ମନ୍ତ୍ରରେ ଦୀକ୍ଷିତ ଭାରତ ଏହି ଅବସରରେ ସମସ୍ତଙ୍କ ଶାନ୍ତି ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିବ । ଅତଏବ ଜି-୨୦ ଅଧ୍ୟକ୍ଷ ପଦ ଗଣତନ୍ତ୍ର ଓ ବହୁପକ୍ଷିୟ ପ୍ରୋତ୍ସାହନ ପାଇଁ ଏକ ସୁଯୋଗ । ଏହାଦ୍ୱାରା ଏକ ଉତ୍ତମ ବିଶ୍ୱ ଓ ଉତ୍ତମ ଭବିଷ୍ୟତ ଗଠନ ନିମନ୍ତେ ବୈଶ୍ୱିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଜି-୨୦ ମାଧ୍ୟମରେ ଭାରତ ଏକ ସମାନ ଓ ସ୍ଥାୟୀ ବିଶ୍ୱ ବ୍ୟବସ୍ଥା ନିର୍ମାଣ କରିବାକୁ ଗୁରୁତ୍ୱ ଦେଉଛି ।
୧୩) ଜି-୨୦ ବିଶ୍ୱର ଦୁଇ-ତୃତୀୟାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛି ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ମିଳିତ ଜିଡିପି ବିଶ୍ୱ ଜିଡିପିର ୮୫ ଶତାଂଶ । ଆନ୍ତର୍ଜାତିକ ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରି ସମାଧାନ ସୂତ୍ର ବାହାର କରିବାକୁ ଏହା ଏକ ଆଦର୍ଶ ମଞ୍ଚ । ମୋ ମତରେ ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ପୃଥିବୀର ସବୁଠୁ ବଡ଼ ଦୁଇ ସମସ୍ୟା । ଆହୁରି ମଧ୍ୟ ଅଧିକରୁ ଅଧିକ ଲୋକଙ୍କୁ ଦାରିଦ୍ର?୍ୟର ସୀମାରେଖା ଉପରକୁ ଉଠାଇବା ଓ ଅର୍ଥନୀତିକ ଅଭିବୃଦ୍ଧି ବଢ଼ାଇବା ଆଉ ଦୁଇଟି ବଡ଼ କାମ । ତେବେ ଆମ ଅଭିବୃଦ୍ଧି ଜୀବାଶ୍ମ ଇନ୍ଧନ ବ୍ୟବହାର କରି ଅଣାଯାଇ ନ ପାରେ । ଜୀବାଶ୍ମ ଇନ୍ଧନର ପ୍ରଚୁର ବ୍ୟବହାର ଫଳରେ ଯେଉଁ ବିଶ୍ୱ ତାପମାନ ବଢୁଛି ତାହାର କୁପ୍ରଭାବ ଗରିବଙ୍କ ଉପରେ ଅଧିକ ପଡ଼ୁଛି। ତେଣୁ ବିକଳ୍ପ ଇନ୍ଧନର ବିକାଶ ଓ ବ୍ୟବହାର ବୃଦ୍ଧି ହିଁ ଏହାର ସମାଧାନର ବାଟ । ଭାରତ ଏ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ସୌରଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦେଇ ତଦନୁସାରେ କାମ କରୁଛି । ଆହୁରି ମଧ୍ୟ ବିଦ୍ୟୁତ ଚାଳିତଯାନକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ଭାରତ ନୀତିଗତ ନିଷ୍ପତ୍ତି ନେଇ ଏ କ୍ଷେତ୍ରରେ କାମ କରୁଛି । ବିକଳ୍ପ ଇନ୍ଧନ ଉତ୍ସର ଉପଯୋଗ ପାଇଁ ବିଶ୍ୱସ୍ତରରେ ଧନୀ ଓ ଉନ୍ନତ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଧିକ ସହଯୋଗ ଆବଶ୍ୟକ । ସେମାନେ ଟେକ୍ନୋଲୋଜି ଟ୍ରାନ୍ସଫର ଓ ଆର୍ôଥକ ସହାୟତା ପ୍ରଦାନ ପାଇଁ ଆଗେଇ ଆସିବା ଆବଶ୍ୟକ ।
୧୪) ପରିବେଶ ବିକାଶ ମଧ୍ୟରେ ଭାରସାମ୍ୟ ରକ୍ଷା ପାଇଁ ଆମକୁ ପ୍ରାଚୀନ ପରମ୍ପରାକୁ ନୂଆରୂପରେ ଦେଖିବାକୁ ପଡ଼ିବ । ପ୍ରଥମେ ଆମକୁ ଆମର ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟିଦେବାକୁ ହେବ । ପାରିବାରିକ ଜୀବନଚର୍ଯ୍ୟା ଓ ମୂଲ୍ୟବୋଧର ବୈଜ୍ଞାନିକ ଦିଗକୁ ଆମକୁ ବୁଝିବାକୁ ପଡ଼ିବ । ପ୍ରକୃତି ପ୍ରତି ସମ୍ମାନ ପ୍ରଦର୍ଶନ ଓ ବିରାଟ ବିଶ୍ୱ ନିକଟରେ ଆମକୁ ବିନମ୍ରତା ପ୍ରକାଶ କରିବାକୁ ହେବ ।
ମହାତ୍ମା ଗାନ୍ଧୀ ଆମ ସମୟର ଜଣେ ଯଥାର୍ଥ ମହାପୁରୁଷ ଥିଲେ । ସେ ଅବିଚାରିତ ଶିଳ୍ପାୟନ ଜନିତ ବିପର୍ଯ୍ୟୟ ଆଗୁଆ ଦେଖିପାରିଥିଲେ ଏବଂ ନିଜର ମାର୍ଗ ପରିବର୍ତ୍ତନ କରିବାକୁ ବିଶ୍ୱକୁ ସତର୍କ କରାଇଦେଇଥିଲେ ।
୧୫) ଏହି କ୍ଷଣଭଙ୍ଗୁର ପୃଥିବୀରେ ସୁଖଶାନ୍ତିରେ ରହିବାକୁ ହେଲେ ଆମକୁ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ । ସେଥିରୁ ଗୋଟିଏ ହେଲା ଖାଦ୍ୟାଭ୍ୟାସରେ ପରିବର୍ତ୍ତନ । ଭାରତର ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୦୨୩କୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ଘୋଷଣା କରିବା ଆନନ୍ଦର ବିଷୟ । ଏକତା ଏହି ମିଲେଟ୍ ଆମ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ଅନେକ ବର୍ଷପରେ ଏହା ପୁର୍ନବାର ଅନେକ ସମାଜବର୍ଗଙ୍କର ପ୍ରମୁଖ ଖାଦ୍ୟଭାବେ ପ୍ରତ୍ୟାବର୍ତ୍ତନ କରିଛି । ମିଲେଟ୍ ଭଳି ମୋଟା ଶସ୍ୟ ପରିବେଶ ଅନୁକୂଳ ଏବଂ ଚାଷ ପାଇଁ କମ ପାଣି ଲୋଡ଼େ । ଏହାର ପୁଷ୍ଟିକର ଗୁଣ ଅତି ଅଧିକ । ଅଧିକରୁ ଅଧିକ ଲୋକ ମିଲେଟ୍ ଖାଇଲେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ପରିବେଶ ମଧ୍ୟ ସୁରକ୍ଷିତ ହେବ ।
୧୬) ଆମ ସାଧାରଣତନ୍ତ୍ର ଆଉ ଏକ ବର୍ଷ ଅତିକ୍ରମ କରିଛି । ଏଥିସହିତ ଏହାର ଜୀବନରେ ଗୋଟିଏ ବର୍ଷ ଆରମ୍ଭ ହୋଇଛି । ଏହା ଏକ ଅଭୁତପୂର୍ବ ପରିବର୍ତ୍ତନର ସମୟ । ମହାମାରୀ ବ୍ୟାପିବା ପରେ କେଇ ଦିନ ମଧ୍ୟରେ ସମଗ୍ର ପୃଥିବୀ ବଦଳିଗଲା । ଏହି ତିନି ବର୍ଷ ମଧ୍ୟରେ ଆମେ କରୋନା ଭୂତାଣୁ ବିରୋଧରେ ବିଜୟ ହାସଲ କରିବା କଥା ଯେତେବେଳେ ଭାବିଛୁ, ତାହାର ପରକ୍ଷଣରେ ଏହି ମହାମାରୀ ଆଉ ଏକ ନୂଆ ଭୂତାଣୁ ସହିତ ତାହାର କଦାକାର ମୁହଁ ଦେଖାଇଛି । ତେବେ ସେ ଯାହା ହେଉ ଏଥିଘେନି ଛାନିଆ ହେବାର କୌଣସି କାରଣ ନାହିଁ । କାରଣ ଏହି ସମୟ ମଧ୍ୟରେ ଆମର ହୃଦବୋଧ ହୋଇଛି ଯେ ଆମର ନେତୃତ୍ୱ, ବୈଜ୍ଞାନିକ, ଚିକିତ୍ସକ, ପ୍ରଶାସକ ଓ କରୋନା ଯୋଦ୍ଧାମାନେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ । ଏହା ମଧ୍ୟ ଆମେ ଶିଖିଛୁ ଯେ, ଆମକୁ ମଧ୍ୟ ସତର୍କ ରହିବାକୁ ପଡ଼ିବ ଏବଂ ସମସ୍ତ ପ୍ରତିଷେଧକ ବ୍ୟବସ୍ଥାକୁ ପାଳନ କରିବାକୁ ହେବ ।
୧୭) ଆମ ଦେଶର ବିଭିନ୍ନ କ୍ଷେତ୍ରରେ ପିଢ଼ି ପରେ ପିଢ଼ି ଲୋକ କାମ କରି ସାଧାରଣତନ୍ତ୍ରର ବିକାଶ କାହାଣୀରେ ଅମୂଲ୍ୟ ଅବଦାନ ଯୋଡ଼ିଛନ୍ତି । ସେମାନେ ପ୍ରକୃତରେ ପ୍ରଶଂସାର ଯୋଗ୍ୟ । ସେଥିପାଇଁ ମୁଁ କୃଷକ, ଶ୍ରମିକ, ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଭୂମିକାକୁ ପ୍ରଶଂସା କରୁଛି । ଏମାନଙ୍କ ମିଳିତ ଶକ୍ତି ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ସ୍ଳୋଗାନକୁ ଯଥାର୍ଥ କରିଛି ଏବଂ ରାଷ୍ଟ୍ରର ପ୍ରଗତିରେ ସହଯୋଗ ରଖୁଥିବା ସବୁ ନାଗରିକଙ୍କୁ ମୁଁ ବଧେଇ ଜଣାଉଛି । ଏହି ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରୁଛି । ସେମାନେ ଭାରତର ସଂସ୍କୃତି ଓ ସଭ୍ୟତାର ମହାନ ରାଷ୍ଟ୍ରଦୂତ ।
୧୮) ଗଣତନ୍ତ୍ର ଦିବସ ଅବସରରେ ମୁଁ ଆମର ଯବାନମାନଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଉଛି । ଆମର ସୀମାନ୍ତଙ୍କୁ ସୁରକ୍ଷିତ ରଖିଥିବା ଏହି ଯବାନମାନେ ଦେଶମାତୃକାର ସୁରକ୍ଷା ପାଇଁ ଯେ କୌଣସି ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ । ଏହିଭଳି ଆମ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନିୟୋଜିତ ପୁଲିସ୍ ବାହିନୀ, ସୈନିକ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ଶୁଭେଚ୍ଛା ଜଣାଉଛି । ଆମ ପ୍ରତିରକ୍ଷା ବାହିନୀ, ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀର ବୀର ଯବାନ ଓ ଅଧିକାରୀ ଯେଉଁମାନେ କର୍ତ୍ତବ୍ୟପାଳ ବେଳେ ସହିଦ ହୋଇଛନ୍ତି, ମୁଁ ସେମାନଙ୍କୁ ସାଲ୍ୟୁଟ୍ ଜଣାଉଛି । ଦେଶର ପ୍ରିୟ ପିଲାମାନଙ୍କୁ ଆଶୀର୍ବାଦ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ପୁଣିଥରେ ମୁଁ ଆପଣମାନଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଉଛି ।