ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ…

• ୭ ଜଣ ନୂଆ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ
• କଲେଜସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପୁରସ୍କୃତ
ସୁନ୍ଦରଗଡ଼ : ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀ, ସାଧାରଣ ନାଗରିକ ତଥା ଯୁବପିଢ଼ିଙ୍କ ମଧ୍ୟରେ ମତଦାନ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୩ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିକାଶ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ନାଗରିକ ଏବଂ ଯୁବପିଢ଼ି ଆଗାମୀ ଦିନମାନଙ୍କରେ ଆୟୋଜିତ ହେବାକୁ ଥିବା ନିର୍ବାଚନରେ ନିଜ ନିଜର ମତଦାନ ସାବ୍ୟସ୍ତ କରିବା ଲାଗି ଶପଥ ନେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ କହିଥିଲେ, “ଭାରତ ଭଳି ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକଙ୍କର ସ୍ଵାଧୀନ ଭାବେ ମତଦାନ କରିବା ଅଧିକାର ରହିଛି। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ମତଦାନ ହାର ଶତ ପ୍ରତିଶତ ହେଉନାହିଁ। ଆଗାମୀ ଦିନରେ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ହେବାର ଆବଶ୍ୟକତା ରହିଛି। ସେଥିପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ଭୋଟ ଦେବା ଲାଗି ଉପଯୁକ୍ତ ବୟସ ହୋଇଥିବା ନାଗରିକ ଭୋଟର ତାଲିକାରେ ନାମ ପଞ୍ଜିକୃତ କରିବାକୁ ଆଗେଇ ଆସିବା ଦରକାର।”

ସେ ଆହୁରି ମଧ୍ୟ କହିଥିଲେ ଯେ, ଆଦିବାସୀ ବହୁଳ ସୁ‌ନ୍ଦରଗଡ଼ ଜିଲ୍ଲାରେ ଅଧିକାଂଶ ନାଗରିକ ନିଜର ଭୋଟ ଦେବାର ଅଧିକାର ସମ୍ପର୍କରେ ଅବଗତ ନାହାନ୍ତି। ତେଣୁ ଆମ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ଲାଗି ନିଜ ନିଜର ମୂଲ୍ୟବାନ ମତଦାନ ସାବ୍ୟସ୍ତ କରିବା ଆବଶ୍ୟକ। ଲୋକଙ୍କୁ ମତଦାନ ଅଧିକାର ସମ୍ପର୍କରେ ସଚେତନ କରିବା ଆବଶ୍ୟକତା ରହିଛି। ଯୁବପିଢ଼ି ଏହାର ନେତୃତ୍ଵ ନେବାକୁ ଆଗେଇ ଆସିବାର ଜରୁରୀ ବୋଲି ସେ କହିଛନ୍ତି।

ଲହୁଣୀପଡ଼ା ବ୍ଲକର ଆଦିମ ଜନଜାତି (ପାଉଡି ଭୂୟାଁ) ଅଞ୍ଚଳର ଲୋକଙ୍କୁ ମତଦାନ ଅଧିକାର ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ବିଡିଓ ଅବଗତ କରାଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ବିଡିଓଙ୍କ ପ୍ରଚେଷ୍ଟାରେ ଶତ ପ୍ରତିଶତ ଭୋଟର ପରିଚୟପତ୍ର ପାଇଁ ନାମ ପଞ୍ଜିକରଣ ହୋଇପାରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ କହିଛନ୍ତି।

ଜିଲ୍ଲାସ୍ତରୀୟ ଜାତୀୟ ମତଦାନ ଦିବସ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମତଦାନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ “ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ” ଶୀର୍ଷକ କଲେଜସ୍ତରୀୟ ବକ୍ତୃତା, କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ୭ ଜଣ ନୂଆ ଭୋଟଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାରେ ଅନୁଷ୍ଠିତ ନିର୍ବାଚନ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୭ ଜଣ ବିଏଲଓ ଏବଂ ବିଏଲଓ ସୁପରଭାଇଜର‌ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ଲଲିତ ରଞ୍ଜନ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ହାବଡ଼ାସିଂ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଡେପୁଟି କଲେକ୍ଟର ସୁନୀଲ ମିଶ୍ର, ସଦର ତହସିଲଦାର କୁଳମଣି ରଣବିଡ଼ାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.