ଫେବୃୟାରୀ ୧୫ରୁ ଅସମ୍ଭାଳ ହେବ ତାତି…

ଭୁବନେଶ୍ୱର: ଚଳିତ ବର୍ଷ ଶୀତର ପ୍ରକୋପ ନାହିଁ। ଜାନୁୟାରୀ ପ୍ରଥମ ସପ୍ତାହରେ ୨/୪ ଦିନ ରାଜ୍ୟରେ ଥଣ୍ଡାର ପ୍ରକୋପ ଦେଖା ଦେଇଥିବା ବେଳେ ଶୀତ ଏକପ୍ରକାର ଗାଏବ ହୋଇଯାଇଛି। ଜାନୁୟାରୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲ୍‌ସିୟସକୁ ଟପିଗଲାଣି। ଆସନ୍ତା ଫେବୃୟାରୀ ୧୫ରୁ ରାଜ୍ୟରେ ଅସହ୍ୟ ତାତିର ପ୍ରକୋପ ସହ୍ୟ କରିବାକୁ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କଲେଣି।

ରାଜ୍ୟରେ ତାତି ବଢ଼ିବା ଆରମ୍ଭ ହୋଇଛି। ଗତ କିଛିଦିନ ହେବ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍‌ସିୟସ ବଢ଼ିଲାଣି। ଫେବୃୟାରୀ ଦ୍ୱିତୀୟ ସପ୍ତାହରୁ ପାରଦ ଉପରମୁହାଁ ହେବ। ଚଳିତ ମାସ ଶେଷ ଯାଏ ପାଗରେ କୌଣସି ପରିବର୍ତ୍ତନର ସୂଚନା ନାହିଁ। ନିକଟରେ ମଧ୍ୟ ବର୍ଷାର ଆକାର ଦେଖାଯାଉ ନାହିଁ। ଗତ ନଭେମ୍ବରରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ଟୋପାଏ ବର୍ଷା ନାହିଁ। ବର୍ଷା ନ ଥିବାରୁ ଚଳିତ ବର୍ଷ ତାତି ଫେବୃୟାରୀରୁ ୩/୪ ଡିଗ୍ରୀ ସେଲ୍‌ସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୮.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ରାତ୍ରିରେ ହାଲୁକା ଶୀତ ଅନୁଭୂତ ହେବ।

nis-ad
Leave A Reply

Your email address will not be published.