ଜିଲ୍ଲା ପରିଷଦର ୭୦ ତମ ବୈଠକ ଅନୁଷ୍ଠିତ : କ୍ଷେତ୍ର ଗସ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ…

ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୭୦ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଶ୍ରୀ ପତିତ ପାବନ ବୈଦ୍ୟ, ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ, ଖଣ୍ଡୀୟ ବନାଧିକାରୀ, ଶ୍ରୀ ପ୍ରତାପ କୋଟାପାଲ୍ଲି ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ରତ୍ନାକର ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବାକା ପ୍ରତ୍ୟେକ ତିନି ମାସରେ ଏହି ବୈଠକକୁ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ କ୍ଷେତ୍ର ଗସ୍ତ କରିବା ପାଇଁ ମଧ୍ୟ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ଆଜିର ବୈଠକରେ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗମନାଗମନ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କୁ ନେଇ ସମୀକ୍ଷା କରାଯାଇଥିଲା। ଅଗ୍ରାଧିକାର ଭିତ୍ତିରେ ରାସ୍ତାଘାଟ କାମ ସାରିବାକୁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଚାଷୀମାନେ ସୁଲଭ ମୂଲ୍ୟରେ ଯେଉଁଭଳି ଭାବେ ମଣ୍ଡିରେ ଧାନ ବିକ୍ରୀ କରିପାରିବେ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାର ଚିକିତ୍ସାଳୟ ଗୁଡ଼ିକୁ ୫ଟି ଭିତ୍ତିରେ ରୂପାନ୍ତରଣ କରିବାର ଯୋଜନା ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଏହି ବୈଠକରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ବୈଠକରେ ସାତଟି ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ସମସ୍ତ ଜିଲ୍ଲା ସ୍ତରୀୟ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.