ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପଢ଼ାଯାଉଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଜୁନିୟର୍ କଲେଜ (ହାୟର ସେକେଣ୍ଡାରୀ ସ୍କୁଲ) ଗୁଡ଼ିକରେ ଆସନ୍ତା ୨୮ ତାରିଖରେ ଅଭିଭାବକ-ଶିକ୍ଷକ ବୈଠକ (ପିଟିଏମ୍) ଅନୁଷ୍ଠିତ ହେବ । ଦୁଇ ଘଣ୍ଟା ଧରି ପିଟିଏମ୍ ଚାଲିବ । ଆବଶ୍ୟକ ସ୍ଥଳେ ଅନଲାଇନ୍ରେ ଅଭିଭାବକଙ୍କୁ ଯୋଡିବା ପାଇଁ ବ୍ୟବସ୍ଥା କରାଯାଇପାରିବ । ବ୍ୟାନର୍ ଲାଗିବା ସହିତ ବୈଠକରେ ଯୋଗ ଦେଇଥିବା ଅଭିଭାବକଙ୍କର ନାମ ରେଜିଷ୍ଟ୍ରାରରେ ରହିବ ।
ସେହିଦିନ ଅପରାହ୍ଣ ୩ଟା ସୁଦ୍ଧା ୨ରୁ ୫ଟା ଭଲ ଫଟୋ ଏବଂ ଗୋଟିଏ କିମ୍ବା ଦୁଇଟି ଭିଡିଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟକୁ ପଠାଯିବ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓସେପା ଓ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ଅଧିକାରୀମାନେ ବିଭିନ୍ନ ଜିଲ୍ଲାର ପିଟିଏମ୍ ବୈଠକଗୁଡ଼ିକୁ ଅନୁଧ୍ୟାନ କରିବେ । ସମଗ୍ର ଶିକ୍ଷାରେ ଥିବା ଅର୍ଥରୁ ଏ ବାବଦରେ ଖର୍ଚ୍ଚ କରାଯିବ । ଯେଉଁ ଜୁନିୟର୍ କଲେଜରେ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ଥିବ, ସେଠାରେ ଉଭୟ ଅନୁଷ୍ଠାନ ପାଇଁ ମିଳିତ ବୈଠକ ଅନୁଷ୍ଠିତ ହେବ ।
ବୈଠକରେ କ୍ୟାରିୟର୍ କାଉନସେଲିଂ, ପାଠପଢ଼ା, ଛାତ୍ର ଉପସ୍ଥାନ, ଛାତ୍ରବୃତ୍ତି, ମୋ ସ୍କୁଲ ଅଭିଯାନରେ ଆଲୁମ୍ନିଙ୍କୁ ଯୋଡ଼ିବା, ର୍ୟାଗିଂ ଫ୍ରି କ୍ୟାମ୍ପସ୍ ସମ୍ପର୍କରେ ଆଲୋଚନା କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆଶ୍ୱତୀ ଏସ୍ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ।