ଲହୁଣୀପଡ଼ା, କୋଇଡ଼ା ଓ ବଣାଇଁ ବ୍ଲକରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ଵାଗତ…

ସୁନ୍ଦରଗଡ଼/ରାଉରକେଲା/ ବଣାଇଁ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ହକି ବିଶ୍ୱକପ ଟ୍ରଫି ଟୁରକୁ ଭବ୍ୟ ସ୍ବାଗତ କରାଯାଉଛି। ରବିବାର ଦିନ ଏହି ଟ୍ରଫି ଟୁରକୁ ଲହୁଣୀପଡ଼ା, କୋଇଡ଼ା, ବଣାଇଁ ବ୍ଲକରେ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ଲହୁଣୀପଡ଼ା ବ୍ଲକର ବଡ଼ ପୁରୁଣାପାଣିରେ ହକି ବିଶ୍ୱକପ ଟ୍ରଫି ଟୁରକୁ ଉତ୍ସାହର ସହ ସ୍ଵାଗତ କରାଯାଇଥିଲା। ଏହି ଅବସରରେ ବଡ଼ ପୁରୁଣାପାଣି ସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରରେ ଏକ ପ୍ରଦର୍ଶନୀ ହକି ମ୍ଯାଚର ଆୟୋଜନ କରାଯାଇଥିଲା।

ଏହା ପରେ ହକି ବିଶ୍ୱକପ ଟ୍ରଫି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଖଣ୍ଡାଧାରରେ ପହଞ୍ଚିବା ପରେ ଲୋକମାନେ ଏହାକୁ ଆନନ୍ଦର ସହ ସ୍ଵାଗତ କରିଥିଲେ। ସେଠାରେ ସ୍ଥାନୀୟ ପାଉଡି ଭୂୟାଁ ଜନଜାତିଙ୍କ ଦ୍ଵାରା ପରିବେଷିତ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଖଣ୍ଡାଧାର ପରେ ଟ୍ରଫି ଟୁର ବରସୁଆଁରେ ପହଞ୍ଚି ଥିଲା। ଏହି ଅବସରରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା।ହକି ବିଶ୍ୱକପ ଟ୍ରଫିକୁ ସ୍ଵାଗତ କରିବା ପାଇଁ କରାଯାଇଥିବା ଆତସବାଜି ପ୍ରଦର୍ଶନ ବେଶ୍ ଆକର୍ଷଣୀୟ ଥିଲା। ଏହା ପରେ ଟ୍ରଫି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଟେନସାରେ ପହଂଚିବା ପରେ ଏହାକୁ ଉପସ୍ଥିତ ଜନତା ଆନନ୍ଦ ସହକାରେ ସ୍ଵାଗତ କରିଥିଲେ। ଆଦିବାସୀ ନୃତ୍ୟ ସଙ୍ଗୀତ ମାଧ୍ୟମରେ ହକି ବିଶ୍ୱକପ ଟ୍ରଫିକୁ ସ୍ଵାଗତ କରାଯାଇଥିଲା।

ଏହା ପରେ ଟ୍ରଫି କୋଇଡ଼ା ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିଥିଲା। ଏହି ସମୟରେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ଏକ ଖାଦ୍ୟ ଷ୍ଟଲ୍ କରାଯାଇଥିଲା। ରାସ୍ତାରେ ସାଧାରଣ ଲୋକ, ଯୁବପିଢ଼ି, ଛାତ୍ରଛାତ୍ରୀ ସମସ୍ତେ ଜାତୀୟ ପତାକା ଧରି ହକି ବିଶ୍ୱକପ ଟ୍ରଫିକୁ ସ୍ଵାଗତ କରିଥିଲେ। ଏହି ଅବସରରେ ଏକ ବାଇକ୍ ରାଲି ଆୟୋଜିତ କରାଯାଇ ଟ୍ରଫିକୁ ବିଜୁ ପଟ୍ଟନାୟକ ପାର୍କ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।

ଏହା ପରେ ହକି ବିଶ୍ୱକପ ଟ୍ରଫି ବଣାଇଁ ବ୍ଲକରେ ପହଞ୍ଚିବା ପରେ ବିପୁଳ ସ୍ଵାଗତ ଦିଆଯାଇଥିଲା। ଏହି ଅବସରରେ ସ୍ଥାନୀୟ ରାଜା ଧରଣୀଧର ମହାବିଦ୍ୟାଳୟ ଖେଳ ପଡିଆରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଟ୍ରଫି ଟୁରରେ ବଣାଇଁର ମାନ୍ୟବର ବିଧାୟକ ଶ୍ରଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଲ ଲାକ୍ରା, ବଣାଇଁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁରଞ୍ଜନ ସାହୁ, ଲହୁଣୀପଡ଼ା ବିଡିଓ ଶ୍ରୀଯୁକ୍ତ ଧରଣୀଧର ଟୁଡୁ, କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ, ବଣାଇଁ ବିଡିଓ ସ୍ବଦୀପ ଟପ୍ପୋ, ବ୍ଲକ ଅଧ୍ୟକ୍ଷା ମଂଜୁଲତା କିଷାନ ପ୍ରମୁଖ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.