ବୈଶିଙ୍ଗା: ଶୁକ୍ରବାର ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳଡାହି ଶାଳ ଜଙ୍ଗଲରୁ ଜନୈକ ବୃଦ୍ଧାଙ୍କର ଝୁଲନ୍ତା ମୃତ ଦେହ ଜବତ କରିଛି ବୈଶିଙ୍ଗା ପୁଲିସ । ମୃତ ବୃଦ୍ଧ ଜଣକ ହେଲେ ରୁହିଆ ମାଝୀ(୫୦) । ସୂଚନାଯୋଗ୍ୟ ବାଲେଶ୍ୱର ସଦର ଥାନା ଅଧୀନ କାୟାକଦଳା ଗ୍ରାମର ସ୍ୱର୍ଗତଃ ଲସ ମାଝୀଙ୍କ ପୁଅ ରୁହିଆ ସସ୍ତ୍ରୀକ ବଙ୍ଗାଳଡାହି ଗ୍ରାମରେ ଥିବା ନିଜ ଜ୍ୱାଇଁ ଘରେ ଦୀର୍ଘ ଛଅ ବର୍ଷ ହେବ ରହିଆସୁଥିଲେ । ରୁହିଆ ଟ୍ରଲର ସାହାଯ୍ୟରେ ମାଛ ଧରିବା କାର୍ଯ୍ୟ କରନ୍ତି । ମାତ୍ର ମକରରେ ଘରକୁ ଆସିଥିବା ବେଳେ ଗୁରୁବାର ସନ୍ଧ୍ୟା ସମୟରେ ଘରୁ ବାହାରି ଆସି ଆଉ ଘରକୁ ଫେରି ନଥିଲେ ।
ଶୁକ୍ରବାର ସକାଳ ସମୟରେ ବଙ୍ଗାଳଡାହି ଶାଳ ଜଙ୍ଗଲ ମଧ୍ୟରେ ଗ୍ରାମର କିଛି ଲୋକ ଏକ ଗଛରେ ଝୁଲନ୍ତା ମୃତ ଦେହ ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରୁହିଆଙ୍କ ପରିବାରର ସଦସ୍ୟ ପହଞ୍ଚି ରୁହିଆଙ୍କୁ ଚିହ୍ନଟ କରିବା ସହ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଦେଇଥିବା ଜଣାଯାଇଛି । ଏ ନେଇ ବୈଶିଙ୍ଗା ଥାନାରେ ୬/୨୩ ର ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଚାଲିଥିବା ପୁଲିସ ସୂତ୍ରରୁ ପ୍ରକାଶ ।