ଉତ୍କଳ ବିଶ୍ବବିଦ୍ୟାଳୟରେ ଅମୃତ ମହୋତ୍ସବ ଯାତ୍ରାର ସମାପନ ସମାରୋହ…

ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ କୁଳପତିଙ୍କ ଆହାନ
ଭୁବନେଶ୍ୱର : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ଭାରତୀୟ ମାନଙ୍କ ମଧ୍ୟରେ ଏକ ନବ ଉନ୍ମାଦନା ଆଣିଦେଇଛି | ସ୍ୱାଧୀନତାର ଶତାବ୍ଦୀ ବର୍ଷ ୨୦୪୩ ପର୍ଯ୍ୟନ୍ତ ଉକ୍ତ ୨୫ବର୍ଷର ଅମୃତକଳା ଆମ୍ଭମାନଙ୍କ ପାଇଁ ଏକ ସୁଯୋଗ ଆଣି ଦେଇଛି। ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନର ଭାରତର ନବ ନିର୍ମାଣରେ ଆମ୍ଭ ମାନଙ୍କର ଭୂମିକା ନିଶ୍ଚିତ କରାଇବା ଆଭିମୁଖ୍ୟ ନେଇ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଓଡିଶା ପ୍ରାନ୍ତ ତରଫରୁ ‘ଉଠ ! ଜାଗ ! ଅମୃତ ମହୋତ୍ସବ ଯାତ୍ରା’ ଆରମ୍ଭ କରାଯାଇଥିଲା। ଗତ ଡ଼ିସେମ୍ବର ୨୫ ରୁ ବିବେକାନନ୍ଦ କେନ୍ଦ୍ର ଐକ୍ୟମରୁ ଆରମ୍ଭ ହୋଇ ୨୧ ଜିଲାର ପ୍ରାୟ ୨୧୦୦ କିମି ପରିକ୍ରମା କରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଥିଲା | ଉତ୍କଳ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ପାଖରେ ରଥ ପହଞ୍ଚିବା ପରେ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ଏବଂ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକର୍ତ୍ତାମାନେ ଭାରତ ମାତାଙ୍କୁ ପୁଷ୍ପ ଅର୍ପଣ ସହ ସ୍ୱାଗତ କରିଥିଲେ | ଭାରତ ମାତା ଓ ସ୍ୱାମୀ ବିବେକାନନ୍ଦଙ୍କ ସୁସଜ୍ଜିତ ରଥ ସହିତ ଶତାଧିକ ଛାତ୍ର ଛାତ୍ରୀଙ୍କ ଶୋଭାଯାତ୍ରାରେ ଆସିଥିଲେ। ଏହି ଶୋଭାଯାତ୍ରା ଯାଇ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ ପହଞ୍ଚିଥିଲା | କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେଯୋଗଦେଇ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ହେଉଛି ଶକ୍ତିଶାଳୀ ଓ ରାଷ୍ଟ୍ରପ୍ରେମୀ ଯୁବକମାନଙ୍କ ପେଣ୍ଠସ୍ଥଳୀ। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ଆହାନ ଦେଇଥିଲେ | ନିଜର ବ୍ୟକ୍ତିଗତ ଶ୍ରେଷ୍ଠତାକୁ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ସମର୍ପି ଦେବା ପାଇଁ ଯୁବ ସମାଜକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ |
ସର୍ବ ଭାରତୀୟ ଉପାଧ୍ୟକ୍ଷା ସୁଶ୍ରୀ ନିବେଦିତା ଭିଡ଼େ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବକମାନଙ୍କ ଭିତରେ ଥିବା ଅକଳ୍ପନୀୟ ଶକ୍ତି, ସାହସ, ଅଦମ୍ୟ ଇଛାର ଚରିତାର୍ଥ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ଅନୁସରଣ କରିବାର ମାର୍ଗ ଦେଖାଇଥିଲେ I ଆମର ଜୀବନ ଏ ରାଷ୍ଟ୍ର ପାଇଁ ସମର୍ପିତ, ଏହି ଭାବନା ନେଇ କାମ କଲେ, ଭାରତ ବିଶ୍ବଗୁରୁ ହୋଇ ପାରିବ ବୋଲି ସେ କହିଥିଲେ।


ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଅଭୟ କୁମାର ନାୟକ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସ୍ୱାମିଜୀଙ୍କର ଅମର ବାଣୀଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ସେଥିରୁ କିଛି ମାତ୍ର ନିଜ ଜୀବନରେ ଉପଯୋଗ କରାଇ ପାରିଲେ ସ୍ବାମୀଜୀଙ୍କ ପ୍ରତି ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ ରଖିଥିଲେ I ଅନ୍ୟତମ ଅତିଥି ପ୍ରଫେସର ସୁବାଷ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I ସଭାକୁ ସଂଚାଳନ କରିଥିଲେ ସଂତାପ କୁମାର ଜେନା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନରେଶ କୁମାର ଦାଶ, ମନୋଜ କୁମାର ସାହୁ, ବିଶ୍ୱଜିତ, ଦୀପ୍ତିମୟୀ, ରାଜଶ୍ରୀ, ସୁଭାସମିତ, ନିକିତା, ନିରୁପମା, ଦିବ୍ୟ ଓ ସରୋଜିନୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.