ବଡ଼ଗାଁ ଏବଂ କୁତ୍ରା ବ୍ଲକରେ ହକି ବିଶ୍ୱକପ୍ ଟ୍ରଫି ଟୁରକୁ ଉତ୍ସାହର ସହ ସ୍ୱାଗତ…

ସୁନ୍ଦରଗଡ଼, ୧୯ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଗାଁରେ ହକି ବିଶ୍ୱକପ୍ ଟ୍ରଫି ଟୁରକୁ ସ୍ୱାଗତ କରିବା ପାଇଁ ସାଧାରଣ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ ପାଛୋଟି ନେଉଛନ୍ତି। ଗୁରୁବାର ଦିନ ବଡ଼ଗାଁ ଏବଂ କୁତ୍ରା ବ୍ଲକର ବିଭିନ୍ନ ସ୍ଥାନରେ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି।

ବିଶ୍ୱକପ୍ ଟ୍ରଫି ଟୁର୍ ଆଜି ବଡ଼ ଗାଁ ବ୍ଲକର ଜରଙ୍ଗଲୋଇ, ଇତମା, ଟିକିଲିପଡ଼ା, ଗରିଆମାଲ, ରୁନଗାଁ, ଏକମା, ଟିମନା, ତୁଡ଼ାଲଗା, ଦେଓକରଣପୁର ଆଦି ସ୍ଥାନକୁ ଯାଇଥିଲା। ସବୁଠି ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକମାନେ ଉତ୍ସାହର ସହିତ ଟ୍ରଫିକୁ ସ୍ୱାଗତ କରିଥିଲେ।

ଜରଙ୍ଗଲୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଟ୍ରଫି ଟୁରକୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ବିଡିଓ କ୍ଷମାନିଧି ଭୋଇ, ଡିପିଏମ ଏନଏଚଏମ ଶଙ୍କର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ଏହାପରେ ଟ୍ରଫିକୁ ବିଭିନ୍ନ ଗ୍ରାମପଞ୍ଚାୟତରେ ଖଞ୍ଜଣୀ, ମୃଦଙ୍ଗ ବାଦ୍ୟ ସହ ଆଦିବାସୀ ନାଚ ଗୀତ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ଫଳରେ ବଡ଼ ଗାଁ ବ୍ଲକରେ ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି ହୋଇଥିଲା। ହକି ବିଶ୍ୱକପର ମାସ୍କଟ ଅଲି ବିଶେଷ ଆକର୍ଷଣ ପାଲଟିଥିଲା।

ଦେଓକରଣପୁର ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଚକ ଦେ ଇଣ୍ଡିଆ ଏବଂ ଆଇ ଲଭ ହକି ସ୍ଲୋଗାନ ଦେଇ ଟ୍ରଫିକୁ ସ୍ୱାଗତ କରିଥିଲେ। ସେହିପରି ଟ୍ରଫିକୁ ଇତମାସ୍ଥିତ ଜଗନ୍ନାଥ ମନ୍ଦିରକୁ ନିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା। ବଡଗାଁ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଟ୍ରଫି ଟୁର ଅବସରରେ ଗରିଆମାଲଛକରୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇଥିଲା।

ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବାର ମାସରେ ତେର ପର୍ବ ଏବଂ ହକି ଥିମ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ। କନ୍ୟା ଭ୍ରୁଣ ହତ୍ୟା ରୋକିବା ଉପରେ ଏକ ନୀରବ ଅଭିନୟ ବିଶେଷ ଆକର୍ଷଣୀୟ ହୋଇଥିଲା। ସେହିପରି କିସାନ ନୃତ୍ୟ, ସଂକୀର୍ତ୍ତନ ଆଦିରେ ପରିବେଶ ଉତ୍ସମୁଖର ହୋଇ ଉଠିଥିଲା।

କୁତ୍ରା ବ୍ଲକର ଗଙ୍ଗାଜଳ, ତେଲିଘଣା, କୁତ୍ରା, ଜ୍ଞାନପାଲି, ଖତକୁରବାହାଲ, ପଞ୍ଚୋରା ଆଦି ସ୍ଥାନରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। କୁତ୍ରା ବିଡିଓ ରବୀନ୍ଦ୍ର କୁମାର ସେଠୀ ଏଥିରେ ଯୋଗ ଦେଇଥିଲେ। ଓରାମ, କିସାନ, ମୁଣ୍ଡା, ଖଡିଆ, ପାଣିକୀ ନୃତ୍ୟ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ଭିନ୍ନକ୍ଷମ ପିଲାମାନଙ୍କ ଭିତରେ ହ୍ୟାଣ୍ଡବଲ ପ୍ରତିଯୋଗିତା କରାଯାଇଥିଲା। କୁତ୍ରା ହାଇସ୍କୁଲର ଛାତ୍ରୀମାନେ ସ୍ଵଚ୍ଛ ଭାରତ ମିଶନ ଥିମରେ ନୃତ୍ୟ ପରିବେଷଣ କରିଥିଲେ। ତା’ସହିତ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ଷ୍ଟଲ ଲାଗିଥିଲା। ଭେଲୁଆଡିହିସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରକୁ ଟ୍ରଫି ନିଆଯାଇଥିଲା।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.