ଶ୍ରମିକ କଲ୍ୟାଣ ପାଇଁ ଆଦାୟ ଅର୍ଥର ହିସାବ ହେବ: ହାଇକୋର୍ଟ

କଟକ: ରାଜ୍ୟରେ ଶ୍ରମିକଙ୍କ କଲ୍ୟାଣ ପାଇଁ ଆଦାୟ ହୋଇଥିବା ୫୭୯ କୋଟି ୪୯ ଲକ୍ଷ ୪୧ ହଜାର ୫୭୫ ଟଙ୍କା ଉପଯୋଗ ନ ହୋଇ ପଡି ରହିଛି। ଶ୍ରମିକଙ୍କ କଲ୍ୟାଣ ତଥା ସାମାଜିକ ନିରାପତ୍ତା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହୁଥିବା ବେଳେ ଏତେ ପରିମାଣର ଅର୍ଥ ପଡ଼ି ରହିବାର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଛି। ହାଇକୋର୍ଟ‌ରେ ଏହାକୁ ନେଇ ମାମଲା ରୁଜୁ ହୋଇଥିବା ବେଳେ ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ଅନୁସାରେ ଆଦାୟ କରାଯାଇଥିବା ଓ ଖର୍ଚ୍ଚ କରାଯାଇଥିବା ସମସ୍ତ ଅର୍ଥର ସ୍ପେଶାଲ ଅଡିଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୬ ମାସ ଭିତରେ ସ୍ପେଶାଲ ଅଡିଟ କରାଯିବ ଓ ଏ ସଂପର୍କିତ ରିପୋର୍ଟ ସତ୍ୟପାଠ ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ମା‌ଣ ଶ୍ରମିକଙ୍କ କଲ୍ୟାଣ ପାଇଁ ତିନୋଟି ବର୍ଗରେ ଟଙ୍କା ଆଦାୟ କରାଯାଉଥିବା ବେଳେ ସମସ୍ତ ବର୍ଗର ପୃଥକ ଆୟବ୍ୟୟର ହିସାବ ରଖିବା ପ୍ରସଂଗ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ବୋର୍ଡ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକଙ୍କ କଲ୍ୟାଣ ପାଇଁ ଥିବା ଆଇନ ଅନୁସାରେ ତିନୋଟି ବର୍ଗରେ ଯଥା ନିଯୁକ୍ତିଦାତାଙ୍କ ନିକଟରୁ ସେସ୍, ଶ୍ରମିକଙ୍କ ନିକଟରୁ ଆବେଦନ ଓ ବାର୍ଷିକ ଦେୟ ବାବଦରେ ୫୦ ଓ ୨୦ ଟଙ୍କା ଆଦାୟ କରାଯାଉଛି। ଏହି ସବୁ ଅର୍ଥର ପୃଥକ ହିସାବ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ଓ ଏ ସଂପର୍କିତ ନିୟମାବଳୀ କଡ଼ାକଡ଼ି ପାଳନ କରାଯାଉଥିବା ନେଇ ପରବର୍ତ୍ତୀ ଶୁଣାଣି ସମୟରେ ବୋର୍ଡ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବ। ଏଥି ସହିତ ଆଇନ ଅନୁସାରେ ଶ୍ରମିକଙ୍କ ପାଖରେ କଲ୍ୟାଣକାରୀ ସୁବିଧା ପହଞ୍ଚୁଥିବା ପ୍ରସଂଗରେ ମଧ୍ୟ ସତ୍ୟପାଠ ଦାଖଲ ପାଇଁ ବୋର୍ଡକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୩୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ମାମଲାର ଶୁଣାଣି ସମୟରେ ୨୦୨୨, ଡିସେମ୍ବର ୮ର ନିର୍ଦ୍ଦେଶ ପାଳନ କରି ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ କଲ୍ୟାଣକାରୀ ଯୋଜନାରେ ସାମିଲ ଶ୍ରମିକଙ୍କ ସଂଖ୍ୟା ଓ କଲ୍ୟାଣ ପାଣ୍ଠିରୁ ଶ୍ରମିକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହ୍ରାସ ପାଇଛି।

ବୋର୍ଡ ପକ୍ଷରୁ ଶ୍ରମିକଙ୍କ ପାଇଁ ଅନ୍ ଲାଇନ ପଞ୍ଜୀକରଣ ବ୍ୟବସ୍ଥା ୨୦୨୨, ମେ ୧ରୁ ଲାଗୁ ହୋଇଥିବା ବେଳେ ଏଥିରେ ରହିଥିବା ସମସ୍ୟାକୁ ଏଭଳି ହ୍ରାସର କାରଣ ଭାବେ ଦର୍ଶାଯାଇଥିଲା। ୨୦୨୨, ଡିସେମ୍ବର ଶେଷ ସୁଦ୍ଧା ୧.୨୬ ଲକ୍ଷ ନିର୍ମାଣ ଶ୍ରିମକ ପଞ୍ଜୀକରଣ କରିଥିବା ବେଳେ ୨୦୨୨-୨୩ରେ ୧୫୪.୬୨ କୋଟି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଛି। ୨୦୧୯ ପର୍ଯ୍ୟନ୍ତ ସେସ୍ ଓ ଶ୍ରମିକଙ୍କ ନିକଟରୁ ଆବେଦନ ଓ ବାର୍ଷିକ ଦେୟ ବାବଦରେ ଆଦାୟ କରାଯାଉଥିବା ଅର୍ଥ ପାଇଁ ଗୋଟିଏ ଖାତା ଥିଲା। ୨୦୧୯-୨୦ରୁ ଏଥି ପାଇଁ ପୃଥକ ଖାତା ବ୍ୟବସ୍ଥା ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୃଣାଳିନୀ ପାଢୀ ଦର୍ଶାଇଥିଲେ ଯେ ସରକାରଙ୍କ ସତ୍ୟପାଠରୁ ୨୦୨୨, ଡିସେମ୍ବର ଶେଷ ସୁଦ୍ଧା ୫୭୯ କୋଟି ୪୯ ଲକ୍ଷ ୪୧ ହଜାର ୫୭୫ ଟଙ୍କା ଉପଯୋଗ ନ ହୋଇ ପଡି ରହିଛି। ଏଥି ସହିତ ରାଜ୍ୟ ଶ୍ରମ ବିଭାଗର ୨୦୦୮, ଡିସେମ୍ବର ୧୫ ବିଜ୍ଞପ୍ତିରେ ମଧ୍ୟ ଏହି ପାଣ୍ଠିର ସ୍ପେଶାଲ ଅଡିଟ ପ୍ରସଂଗରେ ଉଲ୍ଲେଖ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍ ଆଇନ, ୧୯୯୬ ଓ କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ରେଗୁଲେସନ୍ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ୍) ଆଇନ କଡ଼ାକଡ଼ି କାର୍ୟ୍ୟକାରୀ ପ୍ରସଂଗ ନେଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଏହି ଦୁଇ ଆଇନ କାର୍ଯ୍ୟକାରୀ ପ୍ରସଂଗରେ କଣ ପଦକ୍ଷେପ ରାଜ୍ୟ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

nis-ad
Leave A Reply

Your email address will not be published.