ଡକାୟତି କରି ଧରାପଡ଼ିଲେ ଦୁଇ ଛାତ୍ର…

ସୋନପୁର: ଡକାୟତ ଗ୍ୟାଙ୍ଗରେ କଲେଜ ଛାତ୍ର। ଆଜି ପୁଲିସ ଧରିଥିବା ଏକ ଡକାୟତ ଗ୍ୟାଙ୍ଗରେ ୨ ଜଣ ଛାତ୍ର ରହିଛନ୍ତି। ଯାହାକୁ ନେଇ ସବୁ ମହଲରେ ଉଦ୍‌ବେଗ ବଢ଼ିବାରେ ଲାଗିଛି। ପାଠପଢ଼ି ଭଲ ମଣିଷ ହେବା ବଦଳରେ ଛାତ୍ରମାନେ ଅପରାଧ ଦୁନିଆରେ ପାଦ ରଖିବା ଅଲୋଚନାର ବିଷୟ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୁଲିସ ହାତରେ ଏହି ଡକାୟତ ଦଳ ଧରା ପଡ଼ିଛନ୍ତି।

ବୀରମହାରାଜପୁର ଏସଡିପିଓ ଡୋଳାମଣୀ ଭୋଇ କହିଛନ୍ତି, ଗତକାଲି ରାତି ୩ଟା ବେଳେ ବିନିକା ମହାନଦୀ ଘାଟରୁ ବାଲି ନେଇ ଆସୁଥିବା ଏକ ହାଇୱା ଗାଡିକୁ ଉଲୁଣ୍ଡା ଥାନା ଚଡେଇପଙ୍କ ନିକଟରେ ଦୁଇଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ଅଟକାଇ ଥିଲେ। ହାଇୱା ଚାଳକ ସେଠାରୁ ଚତୁରତାର ସହ ଖସି ପଳାଇଥିଲେ। ହେଲେ ହେଲପର ଖସି ଯାଇପାରି ନ ଥିଲେ। ଦୁର୍ବୃତ୍ତମାନେ ଏହି ଟ୍ରକ୍ ହେଲପରଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ପ୍ରବଳ ମାଡ଼ ମାରିଥିଲେ। ପରେ ତାଙ୍କଠୁ ମୋବାଇଲ ଓ ସାଢେ ୬ ହଜାର ଟଙ୍କା ଲୁଟି ନେଇଥିଲେ।

ଏନେଇ ମାଡ଼ ଖାଇଥିବା ଦୁଃଖିଶ୍ୟାମ ଦାଇଗିରିଆ ଓ ତାଙ୍କ ସାଥୀ,  ଉଲୁଣ୍ଡା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଉଲୁଣ୍ଡା ପୁଲିସ ତୁରନ୍ତ ଏହାର ତଦନ୍ତ କରିଥିଲା। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଗୋଟିଏ ମୋଟରସାଇକେଲ, ଗୋଟିଏ ଖେଳନା ପିସ୍ତଲ, ୬୫୦୦ ଟଙ୍କା, ଅନ୍ୟାନ୍ୟ କିଛି ଜିନିଷ ଏବଂ ୬ ମୋବାଇଲ ଜବତ କରାଯାଇଛି। ଜବତ ଖେଳନା ବନ୍ଧୁକକୁ ଦେଖାଇ ସେମାନେ ଏହି ଡକାୟତି କରିଥିବା ଜଣାପଡ଼ିଛି।

ଧରାପଡ଼ିଥିବା ଦୁର୍ବୃତ୍ତମାନେ ହେଲେ ସୋନପୁର ସହରର ଦେବାଶିଷ ଖପରଧୁଆ, ବୀରମହାରାଜପୁର କେନ୍ଦୁପାଲି ଗାଁର ଯୁଗେଇ ମେହେର ଏବଂ ନାବାଳକ ଥିବା ବୀରମହାରାଜପୁର ମହାବିଦ୍ୟାଳୟର ଜଣେ ଯୁକ୍ତ ୩(ବିଏସସି) ଛାତ୍ର ଓ ଜଣେ ଯୁକ୍ତ ୨ ଛାତ୍ର। ଦେବାଶିଷ ଖପରଧୁଆ ନାଁରେ ପୂର୍ବରୁ ଉଲୁଣ୍ଡା ଥାନାରେ ଗୋଟିଏ ଏବଂ ବିନିକା ଥାନାରେ ୩ ମାମଲା ରହିଛି।

ଦୁଇ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜରେ କରାଯିବ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବୀରମହାରାଜପୁର ଏସଡିପିଓ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.