ମାଘ ମେଳା ବିବାଦ: ଜିଦ୍‌ରେ ଅଡ଼ି ବସିଛନ୍ତି କୌପିନ ବାବା…

ଢେଙ୍କାନାଳ:  ଆସନ୍ତା ଫେବୃଆରୀ ୪ ତାରିଖରେ ଯୋରନ୍ଦା ପୀଠରେ ଆୟୋଜିତ ହେବ ମାଘ ମେଳା। ମାତ୍ର ବକ୍କଳ ଓ କୌପିନ ଧାରୀ ବାବାଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ତୁଟିବା ନାଁ ଧରୁ ନ ଥିବାରୁ ମେଳା ଆୟୋଜନ ନେଇ ଦେଖାଦେଇଛି ସସ୍‌ପେନ୍ସ।

ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୌଣସି ସମାଧାନର ସୂତ୍ର ବାହାରି ପାରି ନ ଥିବା ବେଳେ ଆଜି ଆୟୋଜିତ ହୋଇଥିବା ବୈଠକରେ ବି ସମାନ ଅବସ୍ଥା ଦେଖାଦେଇଛି। ମେଳା ସୁରୁଖୁରରେ ହେବ ବୋଲି ବକ୍କଳଧାରୀ ସମାଜ ପକ୍ଷରୁ କୁହାଯାଉଥିବା ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି  କୌପିନ ଧାରୀ ସମାଜ ବାବା ।

ପ୍ରାୟ ୨ ମାସ ପୂର୍ବେ ଯୋରନ୍ଦାସ୍ଥିତ ମହିମା ପୀଠର ତୃତୀୟ ବେଢ଼ାରେ ଥିବା ସାଧୁଙ୍କ ଉପାସନା ପୀଠ ଉଚ୍ଛେଦ ପରଠୁ ଲାଗି ରହିଥିବା ବିବାଦ ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି। ଏହାର ସମାଧାନ ନିମନ୍ତେ ଆଜି ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ପକ୍ଷର ବାବାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନା ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇ ପାରି ନ ଥିବା ଜଣାଯାଇଛି।

ବକ୍କଳଧାରୀ ବାବାଙ୍କ ସମାଜ ମୁଖ୍ୟ ନିତ୍ୟାନନ୍ଦ ବାବା କହିଛନ୍ତି, ଏଥର ମାଘମେଳା ସୁରୁଖୁରେ ହେବ । କୌପିନଧାରୀ ବାବାଙ୍କୁ ମନ୍ଦିର ସଂଲଗ୍ନ ମହିମା ଗୋସାଇଁଙ୍କ ଜାଗା ଦେବା ପାଇଁ ସ୍ଥିର ହୋଇଛି । ସେଠାରେ କୌପିନଧାରୀ ବାବାଙ୍କ ପାଇଁ ମଣ୍ଡପ ନିର୍ମାଣ କରିଦେବେ ବକ୍କଳଧାରୀ ବାବା  । ସେହି ମଣ୍ଡପରେ କୌପିନ ଧାରୀ ବାବା ଝାଡ଼ ଜାଳିବେ ଓ ଧୂନି ପୂଜା କରିବେ । ତେବେ ଅନ୍ୟ ସ୍ଥାନରେ ଭଜନ ସମାରୋହ କରିବେ । ସମସ୍ୟା ସମାଧାନ ପାଇଁ ଉଭୟ ପକ୍ଷର ବାବା ମିଳିମିଶି ଆଲୋଚନା କରିବେ ବୋଲି ।

ଅନ୍ୟପଟେ କୌପିନିଧାରୀ ବାବା ସମାଜ ମୁଖ୍ୟ ରଘୁନାଥ ଦାସ କହିଛନ୍ତି, ଆଲୋଚନାରେ ଆମେ ସନ୍ତୁଷ୍ଟ ନୁହଁ।  ଆମକୁ ଶୂନ୍ୟ ମନ୍ଦିର ଦିଆଯାଉ । ଝାଡ଼ ଜାଳିବା ପାଇଁ ଆମର ସୁବିଧା କରା ନ ଗଲେ ଆମେ କିପରି ମାଘ ମେଳାରେ ଯୋଗ ଦେବୁ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୨ରେ ଯୋରନ୍ଦା ମହିମାଗାଦିର ତୃତୀୟ ବେଢ଼ାରେ ରହିଥିବା କୌପିନଧାରୀ ମହିମା ସାଧୁଙ୍କ ଉପାସନା ପୀଠ ଭାଙ୍ଗି ଦେଇଥିଲା ପ୍ରଶାସନ । ଆରପଟେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର ଓ ଧୂନି ମନ୍ଦିରକୁ ବକ୍କଳଧାରୀ ସାଧୁ ନିଜ ଆୟତ୍ତରେ ରଖିବା ସହ କୌପୀନଧାରୀ ସାଧୁଙ୍କୁ ଉପାସନା ପାଇଁ ଛାଡ଼ୁ ନ ଥିବାରୁ ବିବାଦ ବଢ଼ିଛି।

nis-ad
Leave A Reply

Your email address will not be published.