ଶ୍ରୀମନ୍ଦିର ୟୁନିଫର୍ମ ପଲିସି ନୂଆ ରୁଲ୍‌କୁ ଲ୍ୟାଣ୍ଡ୍‌ ସବ୍‌କମିଟିର ଅନୁମୋଦନ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି କିଣାବିକା ନେଇ ୨୦୧୯ ୟୁନିଫର୍ମ ପଲିସି ନୂଆ ରୁଲ୍‌(ଶ୍ରୀମନ୍ଦିର ଜମି ପରିଚାଳନା ନିୟମ)କୁ ଲ୍ୟାଣ୍ଡ୍‌ ସବ କମିଟିର ଅନୁମୋଦନ। ଆଜି ଶ୍ରୀମନ୍ଦିର ଲ୍ୟାଣ୍ଡ୍‌ ସବ୍‌କମିଟି ବୈଠକରେ ଏହି ନିୟମ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲ୍ୟାଣ୍ଡ୍‌ ସବକମିଟିର ସଦସ୍ୟ ଭାବେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ଆଇନ ବିଭାଗ ଅଧିକାରୀ, ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ, ଦେବୋତ୍ତର ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ। ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିର ଲ୍ୟାଣ୍ଡ୍‌ ମ୍ୟାନେଜମେଣ୍ଟ ରୁଲ୍‌କୁ ଲ୍ୟାଣ୍ଡ୍‌ ସବ୍‌କମିଟି ଅନୁମୋଦନ କରିଛି। ଏହି ଅନୁମୋଦିତ ପ୍ରସ୍ତାବକୁ ପରିଚାଳନା କମିଟିକୁ ପଠାଯିବ। ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରି‌ଲେ, ଆଇନ ବିଭାଗକୁ ପଠାଯିବ। ପରବର୍ତ୍ତୀ ସମୟରେ ଏହା ଆଇନରେ ପରିଣତ ହେବ।

ସୂଚନା ମୁତାବକ, ମହାପ୍ରଭୁଙ୍କ ଜମି ଦଖଲ ବର୍ଷକୁ ଦେଖି ନୂଆ ରୁଲ୍‌ରେ ଲୋକଙ୍କୁ ଜମି ରିହାତି ଦରରେ ମିଳିବ ବୋଲି ଜଣାପଡ଼ିଛି। ମହାପ୍ରଭୁଙ୍କ ଜମି ବିକ୍ରି ବଟା ପାଇଁ ନୂଆ ନିୟମ ଲାଗୁ ହେବା ପରେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ଜମିର ଭୋଗ ଦଖଲରେ ଥିବା ପ୍ରଜା ଜମିର ମାଲିକାନା ପାଇପାରିବେ। ଆବେଦନର ଏକ ବର୍ଷ ଭିତରେ ଜମିର ପଟ୍ଟା ମିଳିବ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, ମହାପ୍ରଭୁଙ୍କ ଜମି କିଣାବିକା ନିମନ୍ତେ ରହିଥିବା ୟୁନିଫର୍ମ ପଲିସିରେ ରୁଲ୍ ନିର୍ଦ୍ଧାରଣ ନିମନ୍ତେ ଆଜିର ବୈଠକରେ ଅଲୋଚନା କରାଯାଇଥିଲା। ଜଗନ୍ନାଥଙ୍କ ଜମି କିଣାବିକା ନେଇ ପଡ଼ି ରହିଥିବା ଆବେଦନପତ୍ର ଉପରେ ମଧ୍ୟ ଅଲୋଚନା କରାଯାଇଥିଲା। ଯେଉଁ ଆବେଦନଗୁଡ଼ିକୁ ଲ୍ୟାଣ୍ଡ କମିଟିରେ ମଂଜୁର କରାଯାଇଛି, ତାହାକୁ ପରିଚାଳନା କମିଟିରେ ମଂଜୁରୀ ନିମନ୍ତେ ଉପସ୍ଥାପିତ କରାଯିବ। ଜଗନ୍ନାଥ ଜମିର କିପରି ମୂଲ୍ୟ ଧାର୍ଯ୍ୟ ହୋଇଛି ସେ ନେଇ ଆଲୋଚନା ହୋଇଥିବା ରୁଲ୍‌ ସମ୍ପର୍କରେ ଚିଠାକୁ ଆଇନ୍‌ ବିଭାଗକୁ ପଠାଇ ଦିଆଯିବ। ଆଇନ୍‌ ବିଭାଗ ଅନୁମୋଦନ ପରେ ରାଜ୍ୟ ସରକାର ଏହା ଉପରେ ଶେଷ ନିଷ୍ପତ୍ତି ନେବେ। ଏହା ପରେ ଜଗନ୍ନାଥ ଜମି ନେଇ ଲୋକଙ୍କ ଅଭିଯୋଗଗୁଡ଼ିକ ଫଇସଲା କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରକ୍ରିୟାକୁ ଶୀଘ୍ରାତି ଶୀଘ୍ର କରିବାକୁ ଚେଷ୍ଟା କରାଯାଉଛି।

ନିଷ୍ପତ୍ତି ଅନୁଯାୟୀ, ଆବେଦନକାରୀ ୨୦୧୯ ୟୁନିଫର୍ମ ପଲିସି ଓ ଶ୍ରୀମନ୍ଦିର ଲ୍ୟାଣ୍ଡ୍‌ ମ୍ୟାନେଜମେଣ୍ଟ ରୁଲ୍‌ ଆଧାରରେ ଶ୍ରୀମନ୍ଦିର ପ୍ରଶାସନଠାରୁ  ଜମି ବାବଦ ଏନଓସି ପାଇପାରିବେ। ଯଦି କେହି ୩୦ ବର୍ଷରୁ ଅଧିକ ଦିନ ଜମିର ଭୋଗ ଦଖଲରେ ଥିବେ, ସେମାନଙ୍କୁ ଏକର ପିଛା ଧାର୍ଯ୍ୟ ମୂଲ୍ୟ(ବେଞ୍ଚମାର୍କ ମୂଲ୍ୟ) ୬ ଲକ୍ଷ ଟଙ୍କାର ୧୦ ପ୍ରତିଶତ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ପଡ଼ିବ। ସେହିଭଳି ୨୦ରୁ ୩୦ ବର୍ଷ ଭିତରେ ଏକର ପିଛା ୯ ଲକ୍ଷ ଟଙ୍କା ହିସାବରେ ୧୫ ପ୍ରତିଶତ ଓ ୧୨ ରୁ ୨୦ ବର୍ଷ ଭିତରେ ଏକରକୁ ୧୫ ଲକ୍ଷ ହିସାବରେ ୨୫ ପ୍ରତିଶତ ଟଙ୍କା ଦେବାକୁ ପଡ଼ିବ। ୧୨ବର୍ଷରୁ କମ ଭୋଗ ଦଖଲରେ ଥିବା ଜମି ପାଇଁ ବର୍ତ୍ତମାନର ସରକାରୀ ଜମି ଦର ଅନୁସାରେ ଅର୍ଥ ରାଶି ପୈଠ କରିବାକୁ ପଡିବ ବୋଲି ପରିଚାଳନା କମିଟି ସଦସ୍ୟ ଦୁର୍ଗା ପ୍ରସାଦ ଦାସ ମହାପାତ୍ର କହିଛନ୍ତି।

ସେପଟେ  ଜମି କିଣାବିକା ପାଇଁ ଆବେଦନକାରୀଙ୍କୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ମାଗଣାରେ ଆବେଦନ ପତ୍ର ମିଳିବ। ଶ୍ରୀମନ୍ଦିର ପ୍ରଶାସନ, ତହସିଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରୁ ଆବେଦନାରୀ ଏହି ଫର୍ମ ପାଇପାରିବେ। ପୁଣି ଜିଲ୍ଲା ଲ୍ୟାଣ୍ଡ କମିଟି ଓ ମନ୍ଦିର ଲ୍ୟାଣ୍ଡ କମିଟିକୁ ଆବେଦନର ୯୦ ଦିନ ଭିତରେ ଜମି ମାମଲାର ଫଇସଲା ଓ ଧାର୍ଯ୍ୟ ଟଙ୍କା ଜମା ଦେବାକୁ ପଡ଼ିବ। ୯୦ ଦିନ ଭିତରେ ଟଙ୍କା ଜମା ନ ଦେଲେ ପୁନର୍ବାର ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଆବେଦନକାରୀ ଜମିର ସତ୍ୱଲିପି, ବିକ୍ରୟ ପତ୍ର, ରେଜିଷ୍ଟ୍ରି ପ୍ରମାଣପତ୍ର, ଖଜଣା ରସିଦ ଓ ଲିଗାଲ ହେୟାର ସାର୍ଟିଫିକେଟର ପ୍ରମାଣ ପତ୍ର ଦାଖଲ କରିବେ।

ସୂଚନା ଥାଉକି, ବର୍ଷ ବର୍ଷ ଧରି ହଜାର ହଜାର ଲୋକ ମହାପ୍ରଭୁଙ୍କ ଜମିର ଭୋଗ ଦଖଲରେ ଥିବାବେଳେ ଜମିର ପଟ୍ଟା କି ମାଲିକାନା ମିଳୁନଥିବାରୁ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଣୁ ଲୋକେ କିଭଳି ମହାପ୍ରଭୁଙ୍କ ଜମିର ମାଲିକାନା ପାଇପାରିବେ, ସେ ନେଇ ୨୦୦୩-୦୪ ବର୍ଷରେ ରାଜ୍ୟ ସରକାର ନୂଆ କରି ୟୁନିଫର୍ମ ପଲିସି ଲାଗୁ କରିଥିଲେ। କିନ୍ତୁ ଏହି ନିୟମରେ ଅନେକ ଜଟିଳ ପଦ୍ଧତି ପରେ ବିରୋଧଭାଷ ମୁଣ୍ଡ ଟେକିଥିଲା। ପରେ ୨୦୧୯ ମସିହାରେ ରାଜ୍ୟ ସରକାର ପୁନର୍ବାର ସଂଶୋଧିତ ୟୁନିଫର୍ମ ପଲିସିର ବିଜ୍ଞପ୍ତି ଜାରି କରିଥିଲେ। ଏହି ପଦ୍ଧତି ବି ଜଟିଳ ଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

କାରଣ ଯେଉଁ ଯେଉଁ ପ୍ରକ୍ରିୟାରେ ଜମି କିଣାବିକା କରିବାକୁ ନିଷ୍ପତ୍ତି ହୋଇଥିଲା, ସେହି ପ୍ରକ୍ରିୟାରେ ଆବେଦନକାରୀ ଜମି ପଟ୍ଟା ପାଇବାକୁ ବର୍ଷ ବର୍ଷ ଲାଗିଗଲା। ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ଆଇନ ବିଭାଗ ଦୌଡ଼ିବାକୁ ପଡ଼ୁଥିଲା। ଏଣୁ ରାଜ୍ୟ ସରକାର ନିକଟରେ ୟୁନିଫର୍ମ ପଲିସିକୁ ସରଳୀକରଣ ପାଇଁ ଶ୍ରୀମନ୍ଦିର ଲ୍ୟାଣ୍ଡ୍‌ ମ୍ୟାନେଜମେଣ୍ଟ ରୁଲ୍‌ ଆଣିଥିଲେ। ଯେହେତୁ ଏହି ନିୟମ ଲାଗୁ ପୂର୍ବରୁ ଶ୍ରୀମନ୍ଦିର ଲ୍ୟାଣ୍ଡ୍‌ ସବ୍‌କମିଟି ଓ ପରିଚାଳନା କମିଟି ଅନୁମୋଦନ ଆବଶ୍ୟକ, ସେ ଦୃଷ୍ଟିରୁ ରାଜ୍ୟ ସରକାର ଏହି ନିୟମ ଅନୁମୋଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇଥିଲେ।

ସେପଟେ ଆଜିର ନିଷ୍ପତ୍ତି ପରେ ୨୦୧୯ ୟୁନିଫର୍ମ ପଲିସିର କେତେକ ନିୟମକୁ ବିରୋଧ କରାଯାଇଛି। ଭୂସମ୍ପତ୍ତି ସୁରକ୍ଷା ପରିଷଦ ଉପସଭାପତି ବିରେନ୍ଦ୍ର ହୋତା ଓ ଭିଟାମାଟି ଅଧିକାର ମଞ୍ଚ ସମ୍ପାଦକ ଶ୍ରୀକାନ୍ତ ପରିଜା କହିଛନ୍ତି, ୨୦୦୩ ୟୁନିଫର୍ମ ପଲିସ ନିୟମ ଅନୁସାରେ ଅନେକ ଲୋକ ଜମି ରେଜିଷ୍ଟ୍ରେସନ କରିସାରିଛନ୍ତି, ତେଣୁ ପୁନଃ ୨୦୧୯ ମସିହା ପଲିସି ଲାଗୁ କରିବାକୁ ବିରୋଧ କରାଯିବ। ୨୦୦୩ ପଲିସି ଅନୁସାରେ ଜମି ରେଜିଷ୍ଟ୍ରେସନ କରାଯାଉ। ନଚେତ ଆନ୍ଦୋଳନ କରାଯିବ।

nis-ad
Leave A Reply

Your email address will not be published.