ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା: ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଦୋଷ ଦେଲା ବିଜେପି

ଭୁବନେଶ୍ୱର: କେମିତି ହେଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ? ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ଆଜି ଦଳିୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ବାଣ ଛାଡ଼ିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସେ କହିଛନ୍ତି, ରାଜଶ୍ରୀ ନିଖୋଜ ହେବାର ଦୁଇ ଦିନ ପର୍ଯ୍ୟନ୍ତ କାହିଁକି ଓସିଏ ପକ୍ଷରୁ ରାଜଶ୍ରୀଙ୍କ ପରିବାର କି ପୁଲିସକୁ ଏ ବାବଦରେ ଜଣାଇ ଦିଆଯାଇ ନ ଥିଲା। ଏହା ସନ୍ଦେହ ସୃଷ୍ଟି କରୁଛି। ରାଜଶ୍ରୀଙ୍କ ଟିମ୍‌ ମ୍ୟାନେଜର କିଏ? ସେ ସାମନାକୁ ଆସନ୍ତୁ। ହୋଟେଲରେ ଖେଳାଳିଙ୍କ ରହିବା କଥା କିଏ ବୁଝୁଥିଲା ?, ତାହା ସମସ୍ତେ ଜାଣିବା ଦରକାର ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ।

ସେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, ମନ୍ତ୍ରୀଙ୍କ ପଞ୍ଚାୟତର ଲୋକ ହୋଇଥିବାରୁ ରାଜଶ୍ରୀଙ୍କ ବାପା ମାଆ ଏ ବାବଦରେ ତୁଷାରକାନ୍ତିଙ୍କୁ ଜଣାଇଥିଲେ। କିନ୍ତୁ ହକିରେ ବ୍ୟସ୍ତ ଥିବା କହି ମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିଲେ। ଏଥିରୁ ସରକାର ମହିଳା ବିରୋଧୀ ବୋଲି ଜଣାପଡୁଛି ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ।

ଗତକାଲି ରାଜଶ୍ରୀଙ୍କ ଘରକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲା ବିଜେପିର ଏକ ଟିମ୍। ଯାହା ପରେ ଆଜି ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇବାକୁ ପଦକ୍ଷେପ ନେଇଛି ବିଜେପି।

ହେଲେ ଏହାକୁ ନେଇ ଓସିଏ କିମ୍ବା କ୍ରୀଡ଼ା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି। ସବୁ ଆଡୁ ଆଙ୍ଗୁଳି ଉଠିଥିଲା ହେଁ ସରକାର ମଧ୍ୟ ଏନେଇ ମୁହଁ ଖୋଲୁ ନାହାନ୍ତି, ନିରବ ବସିଛନ୍ତି। ଯାହା ସନ୍ଦେହର ବିଷୟ ହୋଇଛି।

ସେପଟେ ରାଜଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଭିଯୋଗ ପରେ ତଦନ୍ତକୁ ଜୋରଦାର କରିଛି ଗୁରୁଡିଝାଟିଆ ଥାନା ପୁଲିସ। ଗତକାଲି ଆଠଗଡ଼ ଏସଡିପିଓ ଓ ଗୁରୁଡିଝାଟିଆ ଥାନା ଅଧିକାରୀ ରାଜଶ୍ରୀଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି। ଘରୁ ରାଜଶ୍ରୀଙ୍କ ଏକ ପୁରୁଣା ଡାଏରୀ ଜବତ କରାଯାଇଛି। ଡାଏରୀର ହାତଲେଖା ଓ ସୁଇସାଇଡ ନୋଟର ମେଳ କରିବାକୁ ଏହା ପୁଲିସର କାମରେ ଆସିପାରେ। ଏବେ ସୁଦ୍ଧା ବ୍ୟବଚ୍ଛେଦ କିମ୍ବା ଭିସେରା ରିପୋର୍ଟ ଆସିନଥିବା ବେଳେ, ରିପୋର୍ଟ ଆସିଲେ ସତ୍ୟାସତ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ଗତ ୧୧ ତାରିଖରୁ ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା। ଯେତେବେଳେ କି ଗତ ଶୁକ୍ରବାର କଟକ ଗୁରୁଡ଼ିଝାଟିଆର ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା।

nis-ad
Leave A Reply

Your email address will not be published.