ସିଲକ୍ ସିଟି ଫେଷ୍ଟ ନା ଶାସକ ଦଳର ମହୋତ୍ସବ ?

ବ୍ରହ୍ମପୁର : କଳା ଓ ସଂସ୍କୃତିର ଜିଲ୍ଲା ଗଞ୍ଜାମ । ସ୍ଥାନୀୟ କଳାକାରଙ୍କୁ ମଂଚ଼ରେ ସୁଯୋଗ ଦେବା ସହ ଜିଲ୍ଲାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା ପାଇଁ ବିଭିନ୍ନ ମହୋତ୍ସବର ଆବଶ୍ୟକତା ରହିଛି । କେବଳ କଳାକାରଙ୍କୁ ନୁହେଁ ବରଂ ଜନସାଧାରଣଙ୍କ ମନୋରଞ୍ଜନ ସକାଶେ ମଧ୍ୟ ବିଭିନ୍ନ ମହୋତ୍ସବର ଆୟୋଜକ ଅତି ପ୍ରଶଂସନୀୟ । ସେହିପରି ବ୍ରହ୍ମପୁରରେ ଚାଲିଥିବା ସିଲକ୍ ସିଟି ଫେଷ୍ଟ ମଧ୍ୟ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଦୁର୍ଭାଗ୍ୟର କଥା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଫେଷ୍ଟ ସମ୍ପୁର୍ଣ୍ଣ ଭାବେ ଶାସକ ଦଳର ବ୍ୟକ୍ତିଗତ ମହୋତ୍ସବ ଭଳି ମନେ ହେଉଛି । ନା’ ସେଥିରେ ସହରର ବୁଦ୍ଧିଜିବୀଙ୍କୁ ନିମନ୍ତ୍ରଣ କରାଯାଉଛି ନା’ ବିଜେଡ଼ି ବ୍ୟତିତ ଅନ୍ୟ କୌଣସି ରାଜନୈତିକ ଦଳର ନେତା । କହିବାକୁ ଗଲେ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଥିବା ଏହି ମହୋତ୍ସବ ସମ୍ପୁର୍ଣ୍ଣ ବିଜୁ ଜନତା ଦଳର ଏକ କାର୍ଯ୍ୟକ୍ରମ ଭଳି ମନେ ହେଉଛି । ଯାହାକୁ ସାଧାରଣରେ କଡ଼ା ନିନ୍ଦା କରାଯାଉଛି । ଖୋଦ୍ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ ହୋଇ ଏହି ମହୋତ୍ସବକୁ ପରିଚାଳିତ କରୁଥିବା ବେଳେ କେବଳ ରାଜ୍ୟ ଶାସକ ଦଳର ନେତା ଓ କର୍ମୀଙ୍କୁ ନିମନ୍ତ୍ରୀତ କରିବା ଦୁର୍ଭାଗ୍ୟର ବିଷୟ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଏକ ପରିଚିତ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ଠାରେ ବଡ଼ ଧରଣର ମହୋତ୍ସବ (ବିଚ୍ ଫେଷ୍ଟିଭାଲ୍) ମଧ୍ୟ ଏକ ନିଦ୍ଧିଷ୍ଟ ରାଜନୈତିକ ଦଳର ପ୍ରଚାର ପ୍ରସାର ଜନସଭା ଭଳି କରାଇବା ଜିଲ୍ଲା ପ୍ରଶାସନର ବିଜେଡ଼ି ପ୍ରେମକୁ ପଦାରେ ପକାଇଥିଲା । କାରଣ କୌଣସି ଅନ୍ୟ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ ନ’କରିବା ଏବଂ ଜିଲ୍ଲାର ବୁଦ୍ଧିଜିବୀ ମାନଙ୍କୁ ମଧ୍ୟ ମଂଚ଼ରେ ସୁଯୋଗ ନ’ଦେବାକୁ ନେଇ ବିଭିନ୍ନ ମହୋଲରେ ଅସନ୍ତୋଷ ସୢଷ୍ଟି ହୋଇଥିଲା । ବର୍ତ୍ତମାନ ବ୍ରହ୍ମପୁରରେ ଆୟୋଜିତ ସିଲକ୍ ସିଟି ଫେଷ୍ଟ ରେ ମଧ୍ୟ ସହରର ନିର୍ବାଚିତ ପ୍ରତିନିଧି ମାନଙ୍କୁ ଉପଯୁକ୍ତ ସମ୍ମାନ ନ’ମିଳିବା ଭଳି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ଅତି ଦୁଃଖଦାୟକ । ଚର୍ଚ୍ଚା ହେଉଛି ପ୍ରଶାସନିକ ଅଧିକାରୀ ମାନେ ସମ୍ପୁର୍ଣ୍ଣ ମନ ମୁତାବକ କାର୍ଯ୍ୟ ଧାରା ବ୍ରହ୍ମପୁର ମହାନଗର ନିଗମରେ ଜାରି ରଖିଥିବା ବେଳେ ନିର୍ବାଚ଼ିତ ଜନ ପ୍ରତିନିଧି ମାନଙ୍କୁ କୌଣସି କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉନାହିଁ ।

କଥା ହେଉଛି, ସଦା ସର୍ବଦା ବହୁଳ ସମସ୍ୟାର ସହର ଭାବେ ପରିଚ଼ିତ ହୋଇ ଆସିଛି ବ୍ରହ୍ମପୁର । ଗୋଟିଏ ପଟେ ମଶା ଦାଉରୁ ଲୋକଙ୍କୁ ରକ୍ଷା କରିବାରେ ବିଏମସି ବିଫଳ ହୋଇଥିବା ବେଳେ ଅନ୍ୟ ପଟେ ସହରରେ ରାସ୍ତାଘାଟର ସମସ୍ୟା ଅତି କଦର୍ଯ୍ୟ । ନାଳ ଗୁଡ଼ିକ ସଠିକ୍ ଭାବେ ସଫେଇ ନ’ହେବା ଯୋଗୁଁ ମଶା ସଂଖ୍ୟା ବୢଦ୍ଧି ପାଇବା ସହିତ ରାସ୍ତା ଘାଟ ସମସ୍ୟା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି । ବିଶେଷ କରି ବ୍ରହ୍ମପୁରର ପରିଚ଼ୟ ବ୍ରହ୍ମପୁର ଷ୍ଟେଡ଼ିୟମର ବିକାଶ କରିବା ନାଁ’ରେ ଦୀର୍ଘ ବର୍ଷ ଧରି ଏହାକୁ ବନ୍ଦ କରି ରଖିଛନ୍ତି । ବ୍ରହ୍ମପୁର ଷ୍ଟେଡ଼ିୟମର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ସାମଗ୍ରୀ ମଧ୍ୟ ଅତି ନିମ୍ନ ମାନର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ତଦାରଖ କରାଯାଉନାହିଁ । ସେହିପରି ସହରର ସିଟି ହାଇସ୍କୁଲ୍ ଖେଳ ପଡ଼ିଆ ଆଜି ଅଳିଆ ଗଦାରେ ପରିଣତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କ୍ରୀଡ଼ାକୁ ଗୁରୁତ୍ୱ ଦେଇ ନିଜର ପପୁଲାରିଟି ଅର୍ଜନ କରୁଥିବା ବେଳେ ବ୍ରହ୍ମପୁର ସହରରେ ଥିବା ଖେଳ ପଡ଼ିଆ ଗୁଡ଼ିକର ପୁନଃରୁଦ୍ଧାର କିମ୍ୱା ଏହାର ବିକାଶ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହା ଫଳରେ କ୍ରୀଡ଼ାବିତ ଟିଏ ସଠିକ୍ ଭାବେ ନିଜର ଖେଳ ଅଭ୍ୟାସରୁ ବାଦ ପଡୁଛି । ତେବେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବ୍ରହ୍ମପୁର ସହରରେ ମହୋତ୍ସବର ଆୟୋଜନ କରାଯାଉଥିବା ବେଳେ ସହରର ଉନ୍ନତି କରଣ ସତେ ଯେମିତି ପ୍ରଶାସନିକ ଅଧିକାରୀ ଓ ଶାସକ ଦଳର ନେତାଙ୍କ ଦୢଷ୍ଟି ଆଢୁଆଳରେ ରହିଯାଇଛି । ପ୍ରଶ୍ନ ଉଠୁଛି ବିକାଶର ନାଁ’ନେଇ ଲୋକଙ୍କୁ ଭୁଆଁ ବୁଲାଉଥିବା ନେତା ଓ ଅଧିକାରୀ ମାନେ ବର୍ତ୍ତମାନ ସରକାରୀ ଅର୍ଥରେ ବଡ଼ ଧରଣର ମହୋତ୍ସବ ଆୟୋଜନ କରି ଏହାକୁ ଶାସକ ଦଳର ମହୋତ୍ସବରେ ପରିଣତ କରିବାକୁ ଦୢଢ଼ ନିନ୍ଦା କରିଛନ୍ତି ଗଞ୍ଜାମ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତି । ଜଦିଓ ମହୋତ୍ସବ ଆୟୋଜନ ହେଉଛି ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ ପ୍ରଶାସନିକ ଅଧିକାରୀ ମାନେ ଶାସକ ଦଳର ପ୍ରଚ଼ାର ମହୋତ୍ସବ ନ’କରି ଏହାକୁ ସର୍ବସାଧାରଣଙ୍କ ମହୋତ୍ସବରେ ପରିଣତ କରିବା ସହ ବ୍ରହ୍ମପୁର ସହରର ବିକାଶକୁ ମଧ୍ୟ ଗୁରୁତ୍ୱ ଦେବାକୁ ଶ୍ରୀ ପତି ଦାବୀ କରିଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ଉପ ସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଏକ ପ୍ରେସ୍ ବିଙ୍ଗ୍ୟପ୍ତିରେ ଜଣାଇଛନ୍ତି । ଆପଣଙ୍କ – ସୁନିଲ କୁମାର ସାହୁ, ଜିଲ୍ଲା ଉପ ସଭାପତି ତଥା ମିଡ଼ିଆ ପ୍ରଭାରୀ, ବିଜେପି, ଗଞ୍ଜାମ ।

nis-ad
Leave A Reply

Your email address will not be published.