ମହିଳା କ୍ରିକେଟର ମୃତ୍ୟ ଘଟଣା : ପୋଷ୍ଟମର୍ଟମ ପରେ ରାଜଶ୍ରୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର…

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ କଟକ ବଡ଼ଡାକ୍ତରଖାନାରେ ପହଂଚିଛି। କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ପୁଲିସ ଆଜି ସନ୍ଧ୍ୟାରେ ରାଜଶ୍ରୀଙ୍କ ମୃତଦେହ ନେଇ ବଡ଼ଡାକ୍ତରଖାନାକୁ ନେଇ ଆସିଛି। ଏଠାରେ ରାଜଶ୍ରୀଙ୍କ ମୃତଦେହ‌ ପୋଷ୍ଟମର୍ଟମ ହୋଇଛି। ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପଟରେ ରାଜଶ୍ରୀଙ୍କ ବାପା ଗୋବିନ୍ଦ ସ୍ବାଇଁ ପୂର୍ବରୁ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି।

ଏହା ପୂର୍ବରୁ ରାଜଶ୍ରୀ ମୃତ୍ୟ ଘଟଣାରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସ୍ପଷ୍ଟୀକରଣ ରଖିଥିଲା। ଯେଉଁ ଚୟନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଅଭିଯୋଗ ଆସୁଛି ତାହାକୁ ଓସିଏ ଖଣ୍ଡନ କରିଥିଲା। ଘଟଣା ତଥା ପରିବାରବର୍ଗଙ୍କ ଅଭିଯୋଗକୁ ନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁବ୍ରତ ବେହେରା କହିଥିଲେ ଯେ, ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ଆମେ ମର୍ମାହତ। ଆମେ ଜଣେ ଓସିଏର ଜଣେ ପଞ୍ଜିକୃତ ଖେଳାଳିଙ୍କୁ ହରାଇଲୁ। ଖେଳରେ ହାର ଜିତ ଥାଏ। କୌଣସି ଖେଳାଳି ଏପରି ଚରମ ପଦକ୍ଷେପ ନ ନେବାକୁ ଅନୁରୋଧ। ଚୟନ ପ୍ରକିୟାରେ କୌଣସି ତ୍ରୁଟି ନାହିଁ। ବର୍ତ୍ତମାନର ପ୍ରଦର୍ଶନ, ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଏ। ରାଜଶ୍ରୀ ୨୫ ଜଣଙ୍କ ଭିତରେ ଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ୧୬ ଜଣଙ୍କ ଭିତରେ ସେ ନ ଥିଲେ। ପ୍ରଥମ ୩ଟି ମ୍ୟାଚ ପାଇଁ ୧୬ ଜଣିଆ ଟିମ ଚୟନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ସକାଳେ ରାଜଶ୍ରୀ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଥିଲା। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲା। ଆଜି ସକାଳେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଜଙ୍ଗଲରୁ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ଏନେଇ ମଙ୍ଗଳାବାଗ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍ ଟିମ୍ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେଣେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.