ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବୁଲି ଦେଖିଲେ ଭୁବନେଶ୍ୱର ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀ…

ସୁନ୍ଦରଗଡ଼/ରାଉରକେଲା,: ହକି ବିଶ୍ୱକପ୍ ଅବସରରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଉରକେଲା ବୁଲି ଆସିଥିଲେ। ସେମାନେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସହ ରାଉରକେଲା ସହରର ବିଭିନ୍ନ ସୌନ୍ଦର୍ଯ୍ୟକରଣ ଦେଖି ବେଶ୍ ଖୁସି ହୋଇଥିଲେ।

ତପୋବନ ଉଚ୍ଚବିଦ୍ୟାଳୟର ୧୩୩ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ୩ଟି ସ୍ୱତନ୍ତ୍ର ବସରେ ରାଉରକେଲା ଅଣା ଯାଇଥିଲା। ସେମାନେ ପ୍ରଥମେ ବିର୍ସା ହକି ଷ୍ଟାଡିୟମକୁ ଆସିଥିଲେ। ମୁଖ୍ୟ ଷ୍ଟାଡିୟମରେ ଚାଲିଥିବା ଅଭ୍ୟାସ ମ୍ୟାଚ ଦେଖିଥିଲେ। ନିକଟରୁ ହକି ତାରକାମାନଙ୍କୁ ଦେଖି ପିଲାମାନେ ଉତ୍ସାହିତ ହୋଇ ଯାଇଥିଲେ।

ଛାତ୍ରଛାତ୍ରୀମାନେ ଷ୍ଟାଡିୟମ ପରିସରରେ ଖେଳାଳି ଓ ଅଫିସିଆଲମାନଙ୍କ ରହଣି ପାଇଁ ନିର୍ମାଣ କରାଯାଇଥିବା ବିଶ୍ୱକପ୍ ଭିଲେଜ ବୁଲି ଦେଖିଥିଲେ। ଏହାସହ ଖେଳାଳିମାନଙ୍କ ପାଇଁ ଅତ୍ୟାଧୁନିକ ଜିମ୍ କରାଯାଇଛି। ସେଠାରେ ଲାଗିଥିବା ବିଭିନ୍ନ ଉପକରଣ ଛାତ୍ରଛାତ୍ରୀମାନେ ଦେଖି ଏକ ନୂଆ ଅନୁଭବ ହାସଲ କରିଥିଲେ।

ଏ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରି ତପୋବନ ହାଇସ୍କୁଲର ଛାତ୍ର ସୁଦର୍ଶନ ଟୁଡୁ କହନ୍ତି, ପ୍ରଥମ ଥର ପାଇଁ ବିମାନରେ ବସି ଆମେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଆସିଲୁ। ବହୁତ ଖୁସି ଲାଗିଲା। ତା’ଛଡ଼ା ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ମଧ୍ୟ ବୁଲିକି ଦେଖିଲୁ। ସାଙ୍ଗମାନଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଲୁ। ଏହି ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ।

ହକି ବିଶ୍ୱକପ୍ ପାଇଁ ରାଉରକେଲା ସହର ନୂଆ ରୂପ ପାଇଛି। ସହରର ରୂପରେଖରେ ଅନେକ ପରିବର୍ତ୍ତନ ହୋଇଛି। ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ହନୁମାନ ବାଟିକା ଏବଂ ହକି ଛକ ଭଳି ପ୍ରମୁଖ ସ୍ଥାନ ଦେଖିବାର ସୁଯୋଗ ପାଇଥିଲେ।

ସେହିପରି ତପୋବନ ହାଇସ୍କୁଲର ଛାତ୍ରୀ ଜୟଶ୍ରୀ ମହାଲି କହନ୍ତି, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବହୁତ ଆକର୍ଷଣୀୟ ହୋଇଛି। ରାଉରକେଲା ସହର ମଧ୍ୟ ରଙ୍ଗିନ ଆଲୋକରେ ଝଲସୁଛି। ଆମେ ଏସବୁ ବୁଲିକି ମଧ୍ୟ ଦେଖିଲୁ।

ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏଭଳି ସୁଯୋଗ ପ୍ରଥମ ଥର ପାଇଁ ମିଳିଛି। ଏଥିପାଇଁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀ ମନୋଜ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ରାଉରକେଲା ଆସିଥିଲେ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏକାସାଙ୍ଗେ ହକି ପୁରୁଷ ବିଶ୍ୱକପ୍ ଆୟୋଜନ କରାଯାଉଛି। ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ବିଶ୍ୱକପ୍ ଆୟୋଜନ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଭିତରେ ବିଶେଷ ଉତ୍ସାହ ସୃଷ୍ଟି କରିଛି। ତେଣୁ ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି ଉତ୍ସାହ ସହିତ ଯୋଡ଼ିବା ଲାଗି ସରକାରଙ୍କ ପକ୍ଷରୁ ଏଭଳି ବିଶେଷ ପଦକ୍ଷେପ ନିଆଯାଇଥିଲା।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.