ଭୁବନେଶ୍ବର : ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ ୧୫ତମ ସଂସ୍କରଣ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଛନ୍ତି । ଏହି କ୍ରମରେ ରବିବାର ସ୍ପେନ୍ ଦଳ ଭୁବନେଶ୍ବରରେ ପହଞ୍ଚିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ହକି ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।
ଏହାକୁ ମିଶାଇ ମୋଟ ୧୧ଟି ବିଦେଶୀ ଦଳ ଓଡ଼ିଶାରେ ପହଞ୍ଚି ସାରିଲେଣି । ଶନିବାର ଜର୍ମାନୀ ଦଳ ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ଶୁକ୍ରବାର ୭ଟି ଦଳ ବେଲଜିୟମ୍, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହକି ଦଳ ଭୁବନେଶ୍ବର ଓ ରାଉରକେଲରେ ପହଞ୍ଚିଥିଲେ। ସେହିପରି ଗୁରୁବାର ଚିଲି ଓ ବୁଧବାର ନେଦରଲାଣ୍ଡସ ଦଳ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଚଳିତ ମାସ ୧୩ ତାରିଖରେ ପୁରୁଷ ହକି ବିଶ୍ୱକପ-୨୦୨୩ ଆରମ୍ଭ ହେବ।