କଟକ : ଶକ୍ତି ପ୍ରଦର୍ଶନ କଲେ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଐତିହାସିକ ଦରଘାବଜାର ଜେଲ ପଡିଆରେ ଆୟୋଜନ କଲେ ନୂଆବର୍ଷ ବନ୍ଧୁ ମିଳନ ଉତ୍ସବ। କିନ୍ତୁ ଏହି ବନ୍ଧୁ ମିଳନ ଉତ୍ସବରେ ଦେଖିବାକୁ ମିଳିଲା ନାହିଁ କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ। ଏପରିକି ଜିଲ୍ଲାର ବଡ଼ବଡ଼ିଆ କଂଗ୍ରେସ ନେତାଙ୍କୁ ନେତାଙ୍କ ଦେଖାନଥିଲା। ସବୁଠାରୁ ମଜାଦାର କଥା ହେଉଛି, ବନ୍ଧୁ ମିଳନ ଉତ୍ସବ ପାଇଁ ପଡ଼ିଆରେ ବ୍ୟାନର ଓ ପୋଷ୍ଟର ଛାଇ ହୋଇଯାଇଛି। ହେଲେ କଂଗ୍ରେସର ଚିହ୍ନ ବା ଦଳୀୟ କୌଣସି ନେତାଙ୍କ ଫଟୋ ନଥିଲା। ବ୍ୟାନର ଓ ପୋଷ୍ଟରରେ କେବଳ ମହମ୍ମଦ ମୋକିମ୍ଙ୍କ ଫଟୋ ଥିବା ଦେଖିବାକୁ ମିଳିଛି।
ବନ୍ଧୁମିଳନ ଉତ୍ସବ ପରେ ମହମ୍ମଦ ମୋକିମ କହିଛନ୍ତି, ନିର୍ବାଚନ ପରଠାରୁ କରୋନା ସମଗ୍ର ବିଶ୍ୱକୁ ଗ୍ରାସ କରିଥିଲା। ଯେଉଁଥିପାଇଁ ମୋତେ ଭଲ ପାଉଥିବା ସମସ୍ତଙ୍କୁ ଏକତ୍ର କରିପାରିନଥିଲି। ପୂଜା ସମୟରେ କେବଳ ପୂଜା କର୍ମକର୍ତ୍ତାଙ୍କୁ ଡାକି ବନ୍ଧୁ ମିଳନ କରିଥିଲି। ନୂଆବର୍ଷ ଅବସରରେ ମୋତେ ଭଲ ପାଉଥିବା କଟକ ଜିଲ୍ଲାର ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲି। ନିମନ୍ତ୍ରଣ ରକ୍ଷା କରି ସମସ୍ତେ ଆସିଛନ୍ତି।”
କଟକରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେଉଛି। ହେଲେ କଂଗ୍ରେସ ଜିଲ୍ଲା ସଭାପତି କାହିଁନ୍ତି ଆସିନାହାନ୍ତି ପ୍ରଶ୍ନରେ ମୋକିମ୍ କହିଛନ୍ତି, ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ କାହିଁକି ଆସିନାହାନ୍ତି ତାଙ୍କୁ ପଚାରିଲେ ଜଣାପଡ଼ିବ। କିନ୍ତୁ ନିମନ୍ତ୍ରଣ ରକ୍ଷା କଟକ ନଗର ଓ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଆସିଛନ୍ତି ବୋଲି ଶ୍ରୀ ମୋକିମ କହିଛନ୍ତି।
ଶକ୍ତି ପ୍ରଦର୍ଶନ ନେଇ ଶ୍ରୀ ମୋକିମ କହିଛନ୍ତି, କଟକ ସହରବାସୀ ମୋତେ ଭଲ ପାଇଛନ୍ତି ଓ ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ଆମେ ତାଙ୍କୁ ଡାକି ନୂଆବର୍ଷ ଅବସରରେ ସେଲିବ୍ରେସନ୍ କଲି। ଏଥିରେ କୌଣସି ରାଜନୈତିକ ଗନ୍ଧ ବାରିବା କଥା ନୁହେଁ। ଇଏ ସମ୍ପୂର୍ଣ୍ଣ ରୂପେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ମୁଁ କଂଗ୍ରେସରେ ଅଛି। ବିଧାୟକ ଭାବେ ବିଧାନସଭାରେ ଦାୟିତ୍ୱ ତୁଲାଉଛି। କଟକ ସହର ପାଇଁ କାମ କରୁଛି ବୋଲି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।