ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ସହ ଶୃଙ୍ଖଳା ବିଜୟ…

ରାଜକୋଟ: ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃ୍ଙ୍ଖଳାକୁ ଭାରତ ୨-୧ରେ ଜିତିଯାଇଛି। ରାଜକୋଟରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଭାରତ ୯୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାରିୟରର ତୃତୀୟ ‌ଟ୍ବେଣ୍ଟି-୨୦ ଶତକ ସହାୟତାରେ ଭାରତ ୨୨୮/୫ରେ ପହଞ୍ଚିଥିଲା। ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଫଳରେ ଦାସୁନ ଶଣକାଙ୍କ ଦଳ ଭାରତ ମାଟିରେ ପ୍ରଥମ ଟ୍ବେଣ୍ଟି ଶୃଙ୍ଖଳା ବିଜୟ ଆଶାରେ ପାଣି ଭରି ଯାଇଥିଲା। ଅନ୍ୟପକ୍ଷରେ ଭାରତ ଲଗାତାର ୧୨ତମ ଘରୋଇ ଶୃଙ୍ଖଳା ଜିତିଥିଲା। ବିସ୍ଫୋରକ ପାଳି ପାଇଁ ସୂର୍ଯ୍ୟକୁମାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଓ ଅକ୍ଷର ପଟେଲଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।
ଦ୍ବିତୀୟ ମ୍ୟାଚ୍‌ରେ ଶୀର୍ଷ ବ୍ୟାଟରଙ୍କ ବିଫଳତା ଯୋଗୁଁ ମିଳିଥିବା ପରାଜୟ ପରେ ରାଜକୋଟରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିଥିଲା। ହେଲେ ଈଶାନ କିଶନ ପ୍ରଥମ ଓଭରରେ ଆଉଟ୍‌ ହେବା ପରେ ଶୁବମନ ଗିଲ୍‌ ଓ ରାହୁଲ ତ୍ରିପାଠୀ ଦ୍ବିତୀୟ ୱିକେଟ୍‌ରେ ୪୯ ରନ୍‌ର ଭାଗୀଦାରି କରି ଭାରତର ଆରମ୍ଭକୁ ସୁଧାରିଥିଲେ। ତେବେ ଦ୍ରୁତ ଖେଳୁଥିବା ରାହୁଲ ଏକ ସର୍ଟ ବଲ୍‌କୁ ଥାର୍ଡ ମ୍ୟାନ୍‌ ଅଞ୍ଚଳକୁ ଖେଳିବାକୁ ଯାଉଥିଲା ବେଳେ ଗଲି ଅଞ୍ଚଳରେ ଧରାପଡ଼ିଯାଇଥିଲେ। ଶୁବମନଙ୍କ ସହ କ୍ରିଜ୍‌ରେ ଯୋଗଦେଇଥିବା ସୂର୍ଯ୍ୟକୁମାର ବୋଲରଙ୍କୁ ନିର୍ଧୁମ ପ୍ରହାର କରିବା ସହ ପଡ଼ିଆର ଚତୁଃର୍ଦିଗକୁ ଚୌକା, ଛକା ବର୍ଷା କରଥିଲେ। ମାତ୍ର ୪୫ ବଲ୍‌ରୁ ଶତକ ଅର୍ଜନ କରିଥିବା ସୂର୍ଯ୍ୟକୁମାର ଭାରତକୁ ୨୦୦ ରନ୍‌ ପାର୍‌ କରାଇବାରେ ବଡ଼ ଭୂମିକା ନେଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୯ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କାର ଆରମ୍ଭ ମଧ୍ୟ ଆଶାନୁରୁପ ହୋଇନଥିଲା। ୫୧ ରନ୍‌ ଭିତରେ ମେଣ୍ଡିସ୍‌, ନିଶଙ୍କା ଓ ଫର୍ଣ୍ଣାଣ୍ଡୋ ଆଉଟ ହେବା ପରେ ଶ୍ରୀଲଙ୍କା ବ୍ୟାଟିଂକ୍ରମ ନିୟମିତ ବ୍ୟବଧାନରେ ଝଡ଼ିବା ଆରମ୍ଭ ହୋଇଥିଲା। ଏହାଫଳରେ ୧୬.୪ ଓଭର ବେଳକୁ ଦଳ ସମସ୍ତ ୱିକେଟ୍‌ ହରାଇଥିଲା।
ସୂର୍ଯ୍ୟଙ୍କ କୀର୍ତ୍ତିମାନ
ସୂର୍ଯ୍ୟକୁମାର ଯାଦବ ଶନିବାର ଶତକୀୟ ପାଳି ଅବସରରେ ରୋହିତ ଶର୍ମାଙ୍କ ଦୁଇଟି କୀର୍ତ୍ତିମାନ ତଳକୁ ପହଞ୍ଚିଛନ୍ତି। ୪୫ ବଲ୍‌ରୁ ଶତକ ହାସଲ କରି ଦ୍ବିତୀୟ ଦ୍ରୁତତମ ଭାରତୀୟ ହୋଇଥିଲେ। ୨୦୧୭ରେ ରୋହିତ ଶର୍ମା ସମାନ ପ୍ରତିଦ୍ବନ୍ଦ୍ବୀ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୩୫ ବଲ୍‌ରୁ ଶତକ ହାସଲ କରିଥିଲେ। ସେହିଭଳି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ତୃତୀୟ ଶତକ ହାସଲ କରି ସୂର୍ଯ୍ୟ ମଧ୍ୟ ରୋହିତ (୪)ଙ୍କ ପଛରେ ପହଞ୍ଚିଛନ୍ତି। ଅଣ ଓପନର୍‌ ଭାବେ ସୂର୍ଯ୍ୟ କିନ୍ତୁ ପ୍ରଥମ ଖେଳାଳି ଭାବେ ୩ ଶତକ ହାସଲ କରିଛନ୍ତି।

nis-ad
Leave A Reply

Your email address will not be published.