ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ନିଯୁକ୍ତ କଲା ବିସିସିଆଇ, କମିଟିରେ ଓଡ଼ିଶାରୁ ଶିବ ସୁନ୍ଦର ଦାସ

ମୁମ୍ବାଇ : ପୂର୍ବତନ କ୍ରିକେଟିୟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି ।
ଏହି ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି । କମିଟିର ଅନ୍ୟ ସଦସ୍ୟମାନେ ହେଲେ ସଲିଲ ଆଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀଧରନ ଶରତ ।
ଗତ ଟି-୨୦ ବିଶ୍ବକପରେ ଭାରତୀୟ ଦଳ ବିଦା ହେବା ପରେ ବିସିସିଆଇ ପକ୍ଷରୁ ଚୟନ କମିଟିକୁ ଭାଙ୍ଗି ଦିଆଯାଇଥିଲା ଓ ନୂଆ ସଦସ୍ୟ ପାଇଁ ଆବେଦନ ଆହ୍ବାନ କରାଯାଇଥିଲା ।
ଚୟନ କମିଟି ସଦସ୍ୟ ପଦ ପାଇଁ ଗତ ନଭେମ୍ବର ମାସରେ ବିସିସିଆଇ ପକ୍ଷରୁ ଆବେଦନ ଆହ୍ବାନ କରାଯାଇଥିଲା । ଏସବୁ ପଦ ପାଇଁ ମୋଟ ୬୦୦ଟି ଆବେଦନ ଆସିଥିଲା । ମଜାକଥା ହେଉଛି, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗ, ମହିନ୍ଦ୍ର ସିଂ ଧୋନିଙ୍କ ପରି ଲୋକପ୍ରିୟ ଖେଳାଳିଙ୍କ ନାଁରେ କେତେକ ଜାଲ ଆବେଦନ ବି ଆସିଥିଲା । ଏସବୁ ଆବେଦନ ଗୁଡ଼ିକର ଯାଞ୍ଚ ପରେ ବୋର୍ଡ ଚେତନ ଓ ଅନ୍ୟମାନଙ୍କ ନାଁ ଚୂଡ଼ାନ୍ତ କରିଥିଲା ।
ବିସିସିଆଇର ନିୟମ ଅନୁସାରେ ଚୟନ କର୍ତ୍ତା ହେବାକୁ ଜଣେ ବ୍ୟକ୍ତି ଅତି କମରେ ୭ଟି ଟେଷ୍ଟ ମ୍ୟାଚ କିମ୍ବା ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବେ କିମ୍ବା ୧୦ଟି ଦିନିକିଆ ଓ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବେ । ସେ ମଧ୍ୟ ଅତି କମରେ ୫ ବର୍ଷ ତଳୁ ଅବସର ନେଇଥିବେ ।

nis-ad
Leave A Reply

Your email address will not be published.