ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି।

ସେ କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍‌ ଚିହ୍ନଟ ହୋଇଛି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨ଟି ପଜିଟିଭ କେସ୍‌ ଚିହ୍ନଟ ହୋଇଛି। କୋରାପୁଟରୁ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି କହିଛନ୍ତି, ସର୍ଭେ ଅନୁସାରେ ଚାଇନାରେ ଏଯାବତ ପିକ୍‌ ଆସିନାହିଁ। ଜାନୁଆରୀ ୧୩ରୁ ୧୫ ତାରିଖ ମଧ୍ୟରେ ପିକ୍‌କୁ ଆସିବ। ଦୈନିକ ୭ରୁ ୧୦ ଲକ୍ଷ ସଂକ୍ରମିତ ହେବେ। ପିକ୍ ବେଳେ ଚାଇନାରେ ଦୈନିକ ୨୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ଘଟିପାରେ। ସେହି ହିସାବରେ ଭାରତରେ ମାର୍ଚ୍ଚ ୨ୟ କିମ୍ବା ୩ୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ। କେସ୍ ସାମାନ୍ୟ ବଢ଼ିପାରେ। ସେଥିପାଇଁ ଗହଳି ଜାଗାକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ।

ଡାକ୍ତର ମହାନ୍ତି କହିଛନ୍ତି, ଭାରତରେ ୯୦ ପ୍ରତିଶତ ଲୋକ ଡବଲ ଡୋଜ ଟିକା ନେଇଛନ୍ତି। ୪୦% ବୁଷ୍ଟର ଡୋଜ ନେଇଛନ୍ତି। ବାକି ଲୋକେ ନେଇଯାଆନ୍ତୁ। ଯେଉଁମାନେ ଡବଲ ଡୋଜ୍ ନେଇସାରିଥିବେ, ନାଜାଲ ଭାକ୍ସିନ ନେଇପାରିବେ। ବିଶେଷ ଭାବେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଚୀନ, ଜାପାନ ସମେତ କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ରହିଛି। ପଜିଟିଭ୍ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ବ୍ୟବସ୍ଥା ହୋଇଛି। ଏବେ ହକି ବିଶ୍ୱକପ୍‌ ଥିବାରୁ ଖେଳାଳି ଓ ଦର୍ଶକ ଓଡ଼ିଶା ଆସିବେ। ଝାରସୁଗୁଡ଼ା, ଖୋର୍ଦ୍ଧା, କଟକରେ ଅଧିକ ଜନସମାଗମ ହେବ। ତେଣୁ ଏସବୁ ଜିଲ୍ଲାରେ କଡ଼ାକଡ଼ି ହେବ ନିୟମ ବୋଲି ସେ କହିଛନ୍ତି।

କୋଭିଡର ସମ୍ଭାବ୍ୟ ଚତୁର୍ଥ ଲହର ବିଦେଶରେ ଦ୍ରୁତ ଗତି ମାଡ଼ିଚାଲିଛି। ବିଶେଷ କରି ଚାଇନାର ଅବସ୍ଥା ଦୟନୀୟ ହୋଇଛି। ସେଠାରେ ବର୍ତ୍ତମାନ ହଜାର ହଜାର ଲୋକ କୋଭିଡରେ ଆକ୍ରାନ୍ତ ହେଉଛନ୍ତି। ଚିକିତ୍ସା ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ଚାଇନାର ଏପରି ଅବସ୍ଥା ଦେଖି ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କୋଭିଡ୍‌ର ମୁକାବିଲା ପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ନିୟମିତ ମାସ୍କ ପିନ୍ଧିବାକୁ କୁହାଯାଇଛି।

nis-ad
Leave A Reply

Your email address will not be published.