ତିନିଦିନ ଉପାସ ରହିବା ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର:ତିନିଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ଭୁବନେଶ୍ୱର ସର୍କିଟଆଉସ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୪ ସେବାୟତ ନିଯୋଗ ସହ ବସିଥିବା ବୈଠକରେ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେବାୟତଙ୍କ ସହ ଜିଲ୍ଲାପାଳ ଅଲୋଚନା କରିବା ପରେ ବିବାଦର ସମାଧାନ ହୋଇଛି। ସେବାୟତଙ୍କ ଦାବି ପୂରଣ ନିମନ୍ତେ ଜିଲ୍ଲାପାଳ ସ୍ଥାୟୀ ପଦକ୍ଷେପ ନେବେ ବୋଲି କହିବା ପରେ ସେବାୟତମାନେ ନୀତି କରିବାକୁ ରାଜି ହୋଇଛନ୍ତି।

ସୂଚନା ଥାଉକି, ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତ ୧ ତାରିଖରୁ ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ। ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ବନ୍ଦ ରହିଥିଲା ନୀତିକାନ୍ତି। ବଡୁ ନିଯୋଗ ନୀତିକାନ୍ତିରେ ପ୍ରଥମେ ସହଯୋଗ କରିନଥିବା ଅଭିଯୋଗ କରିଥିଲା ବ୍ରାହ୍ମଣ ନିଯୋଗ।

ତେଣୁ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ବୈଠକ ହୋଇଥିଲା। ବୈଠକରେ ସାମିଲ ୪ ନିଯୋଗ ନିଜ ଦାବି ରଖିଥିଲେ। ଦାବି ପୂରଣ କରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ନୀତିକାନ୍ତି ସ୍ୱାଭାବିକ କରିବାକୁ ସେବାୟତ ନିଯୋଗମାନେ ନିଷ୍ପତ୍ତି ନେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି, ବିବାଦର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରାଯାଉଛି। ସେବାୟତ ନିଯୋଗମାନେ ରଖିଥିବା ଦାବିଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ବୈଠକ କରି ସମାଧାନ କରାଯିବ।

ସେପଟେ ସେବାୟତ ନିଯୋଗମାନେ ମଧ୍ୟ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିରେ ଖୁସି ପ୍ରକାଶ କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ନୀତି ସ୍ୱାଭାବିକ କରିବାକୁ ସମସ୍ତେ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.