‘କପି ରାଇଟ୍‌’ କଥା କହି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କଲେ ଉମା ଭାରତୀ…

ଛିଣ୍ଡୱାରା: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ବୟାନ କ୍ରମାଗତ ଭାବେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଦଳୀୟ ହାଇକମାଣ୍ଡଙ୍କ ଦ୍ୱାରା ଅଣଦେଖାର ସ୍ୱୀକାର ହୋଇଥିବା ଉମା ଭାରତୀ ସର୍ବସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି।

କିଛି ଦିନ ତଳେ ସେ ବିଜେପି କର୍ମୀମାନଙ୍କୁ କହିଥିଲେ ଯେ ସେମାନେ ନିଜର ଆଖପାଖକୁ ଭଲ ଭାବେ ଦେଖନ୍ତୁ ଓ ଏହାପରେ କେଉଁ ଦଳକୁ ଭୋଟ ଦେବେ, ତା’ର ନିଷ୍ପତ୍ତି ନିଅନ୍ତୁ। ଏବେ ତାଙ୍କର ଆଉ ଗୋଟିଏ ବୟାନ ହଇଚଇ ସୃଷ୍ଟି କରିଛି। ଉମା ଭାରତୀ କହିଛନ୍ତି, ଭଗବାନ ରାମ ଓ ହନୁମାନ ବିଜେପିର କପି ରାଇଟ ନୁହନ୍ତି। ପ୍ରଭୁ ରାମ ଓ ହନୁମାନଙ୍କ ଉପରେ କେବଳ ବିଜେପିର ଅଧିକାର ନାହିଁ ବୋଲି ସେ କହିବା ପରେ ଦଳର କମ୍ପନ ସୃଷ୍ଟି ହୋଇଛି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟରାନ କଂଗ୍ରେସ ନେତା କମଲନାଥଙ୍କ ପକ୍ଷରୁ ରାଜ୍ୟରେ ହନୁମାନ ମନ୍ଦିର ତିଆରି କରିବାକୁ ଯୋଜନା କରାଯାଉଛି। ଏ ସମ୍ପର୍କରେ ସାମ୍ବାଦିକମାନେ ଉମା ଭାରତୀଙ୍କୁ ପ୍ରଶ୍ନ କରିବାରୁ ସେ ବିଜେପିର କପି ରାଇଟ ସମ୍ପର୍କରେ କହିଛନ୍ତି।

ଏହାବାଦ ସେ ମଧ୍ୟପ୍ରଦେଶରେ ମଦ ବ୍ୟାନ କରାଯିବା ଦାବି ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶରେ ମଦ ବ୍ୟାନ ଦାବି ନେଇ ନିକଟରେ ଉମା ଭାରତୀ ନିଜ ସମର୍ଥକଙ୍କ ସହ ଗୋଟିଏ ମଦ ଦୋକାନକୁ ପଥର ମାଡ଼ କରି ଚର୍ଚ୍ଚାକୁ ଆସିଥିଲେ। ଉମା ଭାରତୀ ବିଜେପିର ଜଣେ ବରିଷ୍ଠ ନେତା ହୋଇଥିଲେ ହେଁ ତାଙ୍କୁ ଦଳରେ ଅଣଦେଖା କରାଯାଉଛି। ଏହି କାରଣ ପାଇଁ ସେ ଦଳରେ ରହି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ ସେ ବିଜେପିର ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି। ହିନ୍ଦୁମାନେ ନିଜର ସୁରକ୍ଷା ପାଇଁ ଘରେ ଅସ୍ତ୍ରଶସ୍ତ୍ର ରଖିବା ଦରକାର ବୋଲି ପ୍ରଜ୍ଞା ଠାକୁର ବୟାନ ଦେଇଥିଲେ। ଏହାକୁ ଉମା ଭାରତୀ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି।

ସେ କହିଛନ୍ତି, “ଭଗବାନ ରାମ ମଧ୍ୟ ନିଜର ବନବାସ ସମୟରେ ଅସ୍ତ୍ରଶସ୍ତ୍ର ପରତ୍ୟାଗ ନ କରିବା ପାଇଁ ସଂକଳ୍ପ ନେଇଥିଲେ। ଅସ୍ତ୍ରଶସ୍ତ୍ର ରଖିବା ଭୁଲ ନୁହେଁ, କିନ୍ତୁ ହିଂସା ସୃଷ୍ଟି କରିବାର ମାନସିକତା ରଖିବା ଭୁଲ।” ଛିଣ୍ଡୱାରାରେ ହିଁ ଉମା ଭାରତୀ ଏପରି ବୟାନ ଦେଇଛନ୍ତି। ଏଠାରେ ପ୍ରଜ୍ଞା ଠାକୁର ଅନେକ ପ୍ରକାରର ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ।

ବଲିଉଡ ଫିଲ୍ମ ‘ପଠାନ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଉମା ଭାରତୀ ବିରୋଧର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ବିଜେପି ସରକାରର ସେନ୍ସର ବୋର୍ଡକୁ ଆପତ୍ତିଜନକ ବିଷୟବସ୍ତକୁ ତୁରନ୍ତ ହଟାଇ ଦେବା ଦରକାର। ଏହି ପ୍ରସଙ୍ଗରେ ରାଜନୀତିର କୌଣସି ଆବଶ୍ୟକ ନାହିଁ। କୌଣସି ବି ଧର୍ମର ଭାବାବେଗକୁ କ୍ଷତି ପହଞ୍ଚାଉଥିବା ସିନ୍‌କୁ ଯେମିତି ହେଲେ କଟାଯିବା ଉଚିତ। ଭାରତ କେବେ ହେଲେ କୌଣସି ରଙ୍ଗର ଅପମାନକୁ ସହ୍ୟ କରିପାରିବ ନାହିଁ। ଗେରୁଆ ହେଉଛି ଭାରତୀୟ ସଂସ୍କୃତିର ପ୍ରତୀକ। ତେଣୁ ସେନ୍ସର ବୋର୍ଡ ତୁରନ୍ତ ଏହାକୁ ହଟାଇବା ଜରୁରୀ।”

nis-ad
Leave A Reply

Your email address will not be published.