ରାଜଧାନୀରେ ଜିମ୍‌ ମାଲିକଙ୍କୁ ଅଫିସ ଭିତରେ ଗୁଳି କରି ହତ୍ୟା…

ନୂଆଦିଲ୍ଲୀ: ନୂଆବର୍ଷର ଦିନକ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ରାଜଧାନୀ ଦିଲ୍ଲୀ। ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଘଟିଛି ବଡ଼ ଅଘଟଣ। ୩ ଜଣ ଯୁବକ ଜଣେ ଜିମ୍‌ ମାଲିକଙ୍କୁ ତାଙ୍କ ଅଫିସ ଭିତରେ ପଶି ଗୁଳି କରି ହତ୍ୟା କରିଛନ୍ତି। ଏଥିସହ ଜିମ ମାଲିକଙ୍କ ଅଫିସରେ ଲାଗିଥିବା ସିସିଟିଭି ରେକର୍ଡରକୁ ନିଜ ସହ ନେଇ ଯାଇଛନ୍ତି। ଦୋଷୀଙ୍କ ବିରୋଧରେ ପୁଲିସ୍‌ ହାତରେ କୌଣସି ସୁରାଗ ନଥିବାରୁ ତଦନ୍ତରେ ସମସ୍ୟା ସୃଷ୍ଟି ହୋଇଛି।

ଗୁଳିମାଡ଼ରେ ପ୍ରାଣ ହରାଇଥିବା ଜିମ ମାଲିକ ଜଣଙ୍କ ହେଉଛନ୍ତି ୪୫ ବର୍ଷୀୟ ମହେନ୍ଦ୍ର ଅଗ୍ରୱାଲ। ସେ ଦିଲ୍ଲୀରେ ଏକାଧିକ ଏନର୍ଜି ଜିମ ଓ ସ୍ପାର ମାଲିକ। ଏଥିସହ ସେ ଜିମିଂ ପାଇଁ ସରଞ୍ଜାମ ମଧ୍ୟ ବିକ୍ରି କରନ୍ତି। ଶୁକ୍ରବାର ରାତି ପ୍ରାୟ ୮ଟାରେ ଏନର୍ଜି ଫିଟନେଶର ଏମଡି ମହେନ୍ଦ୍ର ତାଙ୍କର ଗୋଟିଏ ଜିମ ଉପରେ ଥିବା ମୁଖ୍ୟ ଅଫିସରେ ବସିଥିଲେ।

ଏହି ସମୟରେ ହଠାତ୍‌ ୩ ଜଣ ଯୁବକ ବନ୍ଧୁକ ଧରି ଅଫିସ ଭିତରେ ଧସେଇ ପଶିଥିଲେ। ମହେନ୍ଦ୍ର କିଛି ବୁଝିବା ଆଗରୁ ସେମାନେ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିବାରୁ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ଯୁବକମାନେ ଭଲ ଭାବେ ଜାଣିଥିଲେ ଯେ ମହେନ୍ଦ୍ର ତାଙ୍କ ଅଫିସରେ ସିସିଟିଭି ଲଗାଇଛନ୍ତି। ତେଣୁ ଧରାପଡ଼ିଯିବା ଭୟରେ ସେମାନେ ନିଜ ସହ ସିସିଟିଭି ରେକର୍ଡରରୁ ନେଇ ଯାଇଛନ୍ତି। ଜମି କିମ୍ବା ଅଫିସର ସିସିଟିଭି ରେକର୍ଡର ନଥିବାରୁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା କ୍ୟାମେରା ଫୁଟେଜକୁ ଯାଞ୍ଚ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି।

ସେହିପରି ଫରେନ୍ସି ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ଏଥିସହ ମହେନ୍ଦ୍ରଙ୍କର କାହା ସହ ପୂର୍ବରୁ ଶତ୍ରୁତା ଥିଲା କି ନାହିଁ, ସେ ବିଷୟରେ ପରିବାର ଲୋକ ଓ ସମ୍ପର୍କୀୟମାନଙ୍କ ଠାରୁ ତଥ୍ୟ ଯୋଗାଡ଼ କରିବାକୁ ପୁଲିସ୍‌ ଲାଗି ପଡ଼ିଛି।

ନୂଆବର୍ଷ ଓ ଡିସେମ୍ବର ୩୧ ପାଇଁ ରାଜଧାନୀରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବୋସ୍ତ କରାଯାଇଛି। ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଉଛି। ଏହାସତ୍ତ୍ୱେ ଅପରାଧୀମାନେ ଏପରି କାଣ୍ଡ ଘଟାଇ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

nis-ad
Leave A Reply

Your email address will not be published.