ଭୁବନେଶ୍ବର: ଏବର୍ଷ ବିଏମସିର ଶେଷ କର୍ପୋରେସନ ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା। କୌଣସି ଥଇଥାନ ବ୍ୟବସ୍ଥା ନକରି ଅନେକ ଉଠା ଦୋକାନୀ ସହ ବସ୍ତି ଘର ଗୁଡ଼ିକୁ ଉଚ୍ଛେଦ କରାଚାଲିଛି। ବିନା ଥଇଥାନରେ ଉଠାଦୋକାନୀ କି ବସ୍ତି ଉଛେଦ ନ କରିବା ପାଇଁ ସାଂସଦ ଆଜିର ବୈଠକରେ ସ୍ପଷ୍ଟ ଭାବେ ଦାବି କରିଛନ୍ତି। ଭୁବନେଶ୍ଵରର ସମସ୍ତ ପୋଖରୀ ପୁନଃରୁଦ୍ଧାର, ଡ୍ରେନେଜ ସମସ୍ୟାର ସମାଧାନ ସହ ସମସ୍ତ ଡ୍ରେନକୁ ଗଙ୍ଗୁଆ ସହ ଯୋଡିବା ପାଇଁ ମାଷ୍ଟର ପ୍ଲାନ କରିବା ପାଇଁ ସେ ମତ ରଖିଛନ୍ତି।
ପ୍ରତି ୱାର୍ଡରେ ପାର୍କ ସହ ଜିମ୍ ପ୍ରତିଷ୍ଠା, ମଶାଙ୍କ ଉପଦ୍ରବ କମାଇବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ଓ ବିଏମସି ପକ୍ଷରୁ ସ୍ୱତନ୍ତ୍ର ସିଟିଜେନ ଚାପ୍ଟର ପ୍ରସ୍ତୁତ କରିବା ପାଇଁ ସାଂସଦଙ୍କ ଅପରାଜିତ ଷଡ଼ଙ୍ଗୀ ବିଏମ୍ସି କର୍ପୋରେସନ ବୈଠକରେ ପ୍ରସ୍ତାବ ଦେଇଛନ୍ତି । ସେପଟେ ସାଂସଦ ଦେଇଥିବା ପ୍ରସ୍ତାବ ଉପରେ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର। ସେପଟେ ପଦା ସାହି, ପଟିଆ ଓ ବିଏସଏନଏଲ ଷ୍ଟେସନ ନିକଟରେ ରେଲ ଓଭର ବ୍ରିଜ ନିର୍ମାଣ ପ୍ରସଙ୍ଗରେ ବିଏମସି ବୈଠକରେ ସ୍ଥାନୀୟ କର୍ପୋରେଟର ମିହିର ରାଉତ ସାଂସଦଙ୍କୁ ପ୍ରଶ୍ନ କରିଥିଲେ। ବୈଠକ ଆରମ୍ଭରୁ ହଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।