ଓଡ଼ିଶାରେ ସରକାର କିଏ ଚଳାଉଛନ୍ତି ତାହା ଜଣାପଡୁନାହିଁ : ଜେ ପି ନଡ୍ଡା…

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା ଜଣାପଡ଼ୁନାହିଁ ବୋଲି ସେ କହିଛନ୍ତି ।

ତୁମୁଡ଼ିବନ୍ଧରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ନବୀନ ସରକାର ଶୋଇ ରହିଥିବା ପରି ଲାଗୁଛି । ପ୍ରଭୁ ଜଗନ୍ନାଥର ରତ୍ନଭଣ୍ଡାର ସୁରକ୍ଷା କାହିଁକି କରାଯାଉନାହିଁ ଓ ଏହାର ଚାବି କୁଆଡେ ହଜିଗଲା ? ୪ ବର୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଖୋଲିବା କହିଥିଲେ, ତାହା କୁଆଡ଼େ ଗଲା ? ନୟାଗଡ଼ର ଚିନକଳ ଖୋଲିବା କଥା କହିଥିଲେ, କିନ୍ତୁ ତାହା ବି ହୋଇପାରିଲା ନାହିଁ । ଏହା କିପରି ଶୋଇରହିଥିବା ସରକାର  ? କିଏ ସରକାର ଚଳାଉଛି ତାହା ଜଣାପଡୁନାହିଁ । ମହିଳା ବିରୋଧୀ ଅପରାଧରେ ଓଡ଼ିଶାରେ ଦ୍ବିଗୁଣ ହୋଇଗଲାଣି । ଓଡ଼ିଶାରେ ମାନବ ଚାଲାଣ ବଢିଚାଲିଛି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି । ଅପରାଧୀମାନେ ଏବେ ପୁଲିସ ଉପରେ ବି ଆକ୍ରମଣ କରୁଛନ୍ତି । ଅର୍ଥାତ ରକ୍ଷକ ଉପରେ ବି ଆକ୍ରମଣ ହେଉଛି । ଏପରି ସରକାର ରହିବା ଉଚିତ କି ?

ଗୋଟିଏ ପଟେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିଛନ୍ତି ନଡ଼୍ଡା । ସେ କହିଛନ୍ତି, ଆଇଏମଏଫର ରିପୋର୍ଟ ଅନୁସାରେ ଭାରତରେ ଏବି ଅତି ଗରିବ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଯାଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ଏହା ସୁଫଳ । ଜନଧନ ଯୋଜନାରେ ୪୬ କୋଟି ଜନତାଙ୍କ ବ୍ୟାଙ୍କ ଖାତାରେ ସରକାରୀ ଅର୍ଥ ପହଞ୍ଚୁଛି ବୋଲି ସେ କହିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରେ ୧୦.୭୪ କୋଟି ଜନତାଙ୍କୁ ସ୍ବାସ୍ଥ୍ୟସେବା ମିଳିପାରୁଛି । ନବୀନବାବୁ ରାଜ୍ୟର ମଙ୍ଗଳ କଥା କହୁଥିବାବେଳେ ଓଡ଼ିଶାର ୬୦ ଲକ୍ଷ ଲୋକଙ୍କୁ ଏଥିରୁ ବଂଚିତ କରିଛନ୍ତି । ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯାଉଛି ଏପରି ସରକାର ରହିବା ଉଚିତ କି ?

ଜଣେ ଆଦିବାସୀ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ସେ ପୁଣି, ଓଡ଼ିଶାର ପବିତ୍ର ଭୂମିରୁ ଯାଇ ସେ ଦେଶର ସର୍ବୋଚ୍ଚ ପଦ ମଣ୍ଡନ କରିପାରିଛନ୍ତି । ଉଜ୍ଜଳା ଯୋଜନା ଯୋଗୁଁ ଗ୍ୟାସ ସିଲିଣ୍ଡର ଘରେ ପହଞ୍ଚୁଛି । ମହିଳାମାନଙ୍କୁ କାଠ ପାଇଁ ଜଙ୍ଗଲକୁ ଯିବାକୁ ପଡ଼ୁନାହିଁ । ମୋଦୀଜୀ ୧୨ କୋଟି ଶୌଚାଳୟ ତିଆରି କରି ୧୨ କୋଟି ପରିବାରକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି । ଷ୍ଟାର୍ଟଅପ ଯୋଜନାରେ ଦେଶର ଷ୍ଟାର୍ଟଅପ ବାତାବରଣକୁ ସମୃଦ୍ଧ କରାଯାଉଛି । ଦେଶରେ ଏବେ ୧୦୦ଟି ୟୁନିକର୍ଣ୍ଣ ରହିଛି ।

ମୋଦୀ ଓଡିଶା ପାଇଁ ଅନେକ କିଛି କରିଛନ୍ତି । ମହାନଦୀ ବେସିନରେ ଗ୍ୟାସ ଓ ତେଲର ଅନୁସନ୍ଧାନ ଚାଲିଛି । ଆଦିବାସୀଙ୍କ ପାଇଁ ୮୭ ଏକଲବ୍ୟ ଆବାସିକ ସ୍କୁଲ ଖୋଲାଯାଇଛି । ୩୦୦ କୋଟି ବ୍ୟୟରେ ଭୁବନେଶ୍ବର ରେଳଷ୍ଟେସନର ବିକାଶ ଚାଲିଛି । ୩୩୨୩ କୋଟି ଜଳଜୀବନ ମିଶନରେ୍ ବ୍ୟୟ ହେଉଛି । ସମ୍ବଲପୁରରେ ୪୦୧ କୋଟି ବ୍ୟୟରେ ଆଇଆଇଏମ ଖୋଲାଯାଇଛି । ଓଡ଼ିଶାରେ ୯ ହଜାର କୋଟି ବ୍ୟୟରେ ୧୨୧୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଚାଲିଛି ।

ଏହି ଜନସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡ଼ି ଓଡ଼ିଶାର ସ୍ବାଭିମାନ କଥା ଭାବୁଛି । ଜାତୀୟ ଦଳମାନେ ତାହା କରୁନାହାନ୍ତି । କିନ୍ତୁ ଏହାର ଜବାବରେ ଏତିକି କହିପାରିବି ଯେ ସ୍ବାଧୀନତାର ୭୫ ବର୍ଷ ପରେ ଓଡ଼ିଶା ମାଟିର ଆଦିବାସୀ ଝିଅ ଏବେ ରାଷ୍ଟ୍ରପତି ଭବନରେ ବସିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ କନ୍ଧମାଳରେ ୩୨ କୋଟି ଟଙ୍କା ବିନିମୟରେ ୮ଟି ଏକଲବ୍ୟ ସ୍କୁଲ ଖୋଲାଯାଇଛି ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.