ପୁଣି ୟୁ-ଟର୍ଣ୍ଣ ମାରିଲା ବିଜେପି, ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହାରିବା ପରେ ବାରମ୍ବାର ୟୁ-ଟର୍ଣ୍ଣ ମାରିବାରେ ଲାଗିଛି ବିଜେପି। ପରାଜୟ ସତ୍ତ୍ୱେ ଦିଲ୍ଲୀ ଏମସିଡିରେ ବିଜେପି ମେୟର ପଦ ହାତେଇବ ବୋଲି ଦମ୍ଭୋକ୍ତି କରିଥିଲା। ଏହି ଦମ୍ଭୋକ୍ତି ପରେ ଅନ୍ୟ ଦଳର କାଉନସିଲରଙ୍କୁ ବିଜେପି କିଣିବା ପାଇଁ ଚାହୁଁଥିବା ଅଭିଯୋଗ ହୋଇଥିଲା। ବିବାଦ ବଢ଼ିବାରୁ ବିଜେପି କହିଥିଲା ଯେ ଦଳ ବିରୋଧୀ ଆସନରେ ବସି ଆପ୍‌ର ଦୋଷ ଦୁର୍ବଳତା ଧରିବ। କିନ୍ତୁ ଦଳ ଏବେ ପୁଣି ନଜର କଥା ବଦଳାଇଛି। ଦିଲ୍ଲୀ ମେୟର ଓ ଡେପୁଟି ମେୟର ପଦ ପାଇଁ ଦଳ ପକ୍ଷରୁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ପୂର୍ବରୁ ଏମସିଡିର ୨୫୦ ଆସନରୁ ୧୩୪ରେ ବାଜିମାତ କରିଥିବା ଆପ୍‌ ଦଳୀୟ ମେୟର ଓ ଡେପୁରି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଆଜି ବିଜେପି ରୁଦ୍ଧଦ୍ୱାର ବୈଠକ କରିବା ପରେ ଆପ୍‌ ବିରୋଧରେ ଉଭୟ ମେୟର ଓ ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି।

ବିଜେପି ଶାଲିମାର ବାଗର କର୍ପୋରେଟର ରେଖା ଗୁପ୍ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି। ସେହିପରି ରାମ ନଗର ୱାର୍ଡରୁ ଜିତିଥିବା କମଲ ବାଗ୍ରୀ ବିଜେପିର ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି।

ଏମସିଡିରେ ଆପ୍‌ର ସବୁଠାରୁ ଅଧିକ କର୍ପୋରେଟର ଅଛନ୍ତି। ଏଥିପାଇଁ ଦଳ ମେୟର ନିର୍ବାଚନ ଜିତିବ ବୋଲି ଆଶା ରଖିଛି। ଦଳ ପକ୍ଷରୁ ଶେଲୀ ଓବରୟଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ଡେପୁଟି ମେୟର ପ୍ରାର୍ଥୀ କରାଯାଇଛି।
ଏମସିଡି ନିର୍ବାଚନରେ ଆପ୍‌ ୧୩୪ଟି ଆସନ ଜିତିଥିବାରୁ ଦଳର ଦୁଇ ପ୍ରାର୍ଥୀ ବେଶ ସହଜରରେ ବିଜୟ ଲାଭ କରିବେ ବୋଲି ଆଶା କରାଯାଉଛି। କିନ୍ତୁ ମେୟର ନିର୍ବାଚନରେ ଦଳବଦଳ ନିରୋଧ ଆଇନ ଲାଗୁ ହେବନି। ତେଣୁ ଦଳୀୟ ଟିକେଟରେ ନିର୍ବାଚନ ଜିତିଥିବା କର୍ପୋରେଟରମାନେ ନିଜ ଇଚ୍ଛାରେ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟ ଦେଇପାରିବେ।

ଶେଲୀ ଚଳିତ ବର୍ଷ ପ୍ରଥମଥର ପାଇଁ ଏମସିଡି ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ଆପ୍‌ ଇଷ୍ଟ ପଟେଲ ନଗର-ୱାର୍ଡ ନମ୍ବର ୮୬ରୁ ପ୍ରାର୍ଥୀ କରିଥିଲା। ଶେଲୀ ଜଣେ ଆସିଷ୍ଟାଣ୍ଟ ପ୍ରଫେସର। ସେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତାଙ୍କ ଗଡ଼ ଭାବେ ପରିଚିତ ପଟେଲ ନଗରରୁ ଜିତିଥିଲେ। ଏହି କାରଣରୁ ଆପ୍‌ ତାଙ୍କୁ ମେୟର ପ୍ରାର୍ଥୀ କରିଛି। ସେହିପରି ଇକବାଲ ମଧ୍ୟ ଦମଦାର ବିଜୟ ହାସଲ କରିଥିଲେ।

ଆସନ୍ତା ଜାନୁଆରୀ ୬ରେ ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ କୌଣସି ମନୋନୀତ ସଦସ୍ୟ ଭୋଟ ଦେଇପାରିବେ ନାହିଁ। ନବନିର୍ବାଚିତ କର୍ପୋରେଟରଙ୍କ ସମେତ ୧୪ ଜଣ ବିଧାୟକ ଓ ୧୦ ଜଣ ସାଂସଦ ଭୋଟ ଦେଇପାରିବେ।
କର୍ପୋରେଟରଙ୍କ ବ୍ୟତୀତ ଏମସିଡିକୁ ୧୪ ଜଣ ବିଧାୟକ ମନୋନୀତ ହୋଇଥାଆନ୍ତି। ପ୍ରତିବର୍ଷ ଏମାନେ ବଦଳନ୍ତି। ବର୍ତ୍ତମାନ ୧୪ ମନୋନୀତ ବିଧାୟକଙ୍କ ମଧ୍ୟରୁ ୧୨ କିମ୍ବା ୧୩ ଜଣ ଆପ୍‌ରୁ ଓ ଜଣେ କି ଦୁଇ ଜଣ ବିଜେପିରୁ ମନୋନୀତ ହେବେ। ଏହାବାଦ ଲୋକସଭାରୁ ୭ ଜଣ ଓ ରାଜ୍ୟସଭାର ୩ ଜଣ ସାଂସଦ ମଧ୍ୟ ମନୋନୀତ ସଦସ୍ୟ।

ଏମାନେ ସମସ୍ତେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ। ଏହାର ଅର୍ଥ ୨୪ ଜଣ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୫ରୁ ୧୬ ଜଣ ଆପର ଓ ୮ରୁ ୯ ଜଣ ବିଜେପିର ସଦସ୍ୟ। ତେଣୁ ଆପ୍‌ ବେଶ ସହଜରେ ମେୟର ନିର୍ବାଚନ ଜିତିବ ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.