ସ୍ଥିତି ସାଂଘାତିକ, ତଥାପି ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବ୍ୟବସ୍ଥା ହଟାଇବ ଚାଇନା

ବେଜିଂ: ଚାଇନାରେ ମହାମାରୀ କରୋନା ସ୍ଥିତି ଅତ୍ୟନ୍ତ ସାଂଘାତିକ ରୂପ ଧାରଣ କରିଛି। ଦୈନିକ କୋଟି କୋଟି ଲୋକ ସଂକ୍ରମିତ ହେଉଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି। ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ସତ୍ତ୍ୱେ ଚାଇନା ସରକାର କୋଭିଡ୍‌ ସହ ଖାପ ଖୁଆଇ ବଞ୍ଚିବା ଅଭ୍ୟାସ ଆରମ୍ଭ କରିଛନ୍ତି।
ଏଥିପାଇଁ ନ୍ୟାଶନାଲ ହେଲ୍ଥ କମିଶନ ବଡ଼ ଘୋଷଣା କରିଛି। ଏଣିକି ବିଦେଶରୁ ଆସୁଥିବା ଲୋକଙ୍କୁ କୌଣସି ପ୍ରକାରର ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ। ଏହି ନୂଆ ନିୟମ ଜାନୁଆରୀ ୮ରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନର ନିୟମ ଅନୁଯାୟୀ, ବିଦେଶ ଫେରନ୍ତା ବେଜିଂରେ ପହଞ୍ଚିବା ପରେ ପ୍ରଥମେ ୫ ଦିନ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବେ। ଏହାପରେ ସେମାନଙ୍କୁ ୩ ଦିନ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ହେଲେ ଏବେ ଏହାକୁ ଚାଇନା ସରକାର ହଟାଇ ଦେଇଛନ୍ତି।
କରୋନାର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରଶାସନ ସଂପୂର୍ଣ୍ଣ ଭାବେ ଜିରୋ କୋଭିଡ ନୀତିକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିରୋ କୋଭିଡ ନୀତି ଅନୁଯାୟୀ, ଲୋକଙ୍କୁ ଦୀର୍ଘ ସମୟ କ୍ୱାରେଣ୍ଟାଇନର ରହିବାକୁ ପଡ଼ୁଥିଲା, ଟେଷ୍ଟିଂ ବାଧ୍ୟମୂଳକ ଥିଲା ଓ କଠୋର ଲକଡାଉନ ବି ଲାଗୁ ହେଉଥିଲା। ହେଲେ ଏବେ ଏସବୁ ନିୟମ ହଟାଇ ଦେବାକୁ ଚାଇନା ନିଷ୍ପତ୍ତି ନେଇଛି।
ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆଉ ବିଦେଶରୁ ଆସୁଥିବାର ଲୋକଙ୍କର କୋଭିଡ ଟେଷ୍ଟ କରାଯିବନି। କେବଳ ଥଣ୍ଡା କିମ୍ବା ଅନ୍ୟ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ଲୋକଙ୍କର ଆଣ୍ଟିଜେନ ଟେଷ୍ଟ ଏୟାରପୋର୍ଟରେ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି।
ଚାଇନାର ହେଲ୍ଥ କମିଶନ ଦେଶର ବିଦେଶୀ ନାଗରିକଙ୍କ ଆସିବା ପାଇଁ କଟକଣାକୁ କୋହଳ କରାଯାଇଛି। ଏଥିସହ ଚାଇନିଜ ନାଗରିକଙ୍କକୁ ମଧ୍ୟ ଅନ୍ୟ ଦେଶକୁ ଯିବାକୁ ଅନୁମତି ମିଳିବ। ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ ଯୋଗୁ ଚାଇନିଜ ନାଗରିକମାନେ ବିଦେଶ ଗସ୍ତ କରୁ ନାହାନ୍ତି। ସେହିପରି ଚାଇନାକୁ ବିଦେଶ ନାଗରିକଙ୍କ ଆଗମନ ମଧ୍ୟ କମିଛି। ତେଣୁ ଏଥିରେ ସୁଧାର ଆଣିବାକୁ ସରକାର ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବ୍ୟବସ୍ଥା ଉଠାଇ ଦେଇଥିବା କମିଶନ କହିଛି।
ଅନ୍ୟପକ୍ଷରେ ଚାଇନା ସରକାର ଲୋକଙ୍କୁ ଫାଇଜର ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ଔଷଧ ପାକ୍ସଲୋଭିଡ ଦେବାକୁ ନିଷ୍ପତ୍ତି ନେଇଛନ୍ତ। ପ୍ରାଥମିକ ଭାବେ ବେଜିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଏହି ଔଷଧ ଲୋକଙ୍କୁ ବଣ୍ଟାଯିବ। ଏହାପରେ ସଙ୍ଘାଇ ଓ ଶେଷରେ ଅନ୍ୟ ପ୍ରାନ୍ତରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯିବ।

nis-ad
Leave A Reply

Your email address will not be published.